ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଗଞ୍ଜାମରେ ସ୍କ୍ରିନିଂ ବଢ଼ିଛି
  • ଘର ଘର ବୁଲି ସର୍ଭେ କରୁଛନ୍ତି ଡାକ୍ତରୀ ଟିମ୍‌
  • ୨୦୦ ଟିମ୍‌ କାମରେ ଲାଗିଛନ୍ତି
  • ସ୍କ୍ରିନିଂ ବଢ଼ିଥିବାରୁ ଆକ୍ରାନ୍ତ ସଂଖ୍ୟା ବଢ଼ିଛି
  • କରୋନା ଯୋଦ୍ଧାଙ୍କ ପାଇଁ ସ୍ଥିତି ଏବେ ନିୟନ୍ତ୍ରଣ

ଗଞ୍ଜାମ ଜିଲ୍ଲାରେ ବେହାଲ ହେଲାଣି କରୋନା ସ୍ଥିତି। ଗତକାଲି କେବଳ ଗଞ୍ଜାମ ଜିଲ୍ଲାରୁ ୫୪୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୭୩୨ ଜଣ ଚିହ୍ନଟ ହୋଇଛନ୍ତି। ଗଞ୍ଜାମ ଜିଲ୍ଲା ଏବେ କରୋନାର ସୁପର ହଟ୍‌ସ୍ପଟ୍‌ ପାଲଟି ଯାଇଛି। ବିଳମ୍ବରେ ଗଞ୍ଜାମ ଜିଲ୍ଲାରେ ପାଦ ଦେଇଥିବା କରୋନା ଭୂତାଣୁ ଏବେ ହୁ ହୁ ହୋଇ ବଢ଼ିବା ପଛର କାରଣ କ’ଣ ତାର ବିସ୍ତୃତ ସୂଚନା ଦେଇଛନ୍ତି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ।

ଆକ୍ରାନ୍ତଙ୍କୁ ଖୋଜା ଚାଲିଛି

ଗଞ୍ଜାମ ଜିଲ୍ଲାରେ ଏବେ କରୋନା ଆକ୍ରାନ୍ତଙ୍କୁ ଖୋଜା ଚାଲିଛି। ଗାଁ ଏବଂ ସହରାଞ୍ଚଳରେ ଘର ଘର ବୁଲି ସ୍ୱାସ୍ଥ୍ୟ କର୍ମୀମାନେ କରୋନା ଆକ୍ରାନ୍ତଙ୍କୁ ଖୋଜୁଛନ୍ତି। ଏଥିପାଇଁ ୨୦୦ ଡାକ୍ତରୀ ଟିମ୍‌ ଗଠନ କରାଯାଇଛି। ୧୦୦ ଟିମ୍‌ ବ୍ରହ୍ମପୁର ମହାନଗର ଅଞ୍ଚଳରେ ଘର ଘର ବୁଲି ସ୍କ୍ରିନିଂ କରୁଥିବା ବେଳେ ଆଉ ୧୦୦ଟି ଟିମ୍‌ ଜିଲ୍ଲାର ବିଭିନ୍ନ ସ୍ଥାନରେ ନିୟୋଜିତ ଅଛନ୍ତି।

ସବୁଠୁ ବଡ଼ କଥା ହେଉଛି କରୋନା ଲକ୍ଷଣ ଥିବା ବ୍ୟକ୍ତି ସରକାରଙ୍କୁ ଜଣାଉ ନଥିଲେ। ଫଳରେ ଜିଲ୍ଲାରେ କରୋନା ମାଡ଼ି ଚାଲିଥିଲା। ଏହାକୁ ନିୟନ୍ତ୍ରଣ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଘର ଘର ବୁଲି ସର୍ଭେ କରାଯାଉଛି। ଏବେ ସ୍କ୍ରିନିଂ ଚାଲିଥିବାରୁ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି। ୧୫ ଦିନ ଭିତରେ ସ୍ଥିତି ନିୟନ୍ତ୍ରଣକୁ ଆସିଯିବ। ଏଥିରେ କେହି ଭୟଭୀତ ନହେବାକୁ ଜିଲ୍ଲାପାଳ ଅପିଲ୍‌ କରିଛନ୍ତି।

ଜିଲ୍ଲାକୁ ଆସିଥିଲେ ୪ ଲକ୍ଷ ପ୍ରବାସୀ

ମାର୍ଚ୍ଚ ୧୫ ତାରିଖରେ ଓଡ଼ିଶାରେ ପ୍ରଥମେ ପାଦ ଦେଇଥିଲା କରୋନା। ଭୁବନେଶ୍ୱରୁ ପ୍ରଥମେ ଏହି ଭାଇରସ୍‌ ଠାବ ହେବା ପରେ ଅନ୍ୟ ଜିଲ୍ଲାକୁ ବ୍ୟାପିଥିଲା। ହେଲେ ଗଞ୍ଜାମ ଜିଲ୍ଲାରେ ଏପ୍ରିଲ ଶେଷ ଯାଏଁ ଗୋଟିଏ ବି ଆକ୍ରାନ୍ତ ଚିହ୍ନଟ ହୋଇ ନଥିଲେ। ଗଞ୍ଜାମ ପୂରା ସେଫ୍‌ ଜୋନରେ ରହିଥିଲା। ହେଲେ ବାହାର ରାଜ୍ୟରୁ ପ୍ରବାସୀ ଆସିବା ପରେ ଗଞ୍ଜାମର ସ୍ଥିତି ବିଗିଡ଼ିଥିଲା। ମେ’ ୨ ତାରିଖରେ ଗଞ୍ଜାମ ଜିଲ୍ଲାରେ ସୁରତ ଫେରନ୍ତାଙ୍କଠାରୁ ଚିହ୍ନଟ ହୋଇଥିବା ଭୂତାଣୁ ଆଜିସୁଦ୍ଧା ୭ ହଜାର ୬୩୪ରେ ପହଞ୍ଚିଛି। ୪ ଲକ୍ଷ ଲୋକ ବାହାର ରାଜ୍ୟରୁ ଗଞ୍ଜାମକୁ ଆସିଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଜିଲ୍ଲାର ବିଭିନ୍ନ ପଞ୍ଚାୟତ ଏବଂ ସହରାଞ୍ଚଳରେ ହୋଇଥିବା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏହି ପ୍ରବାସୀମାନେ ରହିଥିଲେ।

CGU new୧୫୦ ଦିନର ଯୁଦ୍ଧ

କରୋନା ନିୟନ୍ତ୍ରଣ ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପୂରା ପଦକ୍ଷେପ ନେଇଛି। ଆଶା, ଅଙ୍ଗନବାଡ଼ି କର୍ମୀଙ୍କଠାରୁ ଆରମ୍ଭ କରି ଡାକ୍ତର, ନର୍ସମାନେ କରୋନା ସହିତ ଲଢୁଛନ୍ତି। ୧୫୦ ଦିନ ଧରି ଏମାନେ ଲମେଇ କରୁଛନ୍ତି। ଏମାନଙ୍କ କାମ ପ୍ରଶଂସନୀୟ ବୋଲି ଜିଲ୍ଲାପାଳ କହିଛନ୍ତି। କରୋନା ଯୋଦ୍ଧାଙ୍କ ପଦକ୍ଷେପ ପାଇଁ ଗଞ୍ଜାମରେ ସ୍ଥିତି ନିୟନ୍ତ୍ରଣରେ ରହିଛି। ନହେଲେ ପରିସ୍ଥିତି ଆହୁରି ସଙ୍ଗୀନ ହୋଇଥାନ୍ତା ବୋଲି ଜିଲ୍ଲାପାଳ କହିଛନ୍ତି। ଏହାସହ ରାଜ୍ୟ ସରକାର ମଧ୍ୟ ଗଞ୍ଜାମକୁ ସ୍ୱତନ୍ତ୍ର ଫୋକସ୍‌ ଦେଇଥିବା ଜିଲ୍ଲାପାଳ କହିଛନ୍ତି।

କରୋନା ହାରିବ, ଗଞ୍ଜାମ ଜିତିବ

‘‘କେହି ଲକ୍ଷଣ ଲୁଚାନ୍ତୁ ନାହିଁ। ସର୍ଭେ କରୁଥିବା ଟିମ୍‌ ଆଗରେ ଲକ୍ଷଣ ପ୍ରକାଶ କରନ୍ତୁ। ଲକ୍ଷଣ ଲୁଚାଇଲେ ଆମ ପରିଶ୍ରମର ମୂଲ୍ୟ ରହିବନି। କରୋନା ଯୋଦ୍ଧାଙ୍କ ପରିଶ୍ରମକୁ ସମ୍ମାନ ଜଣାଇ ସମସ୍ତେ ସହଯୋଗ କରନ୍ତୁ। ସମସ୍ତଙ୍କର ସହଯୋଗ ରହିଲେ ଆମେ କରୋନାକୁ ହରାଇ ପାରିବା’’, କହିଛନ୍ତି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ।

ଜିଲ୍ଲା ପ୍ରଶାସନର ପଦକ୍ଷେପ ଯୋଗୁଁ ୮୩ ପ୍ରତିଶତ ଗାଁ ଏବେ କରୋନା ମୁକ୍ତ ହୋଇଛି। ୩୦ଟି ଗାଁ ରେଡ୍‌ ଜୋନରୁ ଗ୍ରୀନ ଜୋନକୁ ଆସିଥିବା ଜିଲ୍ଲାପାଳ କହିଛନ୍ତି। ୧୫ ଦିନ ପରେ ସ୍ଥିତି ନିଶ୍ଚୟ ନିୟନ୍ତ୍ରଣକୁ ଆସିବ। ଆମେ କରୋନାକୁ ହରାଇବା ଏବଂ ଗଞ୍ଜାମ ଜିତିବ ବୋଲି ଜିଲ୍ଲାପାଳ ଦୃଢ଼ତାର ସହ କହିଛନ୍ତି। ଏହାସହ କରୋନାରୁ ସୁସ୍ଥ ହୋଇଥିବା ଲୋକ ପ୍ଲାଜମା ଦାନ କରିବାକୁ ଆଗେଇ ଆସିବାକୁ ଜିଲ୍ଲାପାଳ ଅପିଲ୍‌ କରିଛନ୍ତି।

Comment