ଓଡ଼ିଶାଲାଇଭ୍‌ ବ୍ୟୁରୋ  ଜିଲ୍ଲା ପ୍ରଶାସନ ପକ୍ଷରୁ ‘ମୋ କଟକ ବାଲିଯାତ୍ରା ରିକ୍ସା’ ଯୋଜନା। ଏଥର ବାଲିଯାତ୍ରାରେ ନିଅନ୍ତୁ କଟକି ରିକ୍ସାର ନିଆରା ଅନୁଭୂତି।

ଐତିହାସିକ କଟକ ବାଲିଯାତ୍ରାକୁ ଆହୁରି ଲୋକପ୍ରିୟ ଓ ସୁନ୍ଦର କରିବାକୁ ଜିଲ୍ଲା ପ୍ରଶାସନ ‘ମୋ କଟକ ବାଲିଯାତ୍ରା ରିକ୍ସା’ ଯୋଜନା ଆରମ୍ଭ କରିବାକୁ ଯାଉଛି। ଏହି ନୂଆ ଯୋଜନାରେ କଟକ ସହରର ବଛା ବଛା ରିକ୍ସା ଚାଳକଙ୍କୁ ସାମିଲ କରାଯିବ। ସେମାନଙ୍କୁ ପ୍ରଶିକ୍ଷଣ ଦିଆଯାଇ ଜିଲ୍ଲା ପ୍ରଶାସନ ପରିଚୟ ପତ୍ର ଓ ସ୍ୱତନ୍ତ୍ର ପୋଷାକ ଦେବ। ଫଳରେ କଟକ ବାଲିଯାତ୍ରାକୁ ରାଜ୍ୟର ବିଭିନ୍ନ ଅଞ୍ଚଳ ତଥା ରାଜ୍ୟ ବାହାରୁ ଆସୁଥିବା ଦୋଖଣାହାରୀ କଟକି ରିକ୍ସାର ନିଆରା ଅନୁଭୂତି ନେଇ ପାରିବେ।

ବାଲିଯାତ୍ରା ସମୟରେ କଟକ ସହରର ଏବଂ ସହର ବାହାରୁ ହଜାର ହଜାର ସଂଖ୍ୟାରେ ଗାଡ଼ି ମଟର ମେଳା ଅଂଚଳକୁ ଆସିଥାଏ। ଏହା ପ୍ରଦୂଷଣ ବହୁ ମାତ୍ରାରେ ସୃଷ୍ଟି କରିବା ସହିତ ସହରରେ ଟ୍ରାଫିକ ସମସ୍ୟା ସୃଷ୍ଟି କରିଥାଏ। ତେଣୁ ବାଲିଯାତ୍ରା ଦେଖିବାକୁ କଟକ ଆସୁଥିବା ଲୋକଙ୍କୁ ମୋ କଟକ ବାଲିଯାତ୍ରା ରିକ୍ସାରେ ଆସି ବାଲିଯାତ୍ରା ବୁଲିବାକୁ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନି କହିଛନ୍ତି।

ଜିଲ୍ଲାପାଳ କହିଛନ୍ତି, “ରିକ୍ସା ଚାଳକମାନେ ଯେପରି ଅତିଥିମାନଙ୍କୁ ଭଲ ବ୍ୟବହାର ଦେଖାଇବେ ସେ ନେଇ ସେମାନଙ୍କୁ ସଚେତନ କରାଯିବ। ଏଥିସହିତ ରିକ୍ସାର ଭଡ଼ାକୁ ନେଇ ଏକ ଖସଡ଼ା ପ୍ରସ୍ତୁତ କରାଯିବ। ଏହା ଫଳରେ ବାଲିଯାତ୍ରା ବୁଲିବାକୁ ଆସୁଥିବା ଲୋକମାନେ ସହଜରେ ଓ ସଠିକ ଭଡ଼ାରେ ମୋ ବାଲିଯାତ୍ରା ରିକ୍ସାରେ ଯାଆସ କରି ପାରିବେ।”

କିଛି ବର୍ଷ ତଳେ ରିକ୍ସାକୁ ହିଁ କଟକ ସହର ମଧ୍ୟରେ ଗମନାଗମନର ଲାଇଫ ଲାଇନ ଭାବେ କାମ କରୁଥିଲା। ଗାଡ଼ିମଟର ଅଧିକ ଚାଲିବାରୁ ଧୀରେ ଧୀରେ ରିକ୍ସାର ଆଦର ଟିକେ କମିବାକୁ ଲାଗିଛି। ଫଳରେ ରିକ୍ସା ଚଳାଇ ପରିବାର ଚଳାଉଥିବା ଲୋକଙ୍କର ରୋଜଗାର କମିଯାଇଛି। ତେବେ ବାଲିଯାତ୍ରାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମୋ କଟକ ବାଲିଯାତ୍ରା ରିକ୍ସା ଯୋଜନା ଦ୍ୱାରା କଟକ ସହରର ରିକ୍ସା ଚାଳକମାନଙ୍କୁ ଏକ ପରିଚୟ ଦେବା ସହିତ ରୋଜଗାର କରିବାର ବାଟ ଦେଖାଇବ ବୋଲି ଆଶା କରାଯାଉଛି।

ଚଳିତବର୍ଷ ନଭେମ୍ବର ୧୨ ତାରିଖରୁ ଐତିହାସିକ କଟକ ବାଲିଯାତ୍ରା ହେବାକୁ ଯାଉଛି। ୮ ଦିନ ଧରି ଉଭୟ ଉପର ଓ ନଦୀପଠା ବାଲିଯାତ୍ରା ପଡ଼ିଆରେ ଏହା ଅନୁଷ୍ଠିତ ହେବ।

Comment