ଓଡ଼ିଶାଲାଇଭ୍ ବ୍ୟୁରୋ

ଦୀପାବଳି ରାତିରେ ରାଜଧାନୀ ଭୁବନେଶ୍ୱରରେ ଫିଲ୍ମ ଷ୍ଟାଇଲରେ ଘଟିଥିଲା ଜଘନ୍ୟ ହତ୍ୟାକାଣ୍ଡ। ଏହି ହତ୍ୟାକାଣ୍ଡ ପୋଲିସ ଆଖିରୁ ନିଦ ହଜାଇ ଦେଇଛି। ଏୟାରଫିଲ୍ଡ ଥାନା ଅଞ୍ଚଳରେ ଜଣେ ଯୁବକଙ୍କୁ ୧୦ରୁ ୧୫ ଜଣ ଯୁବକ ଗୋଡ଼େଇ ଗୋଡ଼େଇ ପିଟି ହତ୍ୟା କରିବା ଘଟଣାରେ ପୋଲିସ ତତ୍ପର ହୋଇ ଉଠିଛି। ଅଭିଯୁକ୍ତଙ୍କୁ ଧରିବା ପାଇଁ କମିସନରେଟ୍‌ ପୋଲିସ ସ୍ପେଶାଲ ସ୍କ୍ୱାଡ୍‌ ଗଠନ କରିଛି।

ଦୀପାବଳି ରାତିରେ ଘଟିଥିବା ହତ୍ୟାକାଣ୍ଡକୁ ନେଇ ଏୟାରଫିଲ୍ଡ ଥାନାରେ ଆଜି ବସିଥିଲା ବୈଠକ। ଏହି ବୈଠକରେ ପୋଲସ କମିସନର ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀଙ୍କ ସମେତ ଅତିରିକ୍ତ କମିସନର, ଡିସିପି, ଏସିପି ଉପସ୍ଥିତ ଥିଲେ। ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ପୋଲିସ ସ୍ପେଶାଲ ସ୍କ୍ୱାଡ୍‌ ଗଠନ କରିଥିବା ଜଣାପଡ଼ିଛି।

ମୁଖ୍ୟ କଥା ହେଉଛି ଏହି ହତ୍ୟାକାଣ୍ଡର ଦୁଇ ଅଭିଯୁକ୍ତଙ୍କ ସୁରାକ୍‌ ପାଇଛି କମିସନରେଟ୍‌ ପୋଲିସ। ସେମାନେ ହେଲେ ଶଙ୍କର ବସ୍ତିଆ ଏବଂ ରାଘବ ବାରିକ। ଏହି ଦୁଇ ଅଭିଯୁକ୍ତଙ୍କୁ ଢାଲ କରି ପୋଲିସ ଅନ୍ୟ ଅଭିଯୁକ୍ତଙ୍କ ପାଖରେ ପହଞ୍ଚିବାକୁ ଚାହୁଁଛି। ଏଣୁ ଏହି ଦୁଇ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ଜାଲ ବିଛାଇଛି।

ଦୀପାବଳି ରାତିରେ ଅମରେଶ ନାୟକ ସାଙ୍ଗମାନଙ୍କ ସହ ମିଶି ଭୋଜି କରିବା ସହ ବାଣ ଫୁଟାଉଥିଲେ। ବାଣରୁ ନିଆଁ ଛିଟ୍‌କି ରାସ୍ତାରେ ଯାଉଥିବା କିଛି ଯୁବକଙ୍କ ଉପରେ ପଡ଼ିଥିଲା। ଏହାକୁ ନେଇ ଆରମ୍ଭ ହୋଇଥିଲା ତୁମୁଳକାଣ୍ଡ।

୧୦ରୁ ୧୫ ଜଣ ଯୁବକ ଅମରେଶଙ୍କୁ ଗୋଡ଼େ ଗୋଡ଼େଇ ରାସ୍ତାରେ ପିଟିଥିଲେ। ଫଳରେ ଅମରେଶ ଲହୁ ଲୁହାଣ ହୋଇ ରାସ୍ତାରେ ପଡ଼ି ଯାଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ନେଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଏୟାରଫିଲ୍ଡ ଥାନାର ୪୦୦ ମିଟର ଦୂରରେ ଏଭଳି ଜଘନ୍ୟ କାଣ୍ଡ ଘଟିଥିବାରୁ କମିସନରେଟ୍‌ ପୋଲିସ ପାଇଁ ଚାଲେଞ୍ଜ ସୃଷ୍ଟି କରିଥିଲା। ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ଜାଲ ବିଛାଇଥିଲା।

LEAVE A REPLY

Please enter your comment!
Please enter your name here