ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ନବଗଠିତ ଜାମ୍ମୁ କାଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳର ଉପରାଜ୍ୟପାଳ ଭାବେ ୧୯୮୫ ବ୍ୟାଚର ଆଇଏଏସ୍‌ ଅଫିସର ଗିରିଶ ଚନ୍ଦ୍ର ମୁର୍ମୁ ନିଯୁକ୍ତି ପାଇବା ପରେ ମୟୁରଭଞ୍ଜ ଜିଲ୍ଲା ପୁଣି ଥରେ ଚର୍ଚ୍ଚାର ପରିସର ଭିତରକୁ ଆସିଛି। ବେତନଟିରୁ ଶ୍ରୀନଗର ଗିରିଶ ମୁର୍ମୁଙ୍କ ପାଇଁ ଏକ ଲମ୍ବା ଯାତ୍ରା କହିଲେ ଅତିରଞ୍ଜିତ ହେବନାହିଁ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁର୍ମୁଙ୍କୁ ଏହି ପଦ ପାଇଁ ବାଛିବା ପଛରେ ଏକ ବିଶ୍ୱସନୀୟତା ରହିଛି ଓ ଏକ ପ୍ରକାର ଆପଣାପଣ କାମ କରିଛି ବୋଲି ଧରିନେବାକୁ ହେବ। ଯେତେବେଳେ ମୋଦୀ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ ମୁର୍ମୁ ଥିଲେ ତାଙ୍କ ପ୍ରମୁଖ ସଚିବ। ବ୍ୟକ୍ତିଗତ ସଚିବ ଥିବା ଦୃଷ୍ଟିରୁ ସ୍ୱାଭାବିକ ଭାବରେ ଉଭୟଙ୍କ ଭିତରେ ସମ୍ପର୍କ ଆହୁରି ନିବିଡ଼ ହୋଇଥିବ!

ଉତ୍କଳ ବିଶ୍ଵବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିବା ପରେ ମୁର୍ମୁ ବର୍ମିଂହମ୍ ବିଶ୍ୱବିଦ୍ୟାଳୟରୁ ଏମବିଏ କରିଥିଲେ। ଆସନ୍ତା ମାସ ୨୧ ତାରିଖରେ ତାଙ୍କୁ ୬୦ ଚାଲିବ। ଛଅ ଭାଇ ଓ ଦୁଇ ଭଉଣୀଙ୍କ ଭିତରେ ଗିରିଶ ମୁର୍ମୁ ହେଉଛନ୍ତି ସବା ବଡ଼। ତାଙ୍କର ଜଣେ ଭାଇ ଶିରିଶ ମୁର୍ମୁ ରିଜର୍ଭ ବ୍ୟାଙ୍କର ସିଜିଏମ ଅଛନ୍ତି। ଅନ୍ୟ ଜଣେ ଶିବ ଶଙ୍କର ମୁର୍ମୁ ଭାରତୀୟ ରେଳ ଟ୍ରାଫିକ ସେବାର ଅଧିକାରୀ ଓ ମହିଶୂରରେ କାର୍ଯ୍ୟରତ। ତୃତୀୟ ଭାଇ ମନୋଜ ରାଜ୍ୟ ସରକାରଙ୍କ ଜଣେ କର୍ମଚାରୀ। ବାକି ଦୁଇ ଭାଇ ଚାଷ କରନ୍ତି। ଗିରିଶ ମୁର୍ମୁଙ୍କ ଦୁଇଟି ଯାକ ଭଉଣୀ ବାସନ୍ତି ଓ ସାବିତ୍ରୀ ଶିକ୍ଷକତା କରୁଛନ୍ତି। ଗିରିଶଙ୍କ ବାପା ଯିଏ ଜଣେ ରେଳ କର୍ମଚାରୀ ଥିଲେ ଗତ ବର୍ଷ ପ୍ରାଣତ୍ୟାଗ କରିଥିଲେ।

ଗିରିଶ ଚନ୍ଦ୍ର ମୁର୍ମୁ ଜାମ୍ମୁ କାଶ୍ମୀର ୟୁଟିର ଉପରାଜ୍ୟପାଳ ନିଯୁକ୍ତ ହେବା ପୂର୍ବରୁ ସେହି ମୟୁରଭଞ୍ଜ ଜିଲ୍ଲାର ଦ୍ରୌପଦୀ ମୁର୍ମୁ ଝାଡ଼ଖଣ୍ଡ ରାଜ୍ୟପାଳ ଭାବରେ ନିଯୁକ୍ତ ହୋଇଥିଲେ। ଉଭୟଙ୍କୁ ଏହିଭଳି ଉଚ୍ଚ ପଦବୀ ମିଳିବା ପଛରେ ବିଜେପି ଓ ମୋଦୀ ସରକାରଙ୍କର ବଦାନ୍ୟତାକୁ ଅସ୍ୱୀକାର କରି ହେବ ନାହିଁ। ଉଭୟଙ୍କ ଉଚ୍ଚ ପଦବୀ ଗ୍ରହଣ ଦେଶର ରାଜନୀତିରେ ଓଡ଼ିଶାର ମୁର୍ମୁମାନଙ୍କ ଦବଦବାର ସ୍ପଷ୍ଟ ପ୍ରମାଣ ଦେଉଛି।

Comment