ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ସବୁବେଳେ ନିଜର ଖାସ ଅନ୍ଦାଜର ବ୍ୟାଟିଂ ପାଇଁ ପରିଚିତ। ବିଶ୍ୱର ଜଣେ ଶ୍ରେଷ୍ଠ କ୍ରିକେଟର ଭାବେ ସେ ନିଜକୁ ପ୍ରମାଣିତ କରିସାରିଛନ୍ତି। ତେବେ ତାଙ୍କର ଏହି ସଫଳତା ପଛରେ ତାଙ୍କର ବାପାଙ୍କର ହାତ ରହିଛି ବୋଲି କୋହଲି ସବୁବେଳେ କହିଥାନ୍ତି।

୨୦୦୬ ମସିହା, ସେ ସମୟରେ କୋହଲି ଦିଲ୍ଲୀ ପକ୍ଷରୁ ରଣଜୀ ଟ୍ରଫି ଖେଳୁଥାନ୍ତି। କର୍ଣ୍ଣାଟକ ବିପକ୍ଷ ଏକ ଚାରିଦିନିଆ ଟେଷ୍ଟରେ ସେ ଦଳ ପକ୍ଷରୁ ବ୍ୟାଟିଂ କରୁଥାନ୍ତି। ଗୋଟିଏ ଦିନ ଶେଷ ସୁଦ୍ଧା ସେ ଅପରାଜିତ ରହିବା କାରଣରୁ ଆଗାମୀ ଦିନ ସକାଳୁ ମଧ୍ୟ ତାଙ୍କୁ ବ୍ୟାଟିଂ କରିବାର ଥିଲା।

ସେହିଦିନ ରାତିରେ ହିଁ ତାଙ୍କ ବାପାଙ୍କ ଆକସ୍ମିକ ଭାବେ ମୃତ୍ୟୁ ଘଟିଥିଲା। କୋହଲି ସେ ସମୟରେ କ’ଣ କରିବେ କିଛି ଜାଣିପାରୁନଥିଲେ ବୋଲି ଏକ ସାକ୍ଷାତକାରରେ କହିଥିଲେ। ଜଣେ ସଫଳ କ୍ରିକେଟର ହେବା ପୂର୍ବରୁ କୋହଲି ନିଜ ବାପାଙ୍କୁ ହରାଇ ବସିଥିଲେ।

ବାପାଙ୍କ ମୃତ୍ୟୁପରେ ସେଦିନ ସକାଳୁ ସେ ତାଙ୍କର କୋଚଙ୍କୁ ଫୋନ୍ କରି ତାଙ୍କ ବାପାଙ୍କ ମୃତ୍ୟୁ ବିଷୟରେ ଜଣାଇଥିଲେ। କୋଚ୍ ମଧ୍ୟ ତାଙ୍କୁ ରହିଯିବାକୁ କହିଥିଲେ କିନ୍ତୁ ଅଧା ମ୍ୟାଚରୁ ରହିବା କୋହଲିଙ୍କୁ ଉଚିତ୍ ଲାଗିନଥିଲା। ତେଣୁ ସେ ଏହି ମ୍ୟାଚରେ  ଟିମ୍ ସହ ରହିବେ ବୋଲି ତାଙ୍କର କୋଚଙ୍କୁ କହିଥିଲେ।

ଏହାପରେ ସେହିଦିନ ସେ ମ୍ୟାଚରେ ବ୍ୟାଟିଂ କରି ୯୦ରନ୍ କରିଥିଲେ। ସେ ସମୟରେ ତାଙ୍କର ଏହି କାର୍ଯ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ସାଥୀ ଖେଳାଳିମାନେ ବିରାଟଙ୍କୁ ସାନ୍ତ୍ୱନା ଦେବାକୁ ଚେଷ୍ଟା କରିଥିଲେ। ଏହା ତାଙ୍କ ସୁବୁଠାରୁ କଷ୍ଟକର ସମୟ ଥିଲା ବୋଲି ସେ କହିଥାନ୍ତି।

ଏହି ଘଟଣା ତାଙ୍କ ଜୀବନର ଗତିପଥକୁ ପରିବର୍ତ୍ତନ କରିଦେଇଥିଲା। ଏହି ଘଟଣା ପରେ ସେ ୨୦୦୮ ମସିହାରେ ଭାରତୀୟ ଦଳରେ ସାମିଲ ହୋଇଥିଲେ। ଯାହାକି ତାଙ୍କ ବାପାଙ୍କ ସ୍ୱପ୍ନ ଥିଲା।

ବର୍ତ୍ତମାନ କୋହଲିଙ୍କୁ ଭାରତୀୟ ଟିମର ମେରୁଦଣ୍ଡ ବୋଲି କୁହାଯାଏ। ତାଙ୍କର ବ୍ୟାଟିଂ ସହ ବିଚକ୍ଷଣ ନେତୃତ୍ୱ ଆଜି ଟେଷ୍ଟରେ ଟିମ୍ ଇଣ୍ଡିଆକୁ ନମ୍ବର ୱାନ୍ କରିପାରିଛି।

LEAVE A REPLY

Please enter your comment!
Please enter your name here