ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦ୍ଵିତୀୟ ଦିନରେ ପହଞ୍ଚିଛି ‘ଅଞ୍ଜଳି ଶିଶୁ ଓ ଯୁବ ମହୋତ୍ସବ’। ଶୁକ୍ରବାର ସନ୍ଧ୍ୟାରେ ମୁଖ୍ୟ ଅତିଥିଭାବେ ଉଦ୍ୟୋଗପତି ଦେବାଶିଷ ପଟ୍ଟନାୟକ। ସମ୍ମାନିତ ଅତିଥି ଭାବେ ସିୱାଇଏସଡିର ପ୍ରତିଷ୍ଠାତା ଜଗଦାନନ୍ଦ, ସିନେ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି, ଓଲିଉଡ ଅଭିନେତା ତଥା ମୋ କଲେଜର ଚେୟାରମ୍ୟାନ୍‌ ଆକାଶ ଦାସ ନାୟକ ଯୋଗଦେଇଥିଲେ।

ଏହି ଅବସରରେ ଆକାଶ ଦାସ ନାୟକ କହିଛନ୍ତି, “ଅଞ୍ଜଳି ଏବେ ସାରା ଦେଶର ପରିଚୟ ହୋଇଛି। ଶ୍ରୁତି ମ୍ୟାଡାମ ମୋ ପାଇଁ ରୋଲ ମଡେଲ।“

‘ଅଞ୍ଜଳି ଶିଶୁ ଓ ଯୁବ ମହୋତ୍ସବ’ର ଦ୍ୱିତୀୟ ଦିନରେ ରାଜ୍ୟ ତଥା ରାଜ୍ୟ ବାହାରର ପିଲାଙ୍କୁ ନେଇ ବିଭିନ୍ନ ପ୍ରକାର କର୍ମଶାଳା ଆୟୋଜିତ ହୋଇଥିଲା। ବିଭିନ୍ନ ପ୍ରଶିକ୍ଷକଙ୍କ ଦ୍ୱାରା ଯୋଗ, ମୃତ୍ତିକା କଳା, ନାଚ-ଗୀତ, ଅଭିନୟ ଆଦି କର୍ମଶାଳାର ଆୟୋଜନ କରାଯାଇଥିଲା। ଯୋଗ କର୍ମଶାଳାରେ ପ୍ରଶିକ୍ଷକ ପିଲାଙ୍କୁ ବୁଦ୍ଧମୁଦ୍ରା, ଓଲମବିଲମ ଓ ବିଭିନ୍ନ ପ୍ରକାର ପ୍ରାଣାୟମ ଶିକ୍ଷା ଦେଇଥିଲେ।

ମୃତ୍ତିକା କଳାରେ ପ୍ରଶିକ୍ଷକ ଅଜୟ ପ୍ରତାପ ଜଗଦେବ ରହିଥିବା ବେଳେ ପେପର କ୍ରାଫ୍ଟିଂରେ ଅବିନାଶ ଦେହୁରୀ, ସଙ୍ଗୀତରେ ସନ୍ତୋଷ ନାୟକ, ଥିଏଟରରେ ଅନୁରାଧା ମିଶ୍ର ଦିବ୍ୟାଙ୍ଗ ପିଲାଙ୍କୁ ପ୍ରଶିକ୍ଷଣ ଦେଇଥିଲେ। ବିଶିଷ୍ଟ ଓଡ଼ିଶୀ ନୃତ୍ୟଗୁରୁ ଶାଶ୍ୱତ ଯୋଶୀ ଦିବ୍ୟାଙ୍ଗ ପିଲାଙ୍କୁ ନୃତ୍ୟ ଶିଖାଇଥିଲେ।

ପୂର୍ବାହ୍ନ ସମୟରେ ଭୁବନେଶ୍ୱରର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ଏକ ଫ୍ୟାନ୍ସି ଡ୍ରେସ୍ ପ୍ରତିଯୋଗୀତା ଆୟୋଜିତ ହୋଇଥିଲା। ଏହି ପ୍ରତିଯୋଗୀତାରେ ମଦର ପବ୍ଲିକ୍ ସ୍କୁଲ୍ର ଛାତ୍ର ମିଲନ ମହାନ୍ତି ଜଳବାୟୁ ପରିବର୍ତ୍ତନ ଉପରେ ନିଜର କଳା ପ୍ରଦର୍ଶନ କରି ପ୍ରଥମ ସ୍ଥାନ ଗ୍ରହଣ କରିଥିଲେ। ଏହା ସହ ସ୍କୁଲ୍ ଡ୍ୟାନ୍ସ ପ୍ରତିଯୋଗୀତୀରେ ବିଜେୟେମ ପ୍ରଥମ, ତ୍ରୀପୁରା ଟିମ ଦ୍ଵିତୀୟ ଏବଂ ଜାର୍ଭିୟର ଖଣ୍ଡଗିରି ଓ ତକ୍ଷଶିଳା ସ୍କୁଲ ତୃତୀୟ ସ୍ଥାନ ଅଧିକାର କରିଥିଲେ।

ଏହାସହ ବାଂଲାଦେଶ, ନାଗାଲାଣ୍ଡ ଓ ତ୍ରିପୁରା ଟିମକୁ ଜୁରି ଆୱାର୍ଡ ପ୍ରଦାନ କରାଯାଇଥିଲା। ସେହିପରି ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟରେ ପ୍ୟାନେଲ ଆଲୋଚନାଚକ୍ର ହୋଇଥିଲା। ଏଥିରେ ‘ଦେଶର ପ୍ରମୁଖ ସ୍ମାର୍ଟସିଟି ଭିନ୍ନକ୍ଷମଙ୍କ ଉପଯୋଗୀ କି ନୁହେଁ’ ବିଷୟବସ୍ତୁ ଉପରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା।

ବିଶ୍ୱବିଦ୍ୟାଳୟର ପ୍ରଫେସର ସନ୍ତୋଷ ମିଶ୍ର ଦେଶରେ ପରିବହନ ଓ ଯୋଗାଯୋଗ କ୍ଷେତ୍ରରେ ଦିବ୍ୟାଙ୍ଗମାନେ କିଭଳି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସେ ସମ୍ପର୍କରେ ଆଲୋଚନା କରିଥିଲେ। ଅନ୍ୟପଟେ ‘ଅଞ୍ଜଳି’ର ଦ୍ୱିତୀୟ ଦିନରେ ଇଦ୍ ପର୍ବ ପାଳନ ହୋଇଥିଲା। ଏଥିରେ ମୁଖ୍ୟଅତିଥି ଭାବେ ଓଡ଼ିଆ ଅଭିନେତ୍ରୀ ଉଷଶୀ ମିଶ୍ର ଯୋଗ ଦେଇଥିବା ବେଳେ ‘ଅଞ୍ଜଳି’ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡକ୍ଟର ଶ୍ରୁତି ମହାପାତ୍ର ମଧ୍ୟ ଉପସ୍ଥିତ ଥିଲେ।

Comment