ଓଡ଼ିଶାଲାଇଭ୍‌ ବ୍ୟୁରୋ

ବୁଲ୍‌ବୁଲ୍ ସାମୁଦ୍ରିକ ଝଡରେ ଧ୍ଵସ୍ଥବିଧ୍ଵସ୍ଥ କେନ୍ଦ୍ରାପଡ଼ା ଜିଲ୍ଲାର କ୍ଷୟକ୍ଷତି ଆକଳନ କରିବା ପାଇଁ କେନ୍ଦ୍ରାପଡା ଜିଲ୍ଲାରେ ପହଞ୍ଚିଛନ୍ତି କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଦଳ। କେନ୍ଦ୍ର ଘରୋଇ ବିଭାଗର ଯୁଗ୍ମ ସଚିବ ସହେଲି ଘୋଷ୍ ରାୟଙ୍କ ଅଧ୍ୟକ୍ଷତାରେ ଏକ ୩ ଜଣିଆ ଦଳ ପୂର୍ବାହ୍ନ ୯ଟା ୧୦ ମିନିଟରୁ ୧୨ଟା ୩୦ ମିନିଟ୍ ପର୍ଯ୍ୟନ୍ତ ଜିଲ୍ଲାର ରାଜନଗର ବ୍ଲକର ତାଳଚୂଆ, ରଙ୍ଗଣୀ, ବାଘମାରୀ ଓ କେରୁଆପାଳ ପଞ୍ଚାୟତର ବିଭିନ୍ନ ଝଡ କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିଥିଲେ।

ଏମାନଙ୍କ ସହିତ କେନ୍ଦ୍ରାପଡା ଜିଲ୍ଲାପାଳ ସମର୍ଥ ବର୍ମା, ଜିଲ୍ଲାର ବରିଷ୍ଠ ଅଧିକାରୀ ଗଣ, କୃଷି, ମତ୍ସ୍ୟ ଓ ବିଦ୍ୟୁତ ବିଭାଗର ମୁଖ୍ୟମାନେ ଉପସ୍ଥିତ ରହିଥିଲେ। ଏହି ପର୍ଯ୍ୟବେକ୍ଷକମାନଙ୍କୁ ରାସ୍ତା ଧାନ ଚାଷୀମାନେ ସେମାନଙ୍କର ଉଜୁଡା ଧାନକ୍ଷେତର ପଚାସଢା ଧାନ ଗଛ ଦେଖାଇଥିଲେ। ଏମାନେ ମୁଖ୍ୟତଃ ବୁଲ୍‌ବୁଲ୍‌ରେ କ୍ଷତିଗ୍ରସ୍ତ ହୋଇଥିବା ଭଙ୍ଗା ଚାଳଛପର ବାସଗୃହ, ବିଦ୍ୟାଳୟ ଗୃହ, ପଚି ଯାଇଥିବା ଧାନ ଫସଲ ବୁଲି ଦେଖିଥିଲେ।

ଏହି ପ୍ରତିନିଧି ଦଳ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନଙ୍କ ସହିତ ଜିଲ୍ଲାର ଅନ୍ୟ ସବୁ ଅଞ୍ଚଳର କ୍ଷୟକ୍ଷତି ସମ୍ପର୍କରେ ଆଲୋଚନାକରି ଫେରିଯାଇଛନ୍ତି। କେନ୍ଦ୍ରାପଡା ଜିଲ୍ଲାରୁ ଏମାନେ ଫେରି ଭୂବନେଶ୍ୱରରେ ରାଜ୍ୟ ସରକାରଙ୍କ ସହିତ ଆଲୋଚନାକରି ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି। ଜିଲ୍ଲାର ସମସ୍ତ ବାତ୍ୟା କ୍ଷୟକ୍ଷତିର ଏକ ବିସ୍ତୃତ ରିପୋର୍ଟ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରିବେ ବୋଲି ଜଣାପଡିଛି।

Comment