ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାଲିଯାତ୍ରା ବୁଲା ସାଙ୍ଗକୁ ଜମୁଛି କିଣାକିଣି। ଲୋକଙ୍କର ପ୍ରଥମ ପସନ୍ଦ କାଗଜ ତିଆରି ଘରକଣା ଜିନିଷ।

କାଠ,କାଚ, ମାଟି କିମ୍ଵା ଅଲଗା ଧାତୁରେ ଘରକରଣା ଜିନିଷ ତିଆରି ହେବ କଥା ଶୁଣିଥିବେ। ହେଲେ କେବେ କାଗଜରେ ତିଆରି ହୋଇଥିବା ଘରକରଣା ଜିନିଷ କଥା ଶୁଣି ନଥିବେ। ଆଶ୍ଚର୍ଯ୍ୟ ଲଗୁଥିଲେ ବି ସତ। କାଗଜରେ ବିଭିନ୍ନ ଫୁଲକୁଣ୍ଡ, ଚାବି ଷ୍ଟାଣ୍ଡ, ପେନ୍‌ ଷ୍ଟାଣ୍ଡ, କାନ୍ଥରେ ଲଗାଇବା ପାଇଁ ଭଇଭିନ୍ନ ଠାକୁରଙ୍କ ମୃତ୍ତି ଆଦି ସୁନ୍ଦର ସୁନ୍ଦର ଜିନିଷ ତିଆରି କରି ଲୋକଙ୍କୁ ଆକର୍ଷିତ କରୁଛନ୍ତି ଜ୍ୟୋତି ସ୍ଵୟଂ ସହାୟକ ଗୋଷ୍ଠୀର କର୍ମକର୍ତ୍ତା।

ସନ୍ଧ୍ୟା ହଉହଉ ବାଲିଯାତ୍ରାରେ ବଢ଼ି ଚାଲୁଛି ଲୋକଙ୍କ ଗହଳି। ଏହା ମଧ୍ୟରେ ପଲ୍ଲିଶ୍ରୀ ମେଳାରେ ମଧ୍ୟ ନାହିଁ ନଥିବା ଭିଡ଼। ନାବାର୍ଡ ଦ୍ଵାରା ପଡ଼ିଥିବା ପଲ୍ଲିଶ୍ରୀମେଳାର ପ୍ରାୟ ୧୫୦ ଷ୍ଟଲ ପଡ଼ିଛି। ଯାହା ମଧ୍ୟରେ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି କାଗଜରେ ତିଆରି ଆକର୍ଷଣିୟ ଘରକରଣା ଜିନିଷ।

ଏହାକୁ ତିଆରି କରିଛନ୍ତି କେନ୍ଦୁଝର ଜିଲ୍ଲା, ବାରି ଗାଁ ଅନ୍ତର୍ଗତ ଶାଳପଡ଼ାର ଜ୍ୟୋତି ସ୍ଵଂୟ ସହାୟକ ଗୋଷ୍ଠୀର ମହିଳାମାନେ। ନିଜର କଳାକୃତିକୁ କେବଳ ବାଲିଯାତ୍ରା ନୁହେଁ ଓଡ଼ିଶାର ବିଭିନ୍ନ ମେଳାରେ ଯାଇ ବିକ୍ରି କରିଥାନ୍ତି। ଓଡ଼ିଶା ଛଡ଼ା ରାଜ୍ୟ ବାହାରକୁ ମଧ୍ୟ ଜ୍ୟୋତି ସ୍ଵଂୟ ସହାୟକ ଗୋଷ୍ଠୀ ତରଫରୁ ଏହି ଷ୍ଟଲ ପଡ଼ିଥାଏ।

ଏହି କାଗଜ ତିଆରି ଘରକରଣା ଜିନିଷର ଦାମ୍‌ ୫୦ରୁ ଆରମ୍ଭ କରି ୮ ହଜାର ପର୍ଯ୍ୟନ୍ତ ରହିଛି। କାଗଜକୁ ଗୁଣ୍ଡ କରି ତେନ୍ତୁଳି ଅଠା ଦ୍ଵାରା ଏହି କାରୁ କାର୍ଯ୍ୟ କରାଯାଉଛି। ଠାକୁର ମୃତ୍ତି ପାଇଁ ଏହାର ଏକ ଛାଞ୍ଚ ମଧ୍ୟ ରହିଛି। ତେବେ ଭିନ୍ନ କରି ତିଆରି ହେଉଥିବା ଏହି ଜିନିଷ ପାଇଁ ଲୋକମାନେ ଅଦିକ ଆକର୍ଷିତ ହେଉଛନ୍ତି।

ଏନେଇ ଷ୍ଟଲରେ ବସିଥିବା ସ୍ଵଂୟ ସହାୟକ ଗୋଷ୍ଠୀର କର୍ମକର୍ତ୍ତା ଶଶିକାନ୍ତ ଜେନା କହିଛନ୍ତି, “ବହୁତ ବର୍ଷ ହେଇଗଲାଣି ବାଲିଯାତ୍ରାରେ ଆମର ଷ୍ଟଲ ପଡୁଛି। ଲୋକମାନେ ଆମ ଜିନିଷକୁ ବହୁତ ପସନ୍ଦ କରନ୍ତି। ଏବର୍ଷ ବହୁତ ବିକ୍ରି ହେଇଛି ସେଥିପାଇଁ ୩ ଥର ମାଲ୍‌ ମଗେଇବାକୁ ପଡ଼ିଛି।”

Comment