ଓଡ଼ିଶାଲାଇଭ୍ ବ୍ୟୁରୋ

ଲୋକସଭାରେ ମାଙ୍କଡ଼ ଉପଦ୍ରବକୁ ନେଇ ଗୁରୁବାର ଘମାଘୋଟ ଆଲୋଚନା ହୋଇଛି। ମଥୁରା ଓ ଦିଲ୍ଲୀରେ ମାଙ୍କଡ଼ ଉପଦ୍ରବ ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି ବୋଲି ସାଂସଦମାନେ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ବଲିଉଡ ଅଭିନେତ୍ରୀ ତଥା ମଥୁରା ସାଂସଦ ହେମାମାଳିନୀ ପ୍ରଥମେ ଏହି ପ୍ରସଙ୍ଗ ଉଠାଇଥିଲେ। ସେ କହିଲେ ଯେ ଏହି ଉପଦ୍ରବ ଓ ଆକ୍ରମଣ ଯୋଗୁଁ ଅନେକ ଲୋକ ପ୍ରାଣ ହରାଇଛନ୍ତି। ଏଣୁ ସରକାରଙ୍କ ହସ୍ତକ୍ଷେପ ସେ ଲୋଡ଼ିଥିଲେ।

ହେମାଙ୍କ ବ୍ୟତୀତ ଅନ୍ୟ ଦଳର ସାଂସଦ ମଧ୍ୟ ଏହି ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ଯାଇ ଏହା ଏକ ଗମ୍ଭୀର ସମସ୍ୟା ବୋଲି କହିଥିଲେ। ହେମା କହିଲେ ଯେ ତାଙ୍କ ନିର୍ବାଚନମଣ୍ଡଳୀ ମଥୁରା ଓ ତା’ ପାଖ ବୃନ୍ଦାବନରେ ମାଙ୍କଡ଼ ଆକ୍ରମଣ ଯୋଗୁଁ ବହୁ ଧନଜୀବନ ନଷ୍ଟ ହେଉଛି। ହେମା କହିଲେ ଯେ ଆଖପାଖ ଜଙ୍ଗଲ ନଷ୍ଟ ହେବା ଫଳରେ ମାଙ୍କଡ଼ ସବୁ ସହର ଭିତରକୁ ପଶି ଆସୁଛନ୍ତି।

ତାଛଡ଼ା ମଥୁରା ଓ ବୃନ୍ଦାବନ ଆସୁଥିବା ଶ୍ରଦ୍ଧାଳୁମାନେ ‘କଚୁଡ଼ି ଓ ସିଙ୍ଗଡ଼ା’ ଦେବା ଫଳରେ ମାଙ୍କଡ଼ମାନେ ଏହା ଖାଇ ଅସୁସ୍ଥ ହେବା ସହ ସ୍ଥାନୀୟ ଲୋକଙ୍କୁ ଅତର୍କିତ ଆକ୍ରମଣ  କରୁଛନ୍ତି। ତାଛଡ଼ା ପ୍ରଶାସନ ପକ୍ଷରୁ ମାଙ୍କଡ଼ମାନଙ୍କୁ ‘ଖାସୁ’ କରାଯାଉଥିବା ହେତୁ ସେମାନେ ଉଗ୍ର ଆଚରଣ ପ୍ରଦର୍ଶନ କରୁଛନ୍ତି। ଏହି ଘଟଣାକୁ ହାଲ୍‌କା ଭାବରେ ନନେଇ ସରକାର ଏହାର ସମାଧାନ କରିବା ପାଇଁ ପଦକ୍ଷେପ ନେବା ଦରକାର ବୋଲି ହେମାମାଳିନୀ କହିଥିଲେ।

Comment