ଓଡ଼ିଶାଲାଇଭ୍‌ ବ୍ୟୁରୋ

ପରିବେଶ ପ୍ରଦୂଷଣକୁ ଖାତର ନକରି ଲକ୍ଷ ଲକ୍ଷ ଟ୍ରିପ୍ ବାଲି ଉଠାଇ ନେଲେ ବାଲି ମାଫିଆ ଓ ଠିକାଦାର। କଟକ ଚାନ୍ଦବାଲି ରାସ୍ତା ନିର୍ମାଣ ଲାଗି ଜିଲ୍ଲା ପ୍ରଶାସନ ଠିକାଦାରଙ୍କ ଏପରି ବେଆଇନ କାର୍ଯ୍ୟରେ ଆଖି ବୁଝି ଦେଇଥିଲା। ବ୍ରାହ୍ମଣୀ ନଦୀ ଶଯ୍ୟାରେ ଜଳ ପ୍ରବାହ ପ୍ରାକୃତିକତା ହରାଇଛି ବୋଲି ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ଅନୁଭବ କରିଛନ୍ତି। ବାଲି ମାଫିଆ, ଠିକା କମ୍ପାନୀ ଓ ଜିଲ୍ଲା ପ୍ରଶାସନଙ୍କ ବିରୋଧରେ କଠୋର ହୋଇଛନ୍ତି ଏନଜିଟି।

କେନ୍ଦ୍ରାପଡା ଜିଲ୍ଲା ବ୍ରାହ୍ମଣୀ ନଦୀରୁ ବେଆଇନ ବାଲି ଉଠାଣ ଘଟଣାରେ ଜାତୀୟ ଗ୍ରୀନ ଟ୍ରିବୁନାଲ(ଏନଜିଟି)ଙ୍କ ନିକଟରେ ରାଜ୍ୟ ମୁଖ୍ୟ ସଚିବ ଦାଖଲ କରିଛନ୍ତି ସତ୍ୟପାଠ। କର୍ତ୍ତବ୍ୟରେ ଅବହେଳା ଓ ମିଥ୍ୟା ସତ୍ୟପାଠ ଦାଖଲ କରିଥିବାରୁ କେନ୍ଦ୍ରାପଡା ଜିଲ୍ଲାପାଳ ଓ ଏସପିଙ୍କ ବିରୁଦ୍ଧରେ ଶୃଙ୍ଖଳା ଗତ କାର୍ଯ୍ୟାନୁଷ୍ଠାନ ପାଇଁ ନୋଟିସ ଜାରି କରିଛନ୍ତି। ଏହାସହ ବେଆଇନ ଭାବେ ବାଲି ଖୋଳିଥିବା ଠିକାଦାର ଓ ତାଙ୍କ ପ୍ରକଳ୍ପ ଉପରେ ଏକ କୋଟିରୁ ଅଧିକ ଜରିମାନା ଆଦାୟ କରିବାକୁ ପଦକ୍ଷେପ ନିଆଯାଇଛି ବୋଲି ଜଣାଇଛନ୍ତି ମୁଖ୍ୟ ସଚିବ।

ବ୍ରାହ୍ମଣୀ ନଦୀ ଶଯ୍ୟାରୁ ବେଧଡ଼କ ବାଲି ଉଠାଣ ଦ୍ଵାରା ପରିବେଶ ପ୍ରଦୂଷଣ ଘଟାଇବା ଘଟଣାରେ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲଙ୍କ ନିକଟରେ ମିଥ୍ୟା ସତ୍ୟପାଠ ଦାଖଲ କରିଥିଲେ କେନ୍ଦ୍ରାପଡା ଜିଲ୍ଲା ମାଜିଷ୍ଟ୍ରେଟ ଓ ଏସପି। ଜିଲ୍ଲାର ପ୍ରମୁଖ ଶାସନ କର୍ତ୍ତା ହୋଇ କର୍ତ୍ତବ୍ୟରେ ଅବହେଳା କାରଣରୁ କେନ୍ଦ୍ରାପଡା ଜିଲ୍ଲା ମାଜିଷ୍ଟ୍ରେଟ ଓ ଜିଲ୍ଲା ଏସପିଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଥିଲେ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ୍।

Comment