ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜଧାନୀ ଭୁବନେଶ୍ୱର ଓ କଟକରେ ପିଆଜ ଦର ଆକାଶଛୁଆଁ ହୋଇଛି। ପିଆଜ ରେଟ୍‌ ଆଉ କମିବାର ନାଁ ଧରୁନି। ପିଆଜ ଦର କିଛି ଦିନ ଧରି ୭୦ରୁ ୮୦ ଟଙ୍କାରେ ବିକ୍ରି ହେଉଥିବା ବେଳେ କିଛି ସ୍ଥାନରେ ଏବେ ୯୦ ଟଙ୍କାରେ ବିକ୍ରି ହେଲାଣି।

ଭୁବନେଶ୍ୱର କୁବେରପୁରୀ ବଜାରର ହୋଲସେଲ ବ୍ୟବସାୟୀଙ୍କ କହିବା ଅନୁଯାୟୀ ବର୍ତ୍ତମାନ ପିଆଜ କିଲୋ ପିଛା ଅତି ବେଶୀରେ ୫୦ ଟଙ୍କା ରହିବା କଥା। ଯଦି ଖୁଚୁରା ବ୍ୟବସାୟୀ ୭୦ରୁ ୮୦ ଟଙ୍କାରେ ବିକୁଛନ୍ତି ତାହା ସେମାନଙ୍କ ମନମାନି। ଖୁଚୁରା ବ୍ୟବସାୟୀ ସେମାନଙ୍କ ଦୋକାନ ଆଗରେ ଦର ତାଲିକା ଟାଙ୍ଗିବା କଥା। କିନ୍ତୁ ସେମାନେ ତାହା କରୁନାହାନ୍ତି। ଅଧିକନ୍ତୁ, ଯୋଗାଣ ବିଭାଗର କର୍ମଚାରୀ କୌଣସି ପ୍ରକାର ତଦାରଖ କରୁନଥିବା କାରଣରୁ ବ୍ୟବସାୟୀ ଚଢ଼ା ଦରରେ ପିଆଜ ବିକ୍ରି କରୁଛନ୍ତି।

ଭୁବନେଶ୍ୱରର ଜଣେ ବ୍ୟବସାୟୀ କହିଛନ୍ତି, ‘‘ବର୍ଷା ଓ ବନ୍ୟା ଯୋଗୁଁ ପିଆଜ ନଷ୍ଟ ହୋଇଯାଇଛି। ଏଥିପାଇଁ ନାସିକରେ ପିଆଜ ଖୁବ୍‌ କମ୍‌ ଅଛି। ନାସିକ ବ୍ୟତୀତ ଆନ୍ଧ୍ରପ୍ରଦେଶରୁ ପିଆଜ ଆମଦାନୀ କମିବା ଫଳରେ ସଡ଼ିଶା ବଜାରରେ ପିଆଜ ଦର ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି। ବର୍ତ୍ତମାନ ମାର୍କେଟରେ ୭ରୁ ୮ ପିଆଜ ଗାଡ଼ି ଦରକାର ହେଉଛି। କିନ୍ତୁ ଗାଡ଼ି କମ୍‌ ଆସୁଥିବାରୁ ପିଆଜ ରେଟ୍‌ ବି ବଢ଼ି ବଢ଼ି ଚାଲୁଛି।’’

ଗତ ସେପଟମ୍ବର ମାସଠାରୁ ରାଜ୍ୟରେ ପିଆଜ ଦର ବୃଦ୍ଧି ପାଇଆସିଛି। ମହାରାଷ୍ଟ୍ରର ଧୁଲେ, ଜଲଗାଓଁ, ନଂଦୁର୍ବର ଓ ଅହ୍ମଦନଗର ଆଦି ଜିଲ୍ଲାରେ ବ୍ୟାପକ ପିଆଜ ଚାଷ ହୁଏ। କିନ୍ତୁ ସେଠି ଏବର୍ଷ ଭୀଷଣ ବର୍ଷା ଯୋଗୁଁ ଫସଲ ନଷ୍ଟ ହୋଇଯାଇଥିଲା। ମହାରାଷ୍ଟ୍ରର ଖରିଫ ପିଆଜ ସାଧାରଣତଃ ଦୀପାବଳି ବେଳକୁ ବଜାରକୁ ଆସିଥାଏ ଓ ସେହି ଅନୁସାରେ ଦର ଖସେ। କିନ୍ତୁ ଏବର୍ଷ ତାହାର ବ୍ୟତିକ୍ରମ ଦେଖାଯାଇଛି।

Comment