ଓଡ଼ିଶାଲାଇଭ୍ ବ୍ୟୁରୋ

ବହୁ ଦିନର ବ୍ୟବଧାନ ପରେ ମାଓବାଦୀମାନେ ପୁଣି ଏକାଠି ହେବାରେ ଲାଗିଛନ୍ତି। ବିଶେଷ କରି ଆନ୍ଧ୍ର-ଓଡ଼ିଶା ସୀମାନ୍ତରେ ଗତ କିଛି ଦିନ ଧରି ଏମାନଙ୍କ କାର୍ଯ୍ୟକଳାପରେ ତୀବ୍ରତା ଦେଖାଯାଇଛି। ଏହା ପୋଲିସର ଚିନ୍ତା ବଢାଇଦେଇଛି। ରାୟଗଡ଼ା ଜିଲ୍ଲାର କୋଲନରା, ରାମନାଗୁଡ଼ା ଓ ରାୟଗଡା ବ୍ଳକ ତଥା ବିଜୟନଗରମ ଜିଲ୍ଲାରେ ୨୦ଟି ଗ୍ରାମରେ ଏହି କାର୍ଯ୍ୟକଳାପ ବୃଦ୍ଧି ପାଇଛି। ମାଓବାଦୀମାନେ ଘଞ୍ଚ ଜଙ୍ଗଲ ଓ ପାହାଡ଼ ଅଞ୍ଚଳରେ ଲୁଚି ଛପି କାର୍ଯ୍ୟ ଆରମ୍ଭ କରିଥିବା ଜଣାପଡ଼ିଛି।

ବଂଶଧାରା-ଘୁମୁସର-ନାଗାବଳୀ ଡିଭିଜନର ସ୍ପେସିଆଲ ଜୋନାଲ କମିଟି ଏହି ଅଞ୍ଚଳରେ ଏକାଠି ହେବା ସହ ସେମାନଙ୍କ ସଙ୍ଗଠନକୁ ସୁଦୃଢ଼ କରିବାରେ ଲାଗିଥିବା ଖବର ମିଳିଛି।

ସାତ ବର୍ଷ ତଳେ ଗ୍ରେହାଉଣ୍ଡ ଓ ସ୍ପେସିଆଲ ପ୍ରୋଟେକ୍ସନ ଗ୍ରୁପର ଯବାନମାନେ କମ୍ବିଂ ଅପରେସନ ଆରମ୍ଭ କରିଥିଲେ ଏବଂ ଏହି ଅଭିଯାନରେ ଅନେକ ମାଓବାଦୀ ପ୍ରାଣ ହରାଇଥିଲେ। ପରିସ୍ଥିତି ଏଭଳି ହୋଇଥିଲା ଯେ ବଂଶଧାରା-ଘୁମୁସର-ନାଗାବଳୀ ଡିଭିଜନ ପୂରା ସଫା ହୋଇଯାଇଥିଲା। ପରେ ସେମାନେ କନ୍ଧମାଳ-ଗଜପତି ସୀମାନ୍ତରେ ଥିବା କାଶୀପୁର, କଲ୍ୟାଣସିଂପୁର ଓ ନିୟମଗିରି ପାହାଡ଼ ପାଖକୁ ଚାଲିଯାଇଥିଲେ।

ରାୟଗଡ଼ା ଏସପି ସର୍ବଣା ବିବେକ କହିଛନ୍ତି ଯେ, ମାଓବାଦୀଙ୍କ ଗତିବିଧି ଉପରେ ନଜର ରଖାଯାଇଛି ଓ ଆବଶ୍ୟକ ପଡ଼ିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଛେଇବେ ନାହିଁ।

Comment