ଓଡ଼ିଶାଲାଇଭ୍ ବ୍ୟୁରୋ

  • ଡିସେମ୍ବର ୧ରୁ ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବ
  • ସାମିଲ ହେବେ ୪୦ ବାଲୁକାଶିଳ୍ପୀ

ଡିସେମ୍ବର ପହିଲାରୁ ୫ ତାରିଖ ପର୍ଯ୍ୟନ୍ତ କୋଣାର୍କ ସୂର୍ଯ୍ୟ ମନ୍ଦିର କୋଳରେ ଆୟୋଜିତ ହେବ କୋଣାର୍କ ଉତ୍ସବ-୨୦୧୯। ଠିକ୍‌ ସେହି ସମୟରେ ଚନ୍ଦ୍ରଭାଗା ସମୂଦ୍ର କୂଳରେ ଆୟୋଜିତ ହେବ ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବ।

ବାଲୁକା କଳା ଏପରି ଏକ କଳା ଯେଉଁଥିରେ ଅସୁମାରି ବିକ୍ଷିପ୍ତ ବାଲୁକାରାଶିକୁ ନିଜର ମନ ଓ ହାତର ସ୍ପର୍ଶ ଦେଇ ଶିଳ୍ପୀ ବହୁ କାହାଣୀକୁ ବାସ୍ତବ ରୂପ ଦେଇଥାଏ। ବର୍ଷ ତମାମ ବାଲୁକା ଶିଳ୍ପୀ ସମୁଦ୍ର କୂଳରେ ଭିନ୍ନ ଭିନ୍ନ ସମୟରେ ବାଲୁକା କଳା ଗଢୁଥିଲେ ସୁଦ୍ଧା ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବ ସେମାନଙ୍କ ପାଇଁ ବଡ଼ ସୁଯୋଗ ଆଣି ଦେଇଥାଏ।

ଏହି ପ୍ରଦର୍ଶନୀରେ ଭାରତ ତଥା ଭାରତ ବାହାରର ବହୁ ଜଣାଶୁଣା ବାଲୁକାଶିଳ୍ପୀ ଭାଗ ନେବା ପାଇଁ ଓଡ଼ିଶା ଆସିଥା’ନ୍ତି।

ଏଥର ଏହି ପ୍ରଦର୍ଶନୀରେ ୩୦ ଜଣ ଭାରତୀୟ ଏବଂ ୧୦ ଜଣ ବିଦେଶୀ ବାଲୁକାଶିଳ୍ପୀ ଭାଗ ନେବେ। ବିଶେଷ କରି ମେକ୍ସିକୋ, ସ୍ପେନ୍, ସିଙ୍ଗାପୁର, ଫ୍ରାନସ୍, ନରୱେ, ଜର୍ମାନୀ, ନେଦରଲାଣ୍ଡ ଏବଂ ଆମେରିକାରୁ କଳାକାରମାନେ ଆସି ଚନ୍ଦ୍ରଭାଗା ବାଲୁକା କଳା ଉତ୍ସବରେ ନିଜର ଶ୍ରେଷ୍ଠ କଳା ପ୍ରଦର୍ଶନ କରିବେ।

କୋଣାର୍କଠାରୁ ଅଳ୍ପ ଦୁରରେ ଥିବା ଚନ୍ଦ୍ରଭାଗା ସମୁଦ୍ରକୂଳରେ ୨୦୧୧ ମସିହାରୁ ଆୟୋଜିତ ହୋଇ ଆସୁଛି ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବ। ଓଡ଼ିଶାର ଖ୍ୟାତିସମ୍ପନ୍ନ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ କୋଣାର୍କ ଆନ୍ତର୍ଜାତିକ ବାଲୁକା କଳା ଉତ୍ସବ ସହିତ ମୂଳରୁ ଯୋଡ଼ି ହୋଇ ରହିଛନ୍ତି।

Comment