ଓଡ଼ିଶାଲାଇଭ୍ ବ୍ୟୁରୋ

କିଛି ଦିନଧରି ପିଆଜ ଦରରେ ଅହେତୁକ ବୃଦ୍ଧି ଘଟିଛି। ଆଜି ବଜାରରେ ପିଆଜ ଦର ୧୨୦ରେ ପହଞ୍ଚିଛି।

ପିଆଜ ନାଁ କହିଲେ ଲୋକଙ୍କୁ ଏବେ ଡର ଲାଗୁଛି। ପିଆଜ ଦାମ୍ ଯେତିକି ଅଛି ସାଧାରଣ ଲୋକଠୁ ଆରମ୍ଭ କରି ବାବୁ ସାହେବ୍ ପର୍ଯ୍ୟନ୍ତ ସମସ୍ତେ ଏବେ ଚିନ୍ତାରେ। ବୁଧବାର ମାର୍କେଟରେ ପିଆଜ ଦର ସେଞ୍ଚୁରୀ ପାର୍ କରିଛି। ବର୍ତ୍ତମାନ ଘରକୁ କିଲେ ପିଆଜ ଆଣିବାକୁ ହେଲେ ଆପଣଙ୍କୁ ଗଣିବାକୁ ପଡ଼ିବ ୧୨୦ ଟଙ୍କା।

ପିଆଜ ଏବେ ସମସ୍ତଙ୍କୁ ଚିନ୍ତାରେ ପକାଇଛି। ସରକାର ଦର ନିୟନ୍ତ୍ରଣ କରିପାରୁ ନଥିବାରୁ ଲୋକଙ୍କ ରୋଷେଇ ଘରୁ ଧିରେ ଧିରେ ପିଆଜ୍ ଗାଏବ୍ ହେବାରେ ଲାଗିଲାଣି। ଯିଏ ବି ପିଆଜ କିଣିବାକୁ ଯାଉଛି ସେ ଅଢ଼େଇଶ ପିଆଜ ଆଣି ଘରକୁ ଫେରୁଛି।

ଆମିଷ ରୋଷେଇ ପାଇଁ ପିଆଜ ଦରକାର ହୋଇଥାଏ। ତେବେ ପିଆଜ ରେଟକୁ ଦେଖି ଲୋକେ ଆମିଷ ଖାଇବା ମଧ୍ୟ ବନ୍ଦ କରିଦେଲେଣି।

ପିଆଜ ଦର ଏବେ ଆକାଶଛୁଆଁ। ତେଣୁ ଆମେ ଏବେ ବିନା ପିଆଜରେ ରୋଷେଇ କରି ଖାଇବା ଆରମ୍ଭ କରିଛୁ। ପିଆଜକୁ ହାତ ମାରିବା ମଧ୍ୟ ଏବେ ଆମ ଦ୍ୱାରା ସମ୍ଭବ ନୁହେଁ ବୋଲି କେତେକ ଖାଉଟି କହିଛନ୍ତି।

ସରକାର ସୁଲଭ ଦରରେ ଲୋକଙ୍କୁ ପିଆଜ ଯୋଗାଇବାକୁ ୨୫୬ଟି ସୁଲଭ କେନ୍ଦ୍ର ପ୍ରତିଷ୍ଠା କରିଛନ୍ତି ବୋଲି କହୁଛନ୍ତି। ସେଠାରେ ମଧ୍ୟ ଲୋକଙ୍କୁ ପିଆଜ ମିଳୁ ନଥିବା ଅଭିଯୋଗ ହେଉଛି। ଏଭଳି ପରିସ୍ଥିତିରେ ଶସ୍ତାରେ ପିଆଜ ପାଇବା ଏବେ ସାତ ସପନ ହୋଇଯାଇଛି।

ଅନ୍ୟପଟେ ପିଆଜ ଦର ବଢ଼ିବାକୁ ନେଇ ବ୍ୟବସାୟୀ ମଧ୍ୟ ଚିନ୍ତାରେ। ପିଆଜ ରେଟ୍ ବଢ଼ିବା ହେତୁ ବେପାର ମଧ୍ୟ ଠିକ୍ ଭାବେ ହେଉନାହିଁ । ଆଗରୁ ପିଆଜ ଯେଉଁଭଳି ଭାବେ ବିକ୍ରି ହେଉଥିଲା ଏବେ ଆଉ ସେଭଳି ବିକ୍ରି ହେଉନାହିଁ। ଏପରିକି ପିଆଜ ବସ୍ତା ବସ୍ତା କିଣିବା ମଧ୍ୟ ବ୍ୟବସାୟୀଙ୍କ ଦ୍ୱାରା ସମ୍ଭବ ହେଉନି ବୋଲି ପିଆଜ ବ୍ୟବସାୟୀମାନେ ଅଭିଯୋଗ କରିଛନ୍ତି।

ହୋଟେଲରେ ବି ପିଆଜ ଦେଖିବାକୁ ମିଳୁନି। ପିଆଜ ବଦଳରେ ଏବେ ବନ୍ଧାକୋବିରେ କାମ ଚଳାଉଛନ୍ତି ହୋଟେଲ ଓ ରେସ୍ତୋରାଁ ମାଲିକ। ପିଆଜ ରେଟ୍ ଯେତିକି ହେଲାଣି ଲୋକଙ୍କୁ ଆଉ ତାଙ୍କ ଇଚ୍ଛା ଅନୁସାରେ ପିଆଜ ଯୋଗେଇ ହେବନି ବୋଲି ହୋଟେଲ ମାଲିକମାନେ କହୁଛନ୍ତି।

ଡିସେମ୍ବର ଶେଷ ସୁଦ୍ଧା ରେଟ୍ କମିବାର ସମ୍ଭାବନା ନାହିଁ। ଜାନୁଆରୀ ମାସ ଆଡ଼କୁ ନୂଆ ପିଆଜ ଆସିଲେ ଯାଇ ରେଟ୍ କମିବ ବୋଲି ବ୍ୟବସାୟୀ ସଂଘ ପକ୍ଷରୁ କୁହାଯାଉଛି। ଏପଟେ ଯୋଗାଣ ବିଭାଗ ମନ୍ତ୍ରୀଙ୍କର ମଧ୍ୟ ସମାନ ଉତ୍ତର। ଜାନୁଆରୀ ମାସରେ ନୂଆ ପିଆଜ ଆସିଲେ ଯାଇ ରେଟ୍ କମିବ ବୋଲି ମନ୍ତ୍ରୀ ଉତ୍ତର ଦେଇଛନ୍ତି।

ପିଆଜ ଓଡ଼ିଶାକୁ ଯେତିକି ଆସିବା କଥା ତାହା ଆସୁନି। ଗୋଦାମରେ ଯେତିକି ଅଛି ତାହା ଶେଷ ହେବାକୁ ବସିଲାଣି। ଜାନୁଆରୀ ମାସ ସୁଦ୍ଧା ଯଦି ନୂଆ ପିଆଜ ବଜାରକୁ ନଆସେ ତାହାଲେ ଦର ୨୦୦ ଛୁଇଁବ ବୋଲି କୁହାଯାଉଛି।

LEAVE A REPLY

Please enter your comment!
Please enter your name here