ଓଡ଼ିଶାଲାଇଭ୍ ବ୍ୟୁରୋ

ରୋଷେଇ ଘରୁ ଛୁଟିରେ ଅଛନ୍ତି ପିଆଜ। କିଲୋ ଫିଛା ଦର ଛୁଇଁଲା ୧୫୦।

ପିଆଜ ଆଣିଛି ଆଖିରେ ଲୁହ। ଆଗରୁ ପିଆଜ କାଟିବା ସମୟରେ ଆଖିକୁ ଲୁହ ଆସୁଥିବାବେଳେ ଏବେ ପିଆଜ ଦର ଲୋକଙ୍କ ଆଖିରେ ଲୁହ ଆଣିଛି। ଗତକାଲି ସେଞ୍ଚୁରୀ ପାର୍ କରିଥିବା ପିଆଜ ଦର ଆଜି ୧୫୦ ଛୁଇଁଛି।

ରାଜ୍ୟରେ ଏବେ ପିଆଜ ଦର ଘୁ ଘୁ ହୋଇ ବଢୁଛି। ଗତକାଲି କଟକରେ ୧୨୦ରେ ବିକ୍ରି ହେଉଥିବା ପିଆଜ, ୨୪ ଘଣ୍ଟା ଭିତରେ ୧୫୦ରେ ପହଞ୍ଚିଛି। ତେବେ ଏହି ପିଆଜ ଦର ଏବେ ଆଉ ଲୋକଙ୍କୁ ସେଭଳି କଷ୍ଟ ଦେବା ଭଳି ଲାଗୁନାହିଁ। କାରଣ ପିଆଜର ଏହି ଦରବୃଦ୍ଧି ଲୋକଙ୍କ ଦେହସୁହା ହୋଇଗଲାଣି ଲୋକେ କହୁଛନ୍ତି।

ଗୁରୁବାର କଟକର କେତେକ ବାସିନ୍ଦା ପିଆଜ ଦର ବୃଦ୍ଧିକୁ ନେଇ ମତ ପ୍ରକାଶ କରିଥିଲେ। ସେମାନେ କହିଥିଲେ ଯେ, ଏସବୁ କଥା ଆଉ ସେମାନଙ୍କର ଜୀବନରେ କିଛି ଫରକ୍ ପକୋଉନି। ଯେଉଁଦିନଠୁ ପିଆଜ ଦର ସେଞ୍ଚୁରୀ ପାର୍ କରିଛି ସେହିଦିନଠାରୁ ସେମାନେ ପିଆଜ ଖାଇବା ଭୁଲି ଯାଇଛନ୍ତି। ଆଉ କିଛି ଦିନ ପରେ ପିଆଜ ସୁନା ଦୋକାନରେ ଗହଣା ଭଳି  ବିକ୍ରି ହେବ ବୋଲି ଲୋକେ କହୁଛନ୍ତି।

ରାଜ୍ୟର ସବୁ ସହରରେ ଏବେ ପିଆଜ ଦର ୧୦୦ ଟଙ୍କା ଉପରେ ରହିଛି। କଟକରେ ପିଆଜ ଦର ୧୫୦ ଥିବାବେଳେ ରାଜଧାନୀ ଭୁବନେଶ୍ୱରରେ ୧୩୦ ଉପରେ। ସେହିପରି ପିପିଲି ଓ ସମ୍ବଲପୁରରେ ପିଆଜ ଦର ୧୨୦, ବାଙ୍କୀରେ ୧୧୦, ନବରଙ୍ଗପୁର, ନୂଆପଡ଼ା, ଆନନ୍ଦୁପୁର ଓ ବ୍ରହ୍ମପୁରରେ ପିଆଜ ଦର ୧୦୦ରେ ବିକା ହେଉଥିବା ସୂଚନା ମିଳିଛି।

ଦହିବରା ଦୋକାନୀଠୁ ଆରମ୍ଭ କରି ଦୋସା ଦୋକାନୀ ସବୁଠି ପଡ଼ିଛି ପିଆଜର ଫରକ। ଜଳଖିଆ ଦୋକାନରେ ତ ପିଆଜ ଦେଖିବା ସ୍ୱପ୍ନ ହେଇଗଲାଣି। ବନ୍ଧାକୋବିରେ ଏବେ ଜଳଖିଆ ଦୋକାନୀ ପିଆଜି ତିଆରି କରି ବିକୁଛନ୍ତି।

ରୋଷେଇ ଘରେ ବିନା ପିଆଜରେ ଖାଇବାକୁ ସ୍ୱାଦ ଦେବାପାଇଁ ଯେପରି ଯୁଦ୍ଧ କରିବାକୁ ପଡୁଛି ଗୃହିଣୀମାନଙ୍କୁ। ବିନା ପିଆଜରେ ଖାଇବାକୁ କେମିତି ସ୍ୱାଦ ଦେବେ ସେନେଇ ଚିନ୍ତାରେ ସବୁ ଗୃହିଣୀ। ରୋଷେଇ ଘରେ ଏବେ ପିଆଜମାନେ ଛୁଟିରେ ଥିବା ଭଳିଆ ଲାଗୁଥିବା ଗୃହିଣୀମାନେ କହିଛନ୍ତି।

ଅନ୍ୟପଟେ ସୋସିଆଲ୍ ମିଡିଆରେ ମଧ୍ୟ ପିଆଜକୁ ନେଇ ଚର୍ଚ୍ଚା ଜୋରଦାର। ଟିକଟକ୍‌ଠାରୁ ଆରମ୍ଭ କରି ଫେସବୁକ୍, ଟୁଇଟରରେ ପିଆଜକୁ ନେଇ ଜୋରଦାର ଚର୍ଚ୍ଚା। ଏପରିକି ଟିକ୍‌ଟକ୍‌ରେ ଲୋକମାନେ ପିଆଜ ଚୋରି କରୁଥିବା ଦୃଶ୍ୟ ଖୁବ୍ ଭାଇରାଲ୍ ହେଉଛି। ଲୋକମାନେ ସୁନାଗହଣାକୁ ଛାଡ଼ି ପିଆଜକୁ ଲୁଚେଇ ରଖୁଥିବା ଟିକ୍‌ଟକ୍‌ରେ ଭିଡିଓ ଭାଇରାଲ୍ ହେଉଛି।

ସେହିପରି ସଂସଦରେ ମଧ୍ୟ ନେତା ନେତାଙ୍କ ଭିତରେ ପିଆଜ ରାଜନୀତି ଦେଖିବାକୁ ମିଳିଛି। ଗୁରୁବାର ପିଆଜକୁ ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ ବାକ୍ ଯୁଦ୍ଧରେ ମୁହାଁମୁହିଁ ହୋଇଥିବା ଦେଖିବାକୁ ମିଳିଛି।

Comment