ଓଡ଼ିଶାଲାଇଭ୍‌ ବ୍ୟୁରୋ

ବେଆଇନ ନିଶା କାରବାର ପାଇଁ ରାଜ୍ୟର ଦକ୍ଷିଣ ଓଡ଼ିଶା ଜିଲ୍ଲାମାନଙ୍କୁ ସୁରକ୍ଷିତ ସ୍ଥାନ ମଣୁଛନ୍ତି ଅପରାଧୀମାନେ। ଶନିବାର ନବରଙ୍ଗପୁର ଅବକାରୀ ବିଭାଗ ପକ୍ଷରୁ ଗଞ୍ଜେଇ ବୋଝେଇ ଟ୍ରାକ୍ଟର ଉପରେ ଚଢ଼ାଉ କରାଯାଇ ଲକ୍ଷ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରାଯାଇଛି।

ମାଲକାନଗିରି ଜିଲ୍ଲାରୁ ଏକ ଟ୍ରାକ୍ଟରରେ ଅଭିନବ ଉପାୟରେ ୧ କୁଇଣ୍ଟାଲ ୨୦ କିଲୋଗ୍ରାମର ଗଞ୍ଜେଇ ଧରି କଳାହାଣ୍ଡି ଜିଲ୍ଲାକୁ ଯାଉଥିବା ଖବର ପାଇଥିଲା ନବରଙ୍ଗପୁର ପୋଲିସ। ଖବର ପାଇବା ପରେ ନବରଙ୍ଗପୁର ଇନ୍ଦ୍ରାବତୀ ବ୍ରିଜ ନିକଟରେ ପୋଲିସ ଉକ୍ତ ଗଞ୍ଜେଇ ଚାଲାଣ ଟ୍ରାକ୍ଟରକୁ ଧରିଥିଲେ।

ପୋଲିସ ଟ୍ରାକ୍ଟର ତଲାସୀ କରିବା ପରେ ଟ୍ରଲି ତଳେ ଏକ ସିକ୍ରେଟ ଚାମ୍ବରରେ ୨୪ ପ୍ୟାକେଟ ଗଞ୍ଜେଇ ଜବତ କରିଥିଲା। ପ୍ରତି ପ୍ୟାକେଟରେ ୫ କିଲୋଗ୍ରାମ ଓଜନର ଗଞ୍ଜେଇ ରହିଥିଲା। ମୋଟ ଉପରେ ପୋଲିସ୍‌ ୧ କୁଇଣ୍ଟାଲ ୨୦ କିଲୋଗ୍ରାମ ଗଞ୍ଜେଇ ଜବତ କରିଛି, ଯାହାର ଆନୁମାନିକ ମୂଲ୍ୟ ୧ ଲକ୍ଷ ଟଙ୍କାରୁ ଅଧିକ ହେବ।

ଏହି ଘଟଣାରେ ଟ୍ରାକ୍ଟର ଡ୍ରାଇଭରଙ୍କ ସହ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ପୋଲିସ ଜବତ କରିଛି। ଏମାନଙ୍କୁ ଗିରଫ କରିବା ସହିତ କୋର୍ଟ ଚାଲାଣ କରାଯାଇଥିବା ପୋଲିସ ସୂଚନା ଦେଇଛି। ଏନେଇ ନବରଙ୍ଗପୁର ଜିଲ୍ଲା ଅବକାରୀ ସୁପେରିଟେଣ୍ଡେଣ୍ଟ ପ୍ରଦୀପ କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି।

ଟ୍ରକ୍‌ଟି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଅଞ୍ଚଳରୁ କଳାହାଣ୍ଡି ଆମପାଣିକୁ ଯାଉଥିଲା। ଚଢ଼ାଉ ସମୟରେ ନବରଙ୍ଗପୁର ଅବକାରୀ ଇନ୍ସପେକ୍ଟର ବିପ୍ର ଚରଣ ମଣ୍ଡଳ, ସବ୍‌ ଇନ୍ସପେକ୍ଟର ଚିତ୍ତ ରଞ୍ଜନ ପଟ୍ଟନାୟକ, ସୁବ୍ରତ ହରିଜନ, ଜଗବନ୍ଧୁ ଯାନୀ, ପ୍ରତ୍ୟୁଷ କଛପ, ସଦାଶିବ ଭତ୍ରା ପ୍ରମୁଖ ଉପସ୍ଥିତ ରହିଥିଲେ।

ବେଆଇନ୍‌ ନିଶା କାରବାର ପାଇଁ ଅପରାଧୀମାନେ ଅଭିନବ ଉପାୟ ଆପଣାଉଥିବା ବେଳେ ଏମାନଙ୍କୁ ଧରିବା ପାଇଁ ପୋଲିସ୍‌ଙ୍କୁ ନାକେଦମ ହେବାକୁ ପଡ଼ୁଛି।

Comment