ଓଡ଼ିଶାଲାଇଭ୍‌ ବ୍ୟୁରୋ  

ପୋକ୍ସୋ ଆଇନ ଓ ଭାରତୀୟ ପିଙ୍ଗଳ କୋଡ୍‌ର  ବିଭିନ୍ନ ଧାରା ଅନୁସାରେ ଫାଶୀ ଦଣ୍ଡ ଦିଆଯିବାର ବ୍ୟବସ୍ଥା ଥିଲେ ହେଁ, ବିଗତ ୨୫ ବର୍ଷ ଭିତରେ ଓଡ଼ିଶାରେ ଜଣେ ବି ଫାଶୀ ଖୁଣ୍ଟରେ ଝୁଲିନଥିବା ଜଣାପଡିଛି।

ଶେଷ ଥର ପାଇଁ ରାଜ୍ୟରେ  ଫାଶୀଦଣ୍ଡ ଦିଆଯାଇଥିଲା ୧୯୯୪ ମସିହାରେ। ମୟୁରଭଞ୍ଜର ଲକ୍ଷ୍ମଣ ନାୟକଙ୍କୁ ସେହି ବର୍ଷ ମୃତ୍ୟ ଦଣ୍ଡ ଦିଆଯାଇଥିଲା ଓ ଏହାକୁ କାର୍ଯ୍ୟକାରୀ ବି କରାଯାଇଥିଲା। ଲକ୍ଷ୍ମଣଙ୍କ ବିରୁଦ୍ଧରେ ଅଭିଯୋଗ ଥିଲା ଯେ, ମଦ୍ୟପାନ କରି ସେ ତାଙ୍କର ନଅ ବର୍ଷୀୟା ଭାଣିଜୀକୁ ପ୍ରଥମେ ଦୁଷ୍କର୍ମ କରି ପରେ ହତ୍ୟା କରିଥିଲେ। ମୟୁରଭଞ୍ଜ ଜିଲ୍ଲା ଦୌରା ଜଜ୍ ଏହି ଫାଶୀ ଦଣ୍ଡ ଶୁଣାଇଥିଲେ ଓ ହାଇକୋର୍ଟରେ ଏହା ସିଦ୍ଧ ହୋଇଥିଲା। ଲକ୍ଷ୍ମଣ ହେଉଛନ୍ତି ଶେଷ ଫାଶୀ ପାଇଥିବା ବ୍ୟକ୍ତି।

ଉଲ୍ଲେଖଯୋଗ୍ୟ ବିଷୟ ହେଲା ଯେ, ଓଡ଼ିଶାରେ କେହି ଘାତକ ନଥିବା କାରଣରୁ ମହାରାଷ୍ଟ୍ରରୁ ଜଣେ ହ୍ୟାଙ୍ଗମ୍ୟାନଙ୍କୁ ଏଥିପାଇଁ ଅଣାଯାଇଥିଲା। ବ୍ରହ୍ମପୁର ଜେଲ ପରିସରରେ ଏହି ଫାଶୀ ଦଣ୍ଡ କାର୍ଯ୍ୟକାରୀ ହୋଇଥିଲା। ସଂଯୋଗବଶତଃ , ଓଡ଼ିଶାର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ସହିଦ ଲକ୍ଷ୍ମଣ ନାୟକଙ୍କୁ ମଧ୍ୟ ସେହି ବ୍ରହ୍ମପୁର ଜେଲରେ ହିଁ ୧୯୪୩ ମସିହାରେ ଫାଶୀ ଖୁଣ୍ଟରେ ଝୁଲାଇ ଦିଆଯାଇଥିଲା। ଲକ୍ଷ୍ମଣ ନାୟକଙ୍କୁ ମିଛରେ ଦୋଷୀ ସାବ୍ୟସ୍ତ କରି ବ୍ରିଟିଶ ଶାସକ  ତାଙ୍କ ଉପରେ ଏହି ପ୍ରତିଶୋଧ ନେଇଥିଲେ ଏହା ସର୍ବଜନବିଦିତ।

ଅବଶ୍ୟ ଗୋଟିଏ ସମୟରେ ବଲାଙ୍ଗିର ଜେଲରେ ମଧ୍ୟ ଫାଶୀ ଦିଆଯିବା ବ୍ୟବସ୍ଥା ଥିଲା। ବୀର ସୁରେନ୍ଦ୍ର ସାଏଙ୍କ ଭାଇ ଉଜ୍ଜ୍ୱଳ ସାଏଙ୍କୁ ବଲାଙ୍ଗିର ଜେଲରେ ଫାଶୀ ଦିଆଯାଇଥିଲା। ହେଲେ ଏବେ କେବଳ ବ୍ରହ୍ମପୁର ଜେଲରେ ହିଁ ଫାଶୀ ପାଇଁ ସବୁ ବ୍ୟବସ୍ଥା ରହିଛି ଯଦିଓ ଫାଶୀ ଦେବାବାଲା କେହି ନାହାଁନ୍ତି।

ବିଲୁଆଖାଇ ନଦୀ  ପଠାରେ ଘଟିଥିବା ବହୁ ଚର୍ଚ୍ଚିତ ଛବିରାଣୀ ହତ୍ୟାକାଣ୍ଡରେ ଅଭିଯୁକ୍ତ ପର୍ଶୁରାମ ଶତପଥୀଙ୍କୁ ଅବଶ୍ୟ କୋର୍ଟ ଫାଶୀ ଦଣ୍ଡ ଶୁଣାଇଥିଲେ ତେବେ ସେ ଏଥିରୁ ବର୍ତ୍ତି ଯାଇଥିଲେ ଓ  ତାଙ୍କୁ କମ ଦଣ୍ଡ ଭୋଗିବାକୁ ପଡ଼ିଥିଲା।

ଦେଶରେ ଦିନକୁ ଦିନ ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣା  ବୃଦ୍ଧି ପାଉଥିବା କାରଣରୁ  କେନ୍ଦ୍ର ସରକାର ପୋକ୍ସୋ ଆଇନ ପ୍ରଣୟନ କରିଛନ୍ତି। ଏଥିରେ ଫାଶୀ ଦଣ୍ଡ ସହ ଅନ୍ୟ କଡ଼ା ଦଣ୍ଡ ବ୍ୟବସ୍ଥା ବି ରହିଛି। ବିଡ଼ମ୍ବନାର ବିଷୟ ହେଉଛି ଗତ ୨୫ ବର୍ଷ ମଧ୍ୟରେ ଓଡ଼ିଶାରେ ହଜାର ହଜାର ନାରକୀୟ ଅପରାଧ ଘଟିଥିଲେ ମଧ୍ୟ  ଏ ଯାଏଁ କାହାକୁ ଫାଶୀ ଖୁଣ୍ଟରେ ଛିଡ଼ା କରା ଯାଇନାହିଁ। ଆଶ୍ୱାସନାର ବିଷୟ ଏହି ଯେ, ବିଭିନ୍ନ ଜିଲ୍ଲାର ଦୌରା ଜଜ୍‌ମାନେ ସେମାନଙ୍କ ରାୟରେ ଅପରାଧୀଙ୍କୁ  ଫାଶୀ ଦଣ୍ଡ ଶୁଣାଇଛନ୍ତି। କିନ୍ତୁ ତାହାକୁ କାମରେ ଲଗା ଯାଇପାରିନାହିଁ। ଏହାର ବିଭିନ୍ନ କାରଣ ରହିଛି। ସେଥି ମଧ୍ୟରୁ ଗୋଟିଏ ବଡ଼ କାରଣ ହେଉଛି ଉଚ୍ଚ କୋର୍ଟରେ ଅପରାଧୀଙ୍କୁ ମିଳୁଥିବା ମହଲତ।

ଦିଲ୍ଲୀର ନିର୍ଭୟା, ଉତ୍ତର ପ୍ରଦେଶର ଉନ୍ନାଓ ଏବଂ ତେଲେଙ୍ଗାନା ‘ଦିଶା’ ଘଟଣା ପରେ ଏବେ ଦେଶରେ ଚାରିଆଡ଼େ ଦୁଷ୍କର୍ମକାରୀଙ୍କୁ ଫାଶୀ ଦିଆଯିବା ଦାବି ଜୋର ହୋଇ ଉଠିଛି। କିନ୍ତୁ  ସରକାରୀ ତଥ୍ୟ ଅନୁସାରେ ଓଡ଼ିଶାରେ ଦୁଷ୍କର୍ମ ମାମଲାରେ ଦଣ୍ଡବିଧାନ ହାର ମାତ୍ର ୧୮ ପ୍ରତିଶତ। ଅର୍ଥାତ ୬୨ ଭାଗ ଅପରାଧୀ ଦଣ୍ଡ ବ୍ୟବସ୍ଥା ଭିତରୁ ଖସି ଯାଉଛନ୍ତି। ଜାତୀୟ କ୍ରାଇମ ରେକର୍ଡ଼ ବ୍ୟୁରୋର ସର୍ବ ଶେଷ ପରିସଂଖ୍ୟାନ ଅନୁଯାୟୀ ଓଡ଼ିଶାରେ ମହିଳା ନିର୍ଯାତନା କ୍ଷେତ୍ରରେ ଦଣ୍ଡବିଧାନ ମାତ୍ର ୭.୪%, ଶିଶୁ ନିର୍ଯାତନା କ୍ଷେତ୍ରରେ ଏହା  ୯.୮% ଏବଂ ଆଇପିସିର ବିଭିନ୍ନ ଅପରାଧ କ୍ଷେତ୍ରରେ ଦଣ୍ଡବିଧାନ ହାର ବି ମାତ୍ର ୯.୩%।

Comment