ଓଡ଼ିଶାଲାଇଭ୍ ବ୍ୟୁରୋ

ଲୁହରେ ଆଖି ଛଳଛଳ ହୋଇ ଯାଉଛି। କଥା କହିଲା ବେଳକୁ କଣ୍ଠ ବାଷ୍ପରୁଦ୍ଧ ହୋଇ ଯାଉଛି। ଗୋଡ଼ ହାତ ବି ଥରୁଛି। ଏମିତି ଅବସ୍ଥା ହେଉଛି ଉନ୍ନାଓ ପୀଡ଼ିତା ବାପାଙ୍କର। ପୀଡ଼ିତା ଦିଲ୍ଲୀ ସଫ୍‌ଦରଜଙ୍ଗ ମେଡିକାଲରେ ଆଖିବୁଜିବା ପରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୨୫ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ହେଲେ ଏହି ଟଙ୍କା କ’ଣ ହେବ ବୋଲି ପୀଡ଼ିତାଙ୍କ ବାପା ପ୍ରଶ୍ନ କରିଥିଲେ।

‘’୨୫ ଲକ୍ଷ ଟଙ୍କା ଦେଇଦେଲେ ମୋ’ ଝିଅ କ’ଣ ଆଉ ଫେରି ଆସିବ’’, ଲୁହ ଛଳଛଳ ଆଖିରେ ଏହା କହିଥିଲେ ପୀଡ଼ିତାଙ୍କ ବାପା।

ଯୋଗୀ ସରକାର ଦେଇଥିବା ଟଙ୍କାକୁ ପୀଡ଼ିତାଙ୍କ ବାପା ଗ୍ରହଣ କରୁ ନଥିଲେ। ସମସ୍ତେ ବୁଝାସୁଝା କରିବା ପରେ ତାଙ୍କ ପରିବାର ୨୫ ଲକ୍ଷ ଟଙ୍କାର ଚେକ୍‌ ଗ୍ରହଣ କରିଥିଲେ। ଏପଟେ ପୀଡ଼ିତାଙ୍କ ମୃତଦେହ ଗାଁରେ ପହଞ୍ଚିଛି। ରବିବାର ତାଙ୍କର ଅନ୍ତିମ ସଂସ୍କାର କରାଯିବ।

ଗତବର୍ଷ ଡିସେମ୍ବରରେ ପୀଡ଼ିତାଙ୍କ ଗଣଦୁଷ୍କର୍ମ ହୋଇଥିଲା। ଚଳିତବର୍ଷ ୨୦୧୯ ମାର୍ଚ୍ଚରେ ପୋଲିସ ଏହି ଦୁଷ୍କର୍ମର ଏଫଆଇଆର ଫାଇଲ୍‌ କରିଥିଲା, ଯାହାର ବିଚାର କରି ଅଭିଯୁକ୍ତମାନଙ୍କୁ ଜେଲ ଦଣ୍ଡାଦେଶ ହୋଇଥିଲା। ଗତ କିଛି ଦିନ ତଳେ ଅଭିଯୁକ୍ତମାନେ ଜାମିନ ପାଇ ଜେଲ୍‌ରୁ ମୁକୁଳିଥିଲେ।

ଗୁରୁବାର ପୀଡ଼ିତାଜଣକ ରାସ୍ତାରେ ଯାଉଥିବା ସମୟରେ ଅଭିଯୁକ୍ତମାନେ ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ। ଯୁବତୀଜଣକୁ ଛୁରୀ ମାରିବା ସହ ପେଟ୍ରୋଲ ଢାଳି ଜିଅନ୍ତା ଜାଳି ଦେଇଥିଲେ। ଜଳନ୍ତା ଅବସ୍ଥାରେ ପୀଡ଼ିତା ପୋଲିସକୁ ଫୋନ୍‌ କରି ଘଟଣା ସମ୍ପର୍କରେ କହିଥିଲେ। ଏହାପରେ ଘଟଣାସ୍ଥଳରେ ପୋଲିସ ଏବଂ ଆମ୍ବୁଲାନ୍ସ ପହଞ୍ଚି ଥିଲା।

ସ୍ଥାନୀୟ ଲୋକଙ୍କ କହିବାନୁସାରେ, ଯୁବତୀଜଣକ ୯୦ ପ୍ରତିଶତ ପୋଡ଼ିଯିବା ପରେ ବି ଗୋଟେ କିଲୋମିଟର ଯାଏଁ ଚାଲିଥିଲେ। ଏହାପରେ ସ୍ଥାନୀୟ ଜଣେ ବ୍ୟକ୍ତିଙ୍କୁ ସହାୟତା ମାଗିଥିଲେ। ଏହାପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ପୀଡ଼ିତାଙ୍କୁ ଜିଲ୍ଲା ମେଡିକାଲରେ ଭର୍ତ୍ତି କରିଥିଲା। ସେଠାରୁ ସେ ଲକ୍ଷ୍ନୌ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଏହାପରେ ପୀଡ଼ିତାଙ୍କୁ ଦିଲ୍ଲୀ ସ୍ଥାନାନ୍ତର କରାଯାଇଥିଲା। ଶୁକ୍ରବାର ରାତିରେ ପୀଡ଼ିତାଙ୍କର ମୃତ୍ୟୁ ହୋଇଥିଲା।

Comment