ଓଡ଼ିଶାଲାଇଭ୍‌ ବ୍ୟୁରୋ

କଟକରେ ଡବଲ ମର୍ଡର। ମଧୁପାଟଣା ଥାନା ଅନ୍ତର୍ଗତ ବେଲେଶ୍ଵର ଅଞ୍ଚଳରେ ଜଣେ ବୃଦ୍ଧ ଦମ୍ପତ୍ତିଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ଏକ ଘରୁ ବୃଦ୍ଧ ଦମ୍ପତ୍ତିଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର କରିଛି ପୋଲିସ। ଉଭୟଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଥିଲା। ପାଖରେ କଟୁରୀ ଓ ପନିକି ପଡ଼ିଥିବା ବେଳେ ଘରର ଆଲମାରି ମଧ୍ୟ ଖୋଲା ହୋଇଥିଲା। ତେବେ ଲୁଟ୍‌ ଉଦ୍ଦେଶ୍ୟରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।

ମୃତ ବୃଦ୍ଧ ଦମ୍ପତ୍ତି ହେଉଛନ୍ତି ଶ୍ରୀନାଥ ସାମଲ ଓ ବିଦ୍ୟୁତଲତା ସାମଲ। ଶ୍ରୀନାଥ ଏଫ୍‌ସିଆଇରେ ଚାକିରି କରିଥିବା ବେଳେ ୨୦୦୭ରେ ଅବସର ନେଇ ସାରିଥିଲେ। ତାଙ୍କର ୫ଟି ଝିଅ ଓ ଗୋଟିଏ ପୁଅ ଅଛନ୍ତି। ସମସ୍ତେ ରାଜ୍ୟ ବାହାରେ ରୁହନ୍ତି। ବୃଦ୍ଧ ଦମ୍ପତ୍ତିଙ୍କ ପାଖରେ ତାଙ୍କ ପୁତୁରା ରହୁଥିଲେ। ହେଲେ ସେ ହତ୍ୟାକାଣ୍ଡ ଦିନ ଘରେ ନଥିଲେ। ବୃଦ୍ଧ ଦମ୍ପତ୍ତି ସବୁଦିନ ଶିଘ୍ର ଖାଇପିଇ ଶୋଇ ପଡ଼ନ୍ତି। ଏକାକୀ ରହୁଥିବାରୁ ଚିହ୍ନା ଲୋକ ନଦେଖିଲେ କବାଟ ଖୋଲନ୍ତିନି ବୋଲି ପଡ଼ୋଶୀମାନେ କହିଛନ୍ତି।

ହତ୍ୟାକାଣ୍ଡ ଦିନ ରାତିରେ ଦମ୍ପତ୍ତିଙ୍କ ଝିଅ ତାଙ୍କ ସହ କଥା ହୋଇଥିଲେ। ହେଲେ ସେ ପୁଣି ରାତି ୯ଟାରେ ଫୋନ କରିଥିବା ବେଳେ ଆଉ ଫୋନ ଉଠାଇ ନଥିଲେ। ବାରମ୍ଵାର ଫୋନ କରିବା ପରେ ପୋଡ଼ଶୀଙ୍କୁ ଫୋନ କରିଥିଲେ ତାଙ୍କ ଝିଅ। ପଡ଼ୋଶୀ ଯାଇ ଦେଖିଲା ବେଳେକୁ ଗେଟ୍‌ ବନ୍ଦ ଥିବା ବେଳେ ଘର କବାଟ ଖୋଲା ରହିଛି। ବହୁଥର ଡାକିଲା ପରେ ମଧ୍ୟ ଜବାବ ମିଳିନଥିଲା।

ବାଧ୍ୟ ହୋଇ ଜଣେ ପଡ଼ୋଶୀ ପାଚେରୀ ଡେଇଁ ଘରକୁ ଯାଇଥିଲେ। ହେଲେ ସେଠାରେ ତାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଦେଖି ଅନ୍ୟ ପଡ଼ୋଶୀ ଓ ତାଙ୍କ ଝିଅକୁ ଖବର ଦେଇଥିଲେ। ତେବେ ଦମ୍ପତ୍ତି ଅଚିହ୍ନା ଲୋକ ଦେଖି କବାଟ ଖୋଲନ୍ତି ନାହିଁ ଏଭଳି ସନ୍ଦେହଜନକ ହତ୍ୟାକାଣ୍ଡରେ କେହି ଚିହ୍ନା ଲୋକଙ୍କର ହାତ ତାଇପାରେ ବୋଲି ସନ୍ଦେହ କରାଯାଉଛି।

ଅନ୍ୟପକ୍ଷରେ ଘଟଣାସ୍ଥଳରେ କଟକ ଡିସିପି ଅଖିଳେଶ୍ଵର ସିଂ ପହଞ୍ଚି ଘଟଣାର ଛାନ୍‌ଭିନ୍‌ ଆରମ୍ଭ କରିଛନ୍ତି।

Comment