ଓଡିଶାଲାଇଭ୍ ବ୍ୟୁରୋ

କଟକ: ଚଳିତବର୍ଷ ଦୁର୍ଗାପୂଜା ପାଇଁ ମାଟି ଉଠାଇବାକୁ ଚାହୁଁଥିବା ପୂଜା କମିଟିଗୁଡ଼ିକ କଟକଣା ଭିତରେ ମାଟି ଉଠାଇ ପାରିବେ। ଏହି ମାଟି ଉଠାରେ ମାତ୍ର ୪ ଜଣ ଲୋକ ସାମିଲ ହୋଇପାରିବେ। ଏହି ସମୟରେ କୌଣସି ଆଡ଼ମ୍ୱର ବା ଶୋଭାଯାତ୍ରା ହେବନି। ମାଟି ଉଠା କେବଳ ସଟ୍‌ଡାଉନ୍ ନଥିବା ଦିନରେ ହୋଇ ପାରିବ। ଏନେଇ ସୂଚନା ଦେଇଛନ୍ତି କଟକ ଡିସିପି ପ୍ରତୀକ ସିଂହ।

ଦୁର୍ଗାପୂଜା ପାଇଁ ଚଳିତ ମାସରୁ ମାଟି ଉଠା ନିୟମ ରହିଛି। ବିଶେଷକରି ଜନ୍ମାଷ୍ଟମୀଠାରୁ ଗଣେଶ ପୂଜା ମଧ୍ୟରେ ଭଲ ତିଥିରେ ପୂଜା କମିଟିଗୁଡ଼ିକ ମାଟି ଉଠାଇଥାନ୍ତି। ତେବେ ଚଳିତବର୍ଷ କରୋନା ପାଇଁ କଟକଣା ଜାରି ରହିଥିବାରୁ ଏହି ମାଟି ଉଠା ଉପରେ ମଧ୍ୟ କଟକଣା ବଳବତ୍ତର ରହିବ। ମାଟି ଉଠାଇବା ସମୟରେ ସେଠାରେ ସାଧାରଣ ଲୋକ ମଧ୍ୟ ଭିଡ଼ କରିପାରିବେ ନାହିଁ ବୋଲି ଡିସିପି ସୂଚନା ଦେଇଛନ୍ତି। ତେବେ ଦଶହରା କିଭଳି ଅନୁଷ୍ଠିତ ହେବ ସେନେଇ ପୂଜା ପୂର୍ବରୁ ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ନିଆଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି।ଦଶହରା ପାଇଁ ଆହୁରି ଦେଢ଼ ମାସରୁ ଅଧିକ ସମୟ ଅଛି। ସେ ସମୟରେ ପୂଜା ପାଇଁ କେଉଁ ସବୁ କଟକଣା ଜାରି ହେବ ତାହା ଆଜିଠୁ କହିବା ଠିକ୍ ନୁହେଁ। ତେଣୁ ପୂଜା ପୂର୍ବରୁ ହେବାକୁ ଥିବା ପ୍ରସ୍ତୁତି ବୈଠକରେ ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଡିସିପି ସୂଚନା ଦେଇଛନ୍ତି।

ଅନ୍ୟପଟେ ପୂର୍ବ ନିଷ୍ପତ୍ତି ଅନୁସାରେ ଚଳିତବର୍ଷ ଗଣେଶ ପୂଜା ମଧ୍ୟ ସମ୍ପୂର୍ଣ୍ଣ ନିରାଡ଼ମ୍ବର ଭାବେ ହେବ। ରାସ୍ତା କଡ଼ରେ ବା ଘର ବାହାରେ କେହି ଟେଣ୍ଟ କରି ପୂଜା କରିପାରିବେନି। ସେମାନେ ଘରେ ମୂର୍ତ୍ତି ରଖି ପୂଜା କରିବେ।ଯାହାର ସ୍ଥାୟୀ ମଣ୍ଡପ ଅଛି ସେମାନେ ସେହି ମଣ୍ଡପରେ ପୂଜା କରିପାରିବେ। ହେଲେ ସେଠାରେ କୌଣସି ସାଜସଜା ହେବନି। ସେଠାକୁ କୌଣସି ବାହାର ଶ୍ରଦ୍ଧାଳୁ ଆସି ପୂଜା କରିପାରିବେ ନାହିଁ। ପୂଜା ପରେ ମୂର୍ତ୍ତି ବିସର୍ଜନ ନେଇ କୌଣସି ପ୍ରକାର ଭସାଣି ଶୋଭାଯାତ୍ରା କରାଯାଇପାରିବନାହିଁ। କେହି ଏହାକୁ ଅମାନ୍ୟ କଲେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିସିପି ସୂଚନା ଦେଇଛନ୍ତି।

Comment