ଓଡ଼ିଶାଲାଇଭ୍ ବ୍ୟୁରୋ

୭୫ ବର୍ଷ ହେଲା ଦୁସ୍ଥ, ରୋଗୀଣା ଏବଂ ଦିବ୍ୟାଙ୍ଗ ଗାଈଗୋରୁଙ୍କୁ ଆଶ୍ରୟ ଦେଇ ଆସୁଛି ଅସୁରେଶ୍ୱର ଗୋରକ୍ଷଣୀ।

ଗୋରୁଗାଈଙ୍କ ବୟସ ଅଧିକ ହୋଇଗଲେ କିମ୍ବା ରୋଗୀଣା ହୋଇଗଲେ ସେମାନଙ୍କୁ ଲୋକେ ଅଦରକାରୀ କରି ଦିଅନ୍ତି। କିଛି ଲୋକ କଂସେଇ ହାତରେ ଗୋରୁଗାଈଙ୍କୁ ଟେକି ଦିଅନ୍ତି। ହେଲେ ଏ କ୍ଷେତ୍ରରେ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକରେ ଥିବା ଅସୁରେଶ୍ୱର ଗୋରକ୍ଷଣୀ ସମସ୍ତଙ୍କ ପାଇଁ ପ୍ରେରଣା ପାଲଟିଛି। ଦୁସ୍ଥ, ରୋଗୀଣା ଏବଂ ଦିବ୍ୟାଙ୍ଗ ଗାଈଗୋରୁଙ୍କୁ କୋଳେଇ ନେଇ ଏହି ଅନୁଷ୍ଠାନର ସେବକମାନେ ଗୋସେବା କରୁଛନ୍ତି। ମୁଠି ଚାଉଳ ଓ ଦାନରେ ଏଠାରେ ୭୫ ବର୍ଷ ହେଲା ଗୋସେବା ଚାଲିଛି।

୧୯୪୩ରୁ ୨୦୧୯। ଏହା କୌଣସି ଛୋଟିଆ ସମୟ ନୁହେଁ। ଏହି ସମୟ ଭିତରେ ଅନେକ ଘାତ ପ୍ରତିଘାତର ସାମ୍ନା କରିଛି ଅସୁରେଶ୍ୱର ଗୋରକ୍ଷଣୀ। ହେଲେ ଗୋସେବକମାନଙ୍କ ନିସ୍ୱାର୍ଥପର ସେବା ପାଇଁ ଏହି ଅନୁଷ୍ଠାନ ଆଜି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି।

କେମିତି ଆରମ୍ଭ ହେଲା ଗୋରକ୍ଷଣୀ?

୧୯୪୩ ମସିହାରେ ପ୍ରତିଷ୍ଠା ହୋଇଥିଲା ଅସୁରେଶ୍ୱର ଗୋରକ୍ଷଣୀ। ଜଳଧର ନାୟକ ଏବଂ ସୟଦ ଅଶ୍ରଫ ଅଲ୍ଲୀ ଏହି ଗୋରକ୍ଷଣୀ ପ୍ରତିଷ୍ଠା କରିଥିଲେ। ଏହା ପଛରେ ଏକ ସୁନ୍ଦର କାହାଣୀ ରହିଥିବା ଅସୁରେଶ୍ୱର ଗୋମଙ୍ଗଳ ସମିତିର ସମ୍ପାଦକ ପର୍ଶୁରାମ ଦ୍ୱିବେଦୀ କୁହନ୍ତି।

ଦିନେ ଜଳଧର ନାୟକ ଏବଂ ସୟଦ ଅଶ୍ରଫ ଅଲ୍ଲୀ ଛିଡ଼ା ହୋଇ କଥା ହେଉଥିଲେ। ଏହି ବାଟ ଦେଇ ଗୋଟିଏ ଛୋଟା ବାଛୁରୀକୁ କିଛି ଲୋକ କଂସେଇ ଖାନାକୁ ଟାଣି ଟାଣି ନେଉଥିଲେ। ଏହି ଦୃଶ୍ୟ ଦେଖି ଜଳଧର ନାୟକ ଏବଂ ଅଶ୍ରଫ ଅଲ୍ଲୀଙ୍କ ହୃଦୟ ତରଳି ଯାଇଥିଲା। ସେହି ଛୋଟା ବାଛୁରୀକୁ ସୁରକ୍ଷା ଦେବା ପାଇଁ ସେମାନେ ଆଗେଇ ଆସିଥିଲେ। ଯେଉଁ ଲୋକମାନେ ଟାଣି ଟାଣି ନେଉଥିଲେ ସେମାନଙ୍କୁ କିଛି ପଇସା ଦେଇ ଛୋଟା ବାଛୁରୀକୁ ଉଦ୍ଧା କରିଥିଲେ। ସେବେଠାରୁ ଅସୁରେଶ୍ୱର ଗୋମଙ୍ଗଳ ସମିତି ପ୍ରତିଷ୍ଠା କରାଯାଇଥିଲା। ଏହା ଅସୁରେଶ୍ୱର ଗୋରକ୍ଷଣୀ ନାଁରେ ପରିଚୟ ହାସଲ କରିଛି।

ମୁସ୍‌ଲିମ୍‌ କମ୍ୟୁନିଟି ଭିତରେ ଗୋସେବା

ଅସୁରେଶ୍ୱରରେ ଏକ ବିଚିତ୍ର ପରମ୍ପରା ଦେଖିବାକୁ ମିଳିଛି। ଅସୁରେଶ୍ୱର ଗୋରକ୍ଷଣୀ ପ୍ରତିଷ୍ଠା ପଛରେ ଜଣେ ହିନ୍ଦୁ ଏବଂ ମୁସଲମାନଙ୍କ ହାତ ରହିଛି। ଜଳଧର ନାୟକ ହିନ୍ଦୁ ହୋଇଥିବା ବେଳେ ସୟଦ ଅଶ୍ରଫ୍‌ ଅଲ୍ଲୀ ହେଉଛନ୍ତି ମୁସଲମାନ। ଉଭୟଙ୍କ ଉଦ୍ୟମ ବଳରେ ଅସୁରେଶ୍ୱର ଗୋରକ୍ଷଣୀ ମୁସଲମାନ କମ୍ୟୁନିଟି ଭିତରେ ପ୍ରତିଷ୍ଠା ହୋଇ ପାରିଥିଲା। ଏହା ଅଜି ସଫଳତାର ପାହାଚ ଅତିକ୍ରମ କରି ଚାଲିଛି।

ରୋଗୀଣା କିମ୍ବା ବୃଦ୍ଧ ଗାଈଗୋରୁଙ୍କୁ ଲୋକମାନେ କଂସେଇ ହାତରେ ଟେକି ଦେଉଥିବା ଅସୁରେଶ୍ୱର ଗୋରକ୍ଷଣୀ ପ୍ରତିଷ୍ଠା ପଛରେ ଜଣେ ମୁସଳମାନଙ୍କ ପ୍ରଚ୍ଛନ୍ନ ହାତ ରହିବା ନିହାତି ପକ୍ଷେ ଏକ ଭାଇଚାରାର ନିଦର୍ଶନ।

ମୁଠି ଚାଉଳରେ ଚାଲିଛି ଗୋସେବା

ଅସୁରେଶ୍ୱର ଗୋରକ୍ଷଣୀ ସରକାରୀ ହାତଟେକାରେ ଚାଲିନି। ମୁଠି ଚାଉଳ ଏବଂ ଦାନରେ ଏହି ଅନୁଷ୍ଠାନ ୭୫ ବର୍ଷ ହେଲା ଚାଲିଛି। ଗୋରକ୍ଷଣୀର ସେବକମାନେ ହାତରେ ବ୍ୟାଗ୍‌ ଧରି ଘର ଘର ବୁଲିଥାନ୍ତି। ପ୍ରତି ଘରୁ ମୁଠାଏ ଲେଖାଏଁ ଚାଉଳ ସଂଗ୍ରହ କରିଥାନ୍ତି। ଏହି ସଂଗୃହିତ ଚାଉଳରେ ହିଁ ଅନୁଷ୍ଠାନ ଚାଲିଛି।

‘‘ସମସ୍ତଙ୍କ ଘରେ ଗୋଟିଏ ପାତ୍ର ରହିଛି। ରୋଷେଇ କରିବା ବେଳେ ମହିଳାମାନେ ସେହି ପାତ୍ରରେ ମୁଠାଏ ଚାଉଳ ରଖିଥାନ୍ତି। ଆମ ସେବକମାନେ ଯେତେବେଳେ ଯାଆନ୍ତି ସେତେବେଳେ ଏହି ଚାଉଳ ସଂଗ୍ରହ କରି ଆଣିଥାନ୍ତି’’, କହିଛନ୍ତି ଗୋରକ୍ଷଣୀ ସମିତି ସମ୍ପାଦକ ପର୍ଶୁରାମ ଦ୍ୱିବେଦୀ।

ଏହାସହ କିଛି ଲୋକ ଅନୁଷ୍ଠାନ ପାଇଁ ଦାନ ମଧ୍ୟ କରିଥାନ୍ତି। ଅନୁଷ୍ଠାନର ସେବକମାନେ ପ୍ରତି ମାସରେ ଡବା ନେଇ ନିକଟସ୍ଥ ବଜାରକୁ ଯାଇଥାନ୍ତି। ଏହି ଡବାରେ ବ୍ୟବସାୟୀମାନେ ଦାନ ଦେଇଥାନ୍ତି। ମୁଠି ଚାଉଳ ଏବଂ ଲୋକଙ୍କ ଦାନରେ ଏହି ଅନୁଷ୍ଠାନ ଚାଲିଛି।

‘‘ମୁଁ ବାହା ହୋଇ ଆସିବା ଦିନରୁ ଏସବୁ ଦେଖି ଆସୁଛି। ଗୋରକ୍ଷଣୀ ପାଇଁ ମୁଷ୍ଠି ଭିକ୍ଷା ଚାଲିଛି। ଏଥିରେ ଗୋରକ୍ଷଣୀ ପରିଚାଳିତ ହେଉଛି। ଏଠାରେ ଥିବା ସେବକମାନେ ଗାଈମାନଙ୍କର ଭଲ ଯତ୍ନ ନେଉଛନ୍ତି’’, କହିଛନ୍ତି ମଲ୍ଲିପୁରର ଲକ୍ଷ୍ମୀ ବେହେରା।

୧୦ ବର୍ଷ ବୟସରୁ ଗୋସେବା

‘‘ମୁଁ ଯେତେବେଳେ ୧୦ ବର୍ଷ ବୟସର ହୋଇଥିଲି ସେତେବେଳେ ମୋ’ ମା’ ମତେ ଗାଳି ଦେଇଥିଲା। ମୁଁ ଘର ଛାଡ଼ି ଚାଲି ଯାଉଥିଲି। ଏହା ଜାଣିବା ପରେ ଜଳଧର ବାବୁ ମତେ ଏଠାରେ ଅଟକାଇ ଦେଇଥିଲେ। ସେବେଠାରୁ ମୁଁ ଗୋସେବା କରି ଆସୁଛି’’, କହିଛନ୍ତି ଅସୁରେଶ୍ୱର ଗୋମଙ୍ଗଳ ସମିତିର ପରିଚାଳନା ସଦସ୍ୟ ବିଷ୍ଣୁ ଚରଣ ନାୟକ।

କେବଳ ବିଷ୍ଣୁ ନୁହନ୍ତି ଏମିତି ଅନେକ ଲୋକ ଯୁବ ବୟସରୁ ଗୋରକ୍ଷଣୀ ସହ ସମ୍ପର୍କ ଯୋଡ଼ି ଆସିଛନ୍ତି। ବୟସର ଅପରାହ୍‌ଣରେ ସେମାନେ ପହଞ୍ଚିଥିଲେ ମଧ୍ୟ ଗୋସେବାରୁ ନିଜକୁ ଦୂରେଇ ଦେଇ ନାହାନ୍ତି।

ଗୋରକ୍ଷଣୀର ଅନ୍ୟତମ ପରିଚାଳନା କମିଟି ସଦସ୍ୟ ଶ୍ରୀନିବାସ ସାହୁ କହନ୍ତି, ‘‘ଯୁବାବସ୍ଥାରୁ ଗୋରକ୍ଷଣୀ ସହ ମୋର ସମ୍ପର୍କ। ରାଜକିଶୋର ନାୟକଙ୍କ ସହ ସମ୍ପର୍କ ଘନିଷ୍ଠ ହେବା ପରଠୁ ମୁଁ ଏହି ଅନୁଷ୍ଠାନ ସହ ଯୋଡ଼ି ହୋଇ ରହିଛି। ୪୦ ବର୍ଷ ହେଲା ମୁଁ ଗୋସେବା ସହ ଜଡ଼ିତ ହୋଇ ରହିଛି।’’

ଗୋରକ୍ଷଣୀ – ଏକ ନିଆରା ଅନୁଷ୍ଠାନ

ଅସୁରେଶ୍ୱର ଗୋରକ୍ଷଣୀ ଏକ ନିଆରା ଅନୁଷ୍ଠାନ। କେବଳ ଓଡ଼ିଶା ନୁହେଁ, ସାରା ପୃଥିବୀରେ ବି ଏମିତି ଅନୁଷ୍ଠାନଟିଏ ନାହିଁ ବୋଲି ଗୋରକ୍ଷଣୀ ପରିଦର୍ଶନରେ ଆସିଥିବା ବିଶିଷ୍ଟ ପରିବେଶବିତ୍‌ ମେନକା ଗାନ୍ଧୀ କହିଥିଲେ। ଏହି ନିଆରା ପଦକ୍ଷେପ ପାଇଁ ମେନକା ଏହି ଅନୁଷ୍ଠାନକୁ ପ୍ରଶଂସା କରିଥିଲେ।

‘‘ଏହି ଅନୁଷ୍ଠାନକୁ ସରକାରୀ ଅନୁଦାନ ମିଳୁନି। ସାଧାରଣ ଲୋକ, ଶୁଭେଚ୍ଛୁଙ୍କ ଦାନରେ ଏହି ଅନୁଷ୍ଠାନ ଚାଲିଛି। ଭାଇଚାରା, ଧାର୍ମିକ ଚେତନା ଏବଂ ଗୋସୁରକ୍ଷାର ବାର୍ତ୍ତା ଏହି ଅନୁଷ୍ଠାନ ଦେଇ ଆସୁଛି’’, କହିଛନ୍ତି ଗୋମଙ୍ଗଳ ସମିତିର ସଭାପତି ଅତନୁସବ୍ୟସାଚୀ ନାୟକ।

ସଚେତନତାର ବାର୍ତ୍ତା ଦେଉଛି ଗୋରକ୍ଷଣୀ

ରୋଗୀଣା, ଦିବ୍ୟାଙ୍ଗ ଏବଂ ବୟସ୍କ ଗାଈଗୋରୁମାନଙ୍କୁ ଯେମିତି ଲୋକେ ଅଲୋଡ଼ା କରି ଦେଉଛନ୍ତି ଠିକ୍‌ ସେମିତି ସମାଜର କିଛି ଲୋକ ନିଜ ବୁଢ଼ା ବାପା, ମା’ଙ୍କୁ ବି ହତାଦର କରୁଥିବା ଅନେକ ନଜିର ରହିଛି।  ହେଲେ ଅସୁରେଶ୍ୱର ଗୋରକ୍ଷଣୀ ସମାଜ ପାଇଁ ଅଲୋଡ଼ା ବିବେଚିତ ହେଉଥିବା ଗାଈଗୋରୁଙ୍କୁ କୋଳେଇ ନେଇ ସାମାଜିକ ସଚେତନତାର ବାର୍ତ୍ତା ଦେଉଛି।

‘‘ଅସୁରେଶ୍ୱର ଗୋରକ୍ଷଣୀ ସମାଜକୁ ଅନେକ ଶିକ୍ଷଣୀୟ ବାର୍ତ୍ତା ଦେଉଛି। ଯେଉଁମାନେ ବୟସ୍କ ଏବଂ ମୁରବୀ ଶ୍ରେଣୀର ସେମାନଙ୍କୁ ଆମେ ଅଲୋଡ଼ା ଭାବିବା ଠିକ୍‌ ନୁହେଁ। ସେମାନଙ୍କୁ ସମ୍ମାନ କରିବା ଦରକାର ଏବଂ ସେମାନଙ୍କର ଯତ୍ନ ନେବା ଦରକାର’’, କହିଛନ୍ତି ମନ୍ତ୍ରୀ ପ୍ରତାପ ଜେନା।

ଅନୁଷ୍ଠାନ ବଞ୍ଚିବା ଦରକାର

ମୁଠି ଚାଉଳ ଏବଂ ଦାନରେ ପରିଚାଳିତ ହେଉଥିବା ଏହି ଅନୁଷ୍ଠାନ ଆହୁରି ଲମ୍ବା ସମୟ ଧରି ତିଷ୍ଠି ରହିବାକୁ ଅନୁଷ୍ଠାନର ସଭ୍ୟମାନେ ଦାବି କରୁଛନ୍ତି। ହେଲେ ଏଥିପାଇଁ ଶୁଭେଚ୍ଛୁ ଏବଂ ବଦାନ୍ୟ ବ୍ୟକ୍ତିମାନଙ୍କର ସହାଯ୍ୟ ସହଯୋଗ ଦରକାର ବୋଲି କହିଛନ୍ତି ଗୋମଙ୍ଗଳ ସମିତି ସଭାପତି ଅତନୁ ସବ୍ୟସାଚୀ ନାୟକ।

ଏହି ଅନୁଷ୍ଠାନକୁ ଆଖପାଖ ଅଞ୍ଚଳର ପ୍ରାୟ ୩୦୦ରୁ ୪୦୦ ଗାଈ ଆସିବା ଅପେକ୍ଷା ରହିଛନ୍ତି। ହେଲେ ଏଠାରେ ଜାଗାର ଅଭାବ ଥିବାରୁ ସେମାନଙ୍କୁ ଏଠାରେ ସ୍ଥାନ ମିଳୁନି। ଯଦି ଏହି ଅନୁଷ୍ଠାନର କଳେବର ବୃଦ୍ଧି ପାଆନ୍ତା ତାହାଲେ ଅଧିକ ଗାଈଙ୍କୁ ରଖିବା ସମ୍ଭବପର ହୁଅନ୍ତା ବୋଲି କହିଛନ୍ତି ପରିଚାଳନା କମିଟିର ସଦସ୍ୟମାନେ।

Comment