ଓଡ଼ିଶାଲାଇଭ୍ ବ୍ୟୁରୋ
ଶନିବାର ଅପରାହ୍ଣରେ ଉଦ୍ଘାଟନ କରିବେ ଗଜପତି ମହାରାଜ ଦିବ୍ୟସିଂହ ଦେବ।
୭୫ ବର୍ଷରେ ପଦାର୍ପଣ କରିଛି ‘ଅସୁରେଶ୍ୱର ଗୋରକ୍ଷଣୀ’। ଏହି ଅବସରରେ ଡିସେମ୍ବର ୧୪ ଓ ୧୫ ତାରିଖ ଦୁଇ ଦିନ ଧରି ଅସୁରେଶ୍ୱର ଗୋରକ୍ଷଣୀର ପ୍ଲାଟିନମ୍ ଜୁବୁଲି ପାଳନ କରାଯାଉଛି। ଶନିବାର ଏହାକୁ ଉଦ୍ଘାଟନ କରିବେ ଗଜପତି ମହାରାଜ ଦିବ୍ୟସିଂହ ଦେବ।
ପ୍ଲାଟିନମ୍ ଜୁବୁଲିର ଉଦ୍ଘାଟନୀ ଉତ୍ସବରେ ମୁଖ୍ୟବକ୍ତା ଭାବେ ପୁରୀ କ୍ରିୟାଯୋଗାଶ୍ରମର ପରମହଂସ ପ୍ରଜ୍ଞାନନ୍ଦ ଗିରି ଏବଂ ସମ୍ମାନିତ ଅତିଥି ଭାବେ ପଞ୍ଚାୟତରାଜ, ପାନୀୟଜଳ, ଆଇନ ମନ୍ତ୍ରୀ ପ୍ରତାପ ଜେନା ଯୋଗ ଦେବେ।
ଶନିବାର ସକାଳ ସାଢ଼େ ୮ଟାରେ ଗୋପୂଜନ କାର୍ଯ୍ୟକ୍ରମ ରହିଥିବା ବେଳେ ୧୧ଟାରେ ମୁଷ୍ଠିଦାତ୍ରୀ ଓ ଗୋସେବକ ସମ୍ମିଳନୀ ଅନୁଷ୍ଠିତ ହେବ।
ଏହି ସମ୍ମିଳନୀରେ କିସ୍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ହରେକୃଷ୍ଣ ଶତପଥୀ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ସମ୍ମାନିତ ଅତିଥି ଭାବେ କଟକ-ସଦର ବିଧାୟକ ଚନ୍ଦ୍ରସାରଥୀ ବେହେରା, ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା, ଗାନ୍ଧୀ ବିଚାର ମଞ୍ଚ ସଭାପତି ପ୍ରହ୍ଲାଦ ସିଂହ, ବିଶିଷ୍ଟ ସ୍ତମ୍ଭକାର ଅଭିରାମ ବିଶ୍ୱାଳ ଏବଂ ନିଶ୍ଚିନ୍ତକୋଇଲି ବ୍ଲକ ଅଧ୍ୟକ୍ଷା ସବିତା ଓଝା ଯୋଗ ଦେବେ।
୧୫ ତାରିଖ ରବିବାର ଦିନ ଏହି ପ୍ଲାଟିନମ୍ ଜୁବୁଲିର ଉଦଯାପନୀ ଉତ୍ସବ ରହିଛି। ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ପଞ୍ଚାୟତରାଜ ମନ୍ତ୍ରୀ ପ୍ରତାପ ଜେନା, କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ, କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗ ଦେବେ। ପ୍ଲାଟିନମ୍ ଜୁବୁଲି ଉତ୍ସବରେ ସଭାପତିତ୍ୱ କରିବେ ମହାକାଳପଡ଼ା ବିଧାୟକ ତଥା ଅସୁରେଶ୍ୱର ଗୋ ମଙ୍ଗଳ ସମିତିର ସଭାପତି ଅତନୁ ସବ୍ୟସାଚୀ ନାୟକ।
ଦୁଇ ଦିନ ଧରି ସାଂସ୍କୃତି କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯିବ। ୧୯୪୩ରେ ଅସୁରେଶ୍ୱର ଗୋ ମଙ୍ଗଳ ସମିତି ପ୍ରତିଷ୍ଠା କରାଯାଇଥିଲା। ଅସୁରେଶ୍ୱର ଗୋରକ୍ଷଣୀ ନାଁରେ ଏହି ଅନୁଷ୍ଠାନ ବେଶ୍ ପରିଚିତ ହାସଲ କରିଛି। ଏଠାରେ ଦିବ୍ୟାଙ୍ଗ ଗାଈଗୋରୁମାନଙ୍କୁ ରଖାଯାଇ ସେବା କରାଯାଉଛି।