ଓଡ଼ିଶାଲାଇଭ୍ ବ୍ୟୁରୋ

ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ଲାଟିନମ୍‌ ଜୁବୁଲିରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ।

‘‘ଉତ୍କଳ ବିଶ୍ୱବିଦ୍ୟାଳୟ ୭୫ ବର୍ଷରେ ପଦାର୍ପଣ କରି ପ୍ଲାଟିନମ୍‌ ଜୁବୁଲି ପାଳନ କରିବା ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ପାଇଁ ଗର୍ବର ବିଷୟ। ଏହି ବିଶ୍ୱବିଦ୍ୟାଳୟ ଅନେକ ମାଇଲ ଷ୍ଟୋନ ଅତିକ୍ରମ କରିଛି। ବହୁ ପ୍ରତିଭାବାନ ଛାତ୍ରଛାତ୍ରୀ ଏହି ବିଶ୍ୱବିଦ୍ୟାଳୟରୁ ବାହାରି ଦେଶ ବିଦେଶରେ ପ୍ରତିଷ୍ଠିତ ହୋଇଛନ୍ତି। ୭୫ ବର୍ଷ ଭିତରେ ଉତ୍କଳ ବିଶ୍ୱବିଦ୍ୟାଳୟ ଶିକ୍ଷାର ମନ୍ଦିର ପାଲଟିଛି’’, କହିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ।

ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ଲାଟିନମ୍‌ ଜୁବୁଲି ପାଳନ କରୁଛି। ପ୍ଲାଟିନମ ଜୁବୁଲିର ଉଦ୍‌ଯାପନୀ ଉତ୍ସବରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି। ଛାତ୍ରଛାତ୍ରୀମାନଙ୍କୁ ରାଷ୍ଟ୍ରପତି ଦୀକ୍ଷାନ୍ତ ଅଭିଭାଷଣ ପ୍ରଦାନ କରିଥିଲେ।

‘‘ଅଧ୍ୟୟନ ଓ ଗବେଷଣା କ୍ଷେତ୍ରରେ ଉତ୍କଳ ବିଶ୍ୱବିଦ୍ୟାଳୟର ମାନ ଉଚ୍ଚରେ ରହିଛି। ଏଠାରେ ଛାତ୍ରଛାତ୍ରମାନେ କେବଳ ପାଠ ପଢ଼ି ନଥାନ୍ତି ବିଭିନ୍ନ ପ୍ରସଙ୍ଗରେ ଗବେଷଣା କରିବାର ସୁଯୋଗ ପାଇଥାନ୍ତି। ଏଣୁ ଏହି ବିଶ୍ୱବିଦ୍ୟାଳୟ ଆଗାମୀ ଦିନରେ ଭାରତରେ ଉଚ୍ଚଶିକ୍ଷା କ୍ଷେତ୍ରରେ ଏକ ହବ୍‌ ହେବାକୁ ଯାଉଛି। ଜାତିର ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ଏହି ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଗାନ୍ଧୀ ପାର୍କ ନିର୍ମାଣ ହେବ ଖୁସିର କଥା। ଗାନ୍ଧୀ ସବୁବେଳେ ଅହିଂସା ରାସ୍ତାରେ ଚାଲୁଥିଲେ। ଏଣୁ ଗାନ୍ଧିଜୀ ଦେଖାଇଥିବା ରାସ୍ତାରେ ପିଲାମାନେ ଚାଲିବା ଦରକାର’’, କହିଛନ୍ତି ରାଷ୍ଟ୍ରପତି।

‘‘ସମାଜକୁ ସଶକ୍ତ କରିବାରେ ଶିକ୍ଷାର ଭୂମିକା ଗୁରୁତ୍ୱପୂର୍ଣ୍ଣ। ସାମାଜିକ କ୍ଷେତ୍ରରେ ଅନେକ ପରିବର୍ତ୍ତନ ଆଣିବାରେ ସହାୟକ ହୋଇଥାଏ ବିଶ୍ୱବିଦ୍ୟାଳୟ। ଶିକ୍ଷା କ୍ଷେତ୍ରରେ ଭାରତ ଆଗକୁ ଯାଇଛି। ଗବେଷଣା ଭିତ୍ତିକ ଶିକ୍ଷା ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ଉତ୍କଳ ବିଶ୍ୱବିଦ୍ୟାଳୟ ଏହି ଗବେଷଣା ଭିତ୍ତିକ ଶିକ୍ଷାର ନେତୃତ୍ୱ ନେବା ଦରକାର’’, କହିଛନ୍ତି ରାଷ୍ଟ୍ରପତି।

ଏହି ଅବସରରେ ରାଷ୍ଟ୍ରପତି ବିଶ୍ୱବିଦ୍ୟାଳୟରେ ରୁଷ ଭାବନର ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଡକ୍ଟର ଅରୁଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Comment