ଓଡ଼ିଶାଲାଇଭ୍ ବ୍ୟୁରୋ

ରବିବାର ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ଲାଟିନମ୍ ଜୁବୁଲି ଉତ୍ସବରେ ଆଲୁମିନି ମିଟ୍‌ର ଆୟୋଜନ କରାଯାଉଛି। ଏହି ଉତ୍ସବରେ ବିଶ୍ୱବିଦ୍ୟାଳୟର ହଜାର ହଜାର ପୁରୁଣା ଛାତ୍ରଛାତ୍ରୀଙ୍କୁ ବିଶ୍ୱବିଦ୍ୟାଳୟକୁ ନିମନ୍ତ୍ରଣ କରାଯାଇଛି। ଏହି ଉତ୍ସବରେ କେନ୍ଦ୍ରମନ୍ତ୍ରୀ ତଥା ବିଶ୍ୱବିଦ୍ୟାଳୟର ଆଲୁମିନି ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଯୋଗଦେବେ।

ଶନିବାରଠାରୁ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ଲାଟିନମ୍ ଜୁବୁଲି ଉତ୍ସବ ଆରମ୍ଭ ହୋଇଛି। ପାଞ୍ଚଦିନ ଧରି ହେବାକୁ ଥିବା ଏହି ଉତ୍ସବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଉଦଘାଟନ୍ କରିଛନ୍ତି। ପ୍ଲାଟିନମ୍ ଜୁବୁଲିର ଦ୍ୱିତୀୟ ଦିନରେ ବିଶ୍ୱବିଦ୍ୟାଳୟର ବହୁ ପୁରୁଣା ଛାତ୍ରଛାତ୍ରୀ ବିଶ୍ୱବିଦ୍ୟାଳୟରେ ଏକାଠି ହେବାର କାର୍ଯ୍ୟକ୍ରମ ରହିଛି। ବିଶ୍ୱବିଦ୍ୟାଳୟ କର୍ତ୍ତୁପକ୍ଷ ପୂରାତନ ଛାତ୍ରମାନଙ୍କ ସହ ବିଶ୍ୱବିଦ୍ୟାଳୟ ଅନୁଭୂତି ଓ ବିକାଶ ନେଇ ଆଲୋଚନା କରିବେ।

ରବିବାରର ଏହି ଉତ୍ସବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ସାଂସଦ ଅଚ୍ୟୁତ ସାମନ୍ତ, ପୂର୍ବତନ ମନ୍ତ୍ରୀ ପ୍ରଫୁଲ ଚନ୍ଦ୍ର ଘଡ଼େଇ, ପଞ୍ଚାନନ କାନୁନଗୋ, ପୂର୍ବତନ ରାଜ୍ୟ କଂଗ୍ରେସ ସଭାପତି ପ୍ରସାଦ ହରିଚନ୍ଦନ ଓ ପୃଥ୍ୱୀରାଜ ହରିଚନ୍ଦନ ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ଏହାସହ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଉଛି। ଯେଉଁଥିରେ କ୍ୟାମ୍ପସର ପୁରାତନ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିବେ। ତା’ସହ ଓଲିଉଡ୍ ଷ୍ଟାର ଅଭିଜିତ୍ ମଜୁମଦାର, ସ୍ୱୟମ ପାଢ଼ୀ ଓ ଇରା ମହାନ୍ତି ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

Comment