ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ୪୮ ମିନିଟରେ ୧୦ କିଲୋମିଟର ରେସ୍‌
  • କଅଁଳ ବୟସରେ କଡ଼ା ପରିଶ୍ରମ
  • ବିରାଟ ଡାକନ୍ତି ପକେଟ ରକେଟ

ମାତ୍ର ୮ ବର୍ଷ ବୟସରେ ସିକ୍ସ୍‌ ପ୍ୟାକ୍‌ ଆବ୍ସ୍‌ ବନାଇ ବିରାଟ କୋହଲିଙ୍କ ହୃଦୟ ଜିତିଲେ ପୂଜା ବିଶ୍ନୋଇ। କେବଳ ଏତିକି ନୁହେଁ ଏହି ଛୋଟିଆ ବୟସରେ ୨୦୨୪ ଅଲମ୍ପିକରେ ଭାରତ ପାଇଁ ଗୋଲ୍ଡ ମେଡାଲ ଆଣିବାକୁ ସ୍ୱପ୍ନ ଦେଖୁଛନ୍ତି ପୂଜା। ଏଥିପାଇଁ ସେ କଡ଼ା ପରିଶ୍ରମ ମଧ୍ୟ କରୁଛନ୍ତି।

ଆସନ୍ତୁ ଜାଣିବା କିଏ ଏହି ପୂଜା ବିଶ୍ନୋଇ, ଯିଏ କଅଁଳ ବୟସରେ କଡ଼ା ପରିଶ୍ରମ କରି ଦେଶ ପାଇଁ ଗୌରବ ଆଣିବାକୁ ସଂଘର୍ଷ ଚଳାଇଛନ୍ତି।

ରାଜସ୍ଥାନର ଯୋଦ୍ଧପୁର ଜିଲ୍ଲାର ଏକ ଛୋଟିଆ ଗାଁରେ ପୂଜାଙ୍କ ଘର।  ଏତେ କମ୍‌ ବୟସରେ ମାତ୍ର ୧୨ ମିନିଟରେ ୩ କିଲୋମିଟର ଦୌଡ଼ି ବିଶ୍ୱ ରେକର୍ଡ କରିଛନ୍ତି ପୂଜା। ଯୁବ ଆଥଲେଟ୍‌ ମଧ୍ୟ ତାଙ୍କ ପ୍ରେରଣା ନେଉଛନ୍ତି।

ବିରାଟ କୋହଲି ଫାଉଣ୍ଡେସନ ବଢ଼ାଇଛି ସାହାଯ୍ୟର ହାତ

ପୂଜାଙ୍କୁ ନିଜ ସ୍ୱପ୍ନପଥରେ ଆଗେଇ ନେବାକୁ ସାହାଯ୍ୟ କରୁଛି ବିରାଟ କୋହଲି ଫାଉଣ୍ଡେସନ। ସ୍କୁଲ ଫିସ୍‌ଠୁ ଆରମ୍ଭ କରି ଅଭ୍ୟାସ ପର୍ଯ୍ୟନ୍ତ ପୂଜାଙ୍କ ସମସ୍ତ ଖର୍ଚ୍ଚ ବହନ କରୁଛି ଏହି ଫାଉଣ୍ଡେସନ। ପୂଜାଙ୍କ ଏହି ବିଚକ୍ଷଣ ପ୍ରତିଭା ଦେଖି ବିରାଟ କୋହଲି ତାଙ୍କୁ ପକେଟ୍‌ ରକେଟ ବୋଲି ଡାକୁଛନ୍ତି।

ପୂଜା ମାତ୍ର ୪ ବର୍ଷ ବୟସରୁ ଅଭ୍ୟାସ କରିବା ଆମ୍ଭ କରିଦେଇଛନ୍ତି। ସକାଳ ୩ଟାରୁ ଉଠି ୭ଟା ଯାଏଁ ଗ୍ରାଉଣ୍ଡରେ ଅଭ୍ୟାସ କରନ୍ତି ପୂଜା। ଏହାପରେ ସ୍କୁଲ ଯାଆନ୍ତି ପୂଜା। ସ୍କୁଲରୁ ଆସିବା ପରେ ୨ ଘଣ୍ଟା ବିଶ୍ରାମ ନେଇ ପୁଣି ଅଭ୍ୟାସରେ ଲାଗି ପଡ଼ନ୍ତି।

ଦେଶର ସବୁ ଝିଅଙ୍କୁ ମଜବୁତ ହେବା ପାଇଁ ପୂଜା ଆହ୍ୱାନ ଦେଇଛନ୍ତି। ପୂଜାଙ୍କ କହିବା କଥା ଝିଆମାନେ ମଜବୁତ ହେଲେ କେହି ତାଙ୍କୁ ହଇରାଣ କରିପାରିବେ ନାହିଁ।

Comment