ଓଡ଼ିଶାଲାଇଭ୍ ବ୍ୟୁରୋ

ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ ପ୍ରକାଶ ପାଇବା ପରେ ରାମ ମନ୍ଦିର ନିର୍ମାଣ ପାଇଁ ବାଟ ଫିଟିଲା। ତେବେ କ’ଣ ଥିଲା ବିବାଦ ଜାଣନ୍ତୁ ଓଡ଼ିଶାଲାଇଭ୍‌ ଫ୍ଲାସ୍‌ ବ୍ୟାକ ରିପୋର୍ଟରେ।

ବର୍ଷ ବର୍ଷ ଧରି ଚାଲିଥିବା ଅଯୋଧ୍ୟା ବିବାଦର ସମାଧାନ ୨୦୧୯ରେ ହେଲା। ଦୀର୍ଘ ୪୦ ଦିନ ଧରି ଶୁଣାଣି କରିବା ପରେ ସୁପ୍ରିମକୋର୍ଟ ନଭେମ୍ବର ୯ ତାରିଖରେ ଚୂଡ଼ାନ୍ତ ରାୟ ଦେଇଥିଲେ। କୋର୍ଟଙ୍କ ରାୟ ପ୍ରକାଶ ପାଇବା ପରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣର ପାଇଁ ବାଟ ଖୋଲିଲା।

ଏହି ମାମଲାର ଶୁଣାଣି କରି ଅଯୋଧ୍ୟାରେ ଥିବା ବିବାଦୀୟ ଭୂମିକୁ ସମ୍ପୂର୍ଣ୍ଣ ଭାବେ ମନ୍ଦିର ନିର୍ମାଣ କାର୍ଯ୍ୟରେ ବିନିଯୋଗ କରିବା, ନିର୍ମାଣ କାର୍ଯ୍ୟର ତତ୍ତ୍ୱାବଧାନ ପାଇଁ କେନ୍ଦ୍ର ସରକାର ଏକ ଟ୍ରଷ୍ଟ ଗଠନ କରିବା ଏବଂ ମସଜିଦ ନିର୍ମାଣ ପାଇଁ ୫ ଏକର ଭୂମି ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଥିଲେ।

ଏହି ରାୟ ପ୍ରକାଶ ପାଇବା ପରେ ଦେଶରେ ଖୁସିର ଲହରୀ ଖେଳିଥିଲା। ଦେଶବାସୀ ଏହାକୁ ସ୍ୱାଗତ କରିଥିଲେ। ସୁପ୍ରିମକୋର୍ଟର ଐତିହାସିକ ନିଷ୍ପତ୍ତି ତାଲିକାରେ ଅଯୋଧ୍ୟା ମାମଲା ବି ସାମିଲ ହୋଇଥିଲା।

ବିବାଦ କଥିଲା?

ବ୍ରିଟିଶ ରାଜତ୍ୱ କାଳରେ ଏହି ବିବାଦଟି ସର୍ବପ୍ରଥମେ ଉନ୍ନବିଂଶ ଶତାବ୍ଦୀରେ ସୃଷ୍ଟି ହୋଇଥିଲା। ତେବେ ସୁପ୍ରିମକୋର୍ଟ ଯେଉଁ ବିବାଦର ରାୟ ଦେଇଛନ୍ତି ତାହା ୧୯୪୯ର ବିବାଦ। ସେ ବର୍ଷ ରାମଙ୍କର ଏକ ପିତ୍ତୁଳାକୁ ବାବ୍ରି ମସଜିଦର କେନ୍ଦ୍ରସ୍ଥାନରେ ରଖି ପୂଜା ଆରମ୍ଭ କରାଗଲା। ମୋଗଲ ସମ୍ରାଟ ବାବର ଷୋଡ଼ଶ ଶତାବ୍ଦୀରେ ଏହି ମସଜିଦ ନିର୍ମାଣ କରିଥିଲେ ବୋଲି କୁହାଯାଏ।

ରାମଙ୍କ ପିତୁଳା ସ୍ଥାପନା ପରଠାରୁ ଉଭୟ ହିନ୍ଦୁ ଓ ମୁସଲିମମାନେ ଏହାକୁ ନିଜ ନିଜର ଧାର୍ମିକ ଅନୁଷ୍ଠାନ ବୋଲି ଦାବି କରିଆସୁଥିଲେ। ୧୯୮୦ରେ ବିଜେପି ଓ ଆରଏସ୍‌ଏସ୍‌ ଏଠି ମନ୍ଦିର ନିର୍ମାଣ ପାଇଁ ଅଭିଯାନ ଆରମ୍ଭ କରିଥିଲେ। ଏହା ଦ୍ୱାରା ହିନ୍ଦୁ ଓ ମୁସଲିମଙ୍କ ଭିତରେ ବିବାଦ ସୃଷ୍ଟି ହୋଇଥିଲା ଓ ଶେଷରେ ୧୯୯୨ ଡିସେମ୍ବର ମାସରେ କର ସେବକମାନଙ୍କ ଦ୍ୱାରା ମସଜିଦ ଭାଙ୍ଗି ଦିଆଯାଇଥିଲା।

ଓଡ଼ିଶା ତଥା ଦେଶ ଦୁନିଆର ଟିକିନିଖି ଖବର ପାଇବା ପାଇଁ ଅଗ୍ରଣୀ ନ୍ୟୁଜ୍ ପୋର୍ଟାଲ ଓଡ଼ିଶାଲାଇଭ୍ର ହ୍ଵାଟ୍ସଆପ୍ ଗ୍ରୁପରେ ଯୋଗ ଦିଅନ୍ତୁ। ଲିଙ୍କ୍ କ୍ଲିକ୍ କରନ୍ତୁ:  https://chat.whatsapp.com/IRipWbC83HpD1JetdjgdJX

Comment