ଓଡ଼ିଶାଲାଇଭ୍‌ ବ୍ୟୁରୋ

ଯୁବପିଢ଼ିଙ୍କୁ ପ୍ରେରିତ କରିବାକୁ, ତାଙ୍କୁ ବାଟ ଦେଖାଇବାକୁ ଏବଂ ଅସୁବିଧା ସମୟରେ ଭାଙ୍ଗି ନପଡ଼ିବାକୁ ପ୍ରେରଣା ଦେଉଛି ଆକାଶଙ୍କ ୟ୍ୟୁଟ୍ୟୁବ୍‌ ଚ୍ୟାନେଲ ଆକାଶ ଇନସ୍ପାୟର୍ସ।

‘‘ସମସ୍ତେ ବିଭିନ୍ନ ପ୍ରକାର ସମସ୍ୟା ଦେଇ ଗତି କରନ୍ତି, ହେଲେ ସମାଧାନର ବାଟ ପାଆନ୍ତି ନାହିଁ। ‘ଆକାଶ ଇନସ୍ପାୟର୍ସ’ ମାଧ୍ୟମରେ ଛୋଟିଆ ଛୋଟିଆ କାହାଣୀ ଅତି ସହଜ ଓ ସରଳ ଭାବେ କହି ଲୋକଙ୍କଠାରୁ ଏହି ସମସ୍ୟା ଦୂରେଇବାକୁ ଚେଷ୍ଟା ଚାଲିଛି। କାରଣ ଗୋଟିଏ ପଦ କଥା ଜୀବନରେ ଅନେକ ପରିବର୍ତ୍ତନ ଆଣି ଦିଏ। ‘ଆକାଶ ଇନସ୍ପାୟର୍ସ’ର ଏହା ହିଁ ଉଦ୍ଦେଶ୍ୟ’’ କହିଛନ୍ତି ଓଲିଉଡ ଅଭିନେତା ଆକାଶ ଦାସନାୟକ।

ଆକାଶ ବିଭିନ୍ନ ବହି, ପୁରାଣ, ଭାଗବତ, ବାଇବେଲରୁ କଥା ଆଣି ଅତି ସହଜରେ ଆକାଶ ଇନସ୍ପାୟର୍ସ ମାଧ୍ୟମରେ ଲୋକମାନଙ୍କ ନିକଟରେ ପହଞ୍ଚାଉଛନ୍ତି। ଏଥିସହ ସେ ତାଙ୍କ ବ୍ୟକ୍ତିଗତ ଅନୁଭୂତିକୁ ଲୋକଙ୍କ ସହ ବାଣ୍ଟୁଛନ୍ତି। ଏହା ମାଧ୍ୟମରେ ଖାସ କରି ଯୁବପିଢ଼ିମାନେ ପ୍ରେରିତ ହେବେ।

‘‘ମନରେ ଯେତେବେଳେ ଅନେକ ସନ୍ଦେହ, ସମସ୍ୟା ଥାଏ ସେତେବେଳେ ସମେସ୍ତ ଅନ୍ୟ ଜଣଙ୍କର ସାହାଯ୍ୟ ଲୋଡ଼ିଥାନ୍ତି। ଅନ୍ୟ ଜଣଙ୍କର ପରାମର୍ଶ ଖୋଜିଥାନ୍ତି। ଆକାଶ ଇନସ୍ପାୟର୍ସ ସେତେବେଳେ ସଫଳ ହେବ ଯେତେବେଳେ ଏହା ମାଧ୍ୟମରେ କାହାର ସମସ୍ୟା ଦୂର ହେବ ବା କେହି ପ୍ରେରିତ ହେବେ’’, କହିଛନ୍ତି ଆକାଶ।

ଓଲିଉଡର ଲୋକପ୍ରିୟ ଅଭିନେତା ଆକାଶ ନିଜକୁ ସମାଜସେବା କ୍ଷେତ୍ରରେ ଯୋଡ଼ିଛନ୍ତି। ଯୁବପିଢ଼ିଙ୍କ ସହ ଡିଜିଟାଲି ଯୋଡ଼ି ହେବା ପାଇଁ ଆକାଶ ନିଜର ୟୁଟ୍ୟବ୍‌ ଚ୍ୟାନେଲ ‘ଆକାଶ ଇନସ୍ପାୟର୍ସ’ ଖୋଲିଛନ୍ତି। ଏହା ମାଧ୍ୟମରେ ସେ ଯବୁପିଢ଼ିଙ୍କୁ ଜୀବନରେ ଆଗକୁ ବଢ଼ିବା ପାଇଁ ତଥା ବିଭିନ୍ନ ସମସ୍ୟାକୁ ସେମାନେ କେମିତି ସାମ୍ନା କରିବେ ସେନେଇ ଟିପ୍ସ ଦେଉଛନ୍ତି।

‘ଆକାଶ ଇନସ୍ପାୟର୍ସ’ ମାଧ୍ୟମରେ ଆକାଶ, ସକରାତ୍ମକ ଚିନ୍ତାଧାରା, ନିଜ ଜୀବନର କିଛି ଅନୁଭୂତି ଏବଂ ସେ ତାଙ୍କ ଗୁରୁଜନଙ୍କଠୁ ଯାହା କିଛି ଶିଖିଛନ୍ତି ତାକୁ ଯୁବପିଢ଼ିଙ୍କ ନିକଟରେ ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି।

ଆକାଶ ଏବେ ମୋଟିଭେସନାଲ ଟକ୍‌ ବ୍ୟତୀତ ଏଥିରେ ହେଲ୍ଥ ଟିପ୍ସ ମଧ୍ୟ ଦେଉଛନ୍ତି। ନିକଟରେ ଆକାଶ ତାଙ୍କର ବ୍ୟାୟାମ ଏବଂ ସକାଳର ରୋଟିନ ସଂପର୍କରେ ଏକ ଭିଡିଓ ପୋଷ୍ଟ କରିଥିଲେ। ଆଗାମୀ ଦିନରେ ଆହୁରି ଏମିତି କିଛି ହେଲ୍ଥ ଟିପ୍ସ ଦିଆଯିବ ବୋଲି ଆକାଶ କହିଛନ୍ତି।

ଏଥିସହ ଆକାଶ ଭିଡିଓରେ ଆଉ କ’ଣ ପରିବର୍ତ୍ତନ କରିପାରିବେ ବା ଆଉ କେଉଁ ପ୍ରସଙ୍ଗକୁ ଯୋଡ଼ି ପାରିବେ ସେ ବିଷୟରେ ମତାମତ ଦେବା ପାଇଁ  କମେଣ୍ଟ କରିବାକୁ ଆକାଶ ଅନୁରୋଧ କରିଛନ୍ତି।

Comment