ଓଡ଼ିଶାଲାଇଭ୍‌ ବ୍ୟୁରୋ

(ଖୋର୍ଦ୍ଧାରୁ ଦିଲ୍ଲୀପ ନାଇଡୁ): ଆରମ୍ଭ ହୋଇଯାଇଛି ଚିଲିକାରେ ପକ୍ଷୀ ଗଣନା। ରବିବାର ସକାଳ ୬ଟାରୁ ଦିନ ୧୨ଟା ଯାଏଁ ଏହି ପକ୍ଷୀ ଗଣନା ଚାଲୁ ରହିବ। ଶନିବାର ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ କାର୍ଯ୍ୟାଳୟରେ ବନ୍ୟପ୍ରାଣୀ ବିଭାଗ ତରଫରୁ ପକ୍ଷୀ ଗଣନା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଗଣନା କାର୍ଯ୍ୟରେ ୨୧ଟି ରେଞ୍ଜର ୧୦୦ରୁ ଅଧିକ ଗଣନାକାରୀ ନିୟୋଜିତ ଅଛନ୍ତି।

 

ଏହା ମଧ୍ୟରୁ ୧୯ଟି ଗଣନାକାରୀ ଦଳ ଚିଲିକା ଜଳ ମଧ୍ୟରେ ଓ ୨ ଗୋଟି ଗଣନାକାରୀ ଦଳ ଚିଲିକା ତଟବର୍ତ୍ତୀ ସ୍ଥଳଭାଗରେ ପକ୍ଷୀ ଗଣନାରେ ନିୟୋଜିତ ଅଛନ୍ତି। ପ୍ରତି ଦଳରେ ୪ରୁ ୫ ଜଣ ଗଣନାକାରୀ ସାମିଲ ଅଛନ୍ତି। ଟାଙ୍ଗୀ, ରମ୍ଭା, ସାତପଡା, ବାଲୁଗାଁ, ପାରିକୁଦ ଓ ନୂଆପଡା ରେଞ୍ଜରୁ ଆରମ୍ଭ ହୋଇଛି ଗଣନା।

ଅନ୍ୟପକ୍ଷରେ ସ୍ଥଳଭାଗରେ ରୁଟ୍ ୧ ରମ୍ଭାରୁ ପାରକୁଦ ଓ ରୁଟ୍-୨ ମଙ୍ଗଳାଯୋଡ଼ିରୁ ଭୁଷଣ୍ଡପୁର ପର୍ଯ୍ୟନ୍ତ ଚାଲିଛି ଗଣନା। ଏହି ଗଣନାରେ ରାଜ୍ୟ ଓ ରାଜ୍ୟ ବାହାରୁ ବହୁ ପକ୍ଷୀ ବିଶାରଦ ଏହି ଗଣନା କାର୍ଯ୍ୟରେ ସାମିଲ ଅଛନ୍ତି। ପକ୍ଷୀ ଗଣନା ସମୟ ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ମଙ୍ଗଳାଯୋଡ଼ି ପକ୍ଷୀ ଅଭୟାରଣ୍ୟକୁ ପର୍ଯ୍ୟଟକଙ୍କୁ ବାରଣ କରାଯାଇଛି।

ବିଗତ କିଛି ବର୍ଷର ପକ୍ଷୀ ଗଣନା

  • ୨୦୧୭ ମସିହାରେ – ୯ଲକ୍ଷ ୪୭ହଜାର ୧୧୯ଟି ପକ୍ଷୀ ଆସିଥିଲେ (ପ୍ରଜାତି-୧୬୧)
  • ୨୦୧୮ ମସିହାରେ – ୮ଲକ୍ଷ ୯୩ହଜାର ୩୯୦ଟି ପକ୍ଷୀ ଆସିଥିଲେ(ପ୍ରଜାତି-୧୪୭)
  • ୨୦୧୯ ମସିହାରେ – ୧୦ଲକ୍ଷ ୪୭ହଜାର ୯୬୮ଟି ପକ୍ଷୀ ଆସିଥିଲେ(ପ୍ରଜାତି-୧୮୧)

Comment