ଓଡ଼ିଶାଲାଇଭ୍‌ ବ୍ୟୁରୋ

ମହିଳାମାନଙ୍କ ସଶକ୍ତିକରଣ ଓ ସାମାଜିକ ଅର୍ଥନୈତିକ ସ୍ୱାଧୀନତାର ପରିପ୍ରକାଶ ପାଇଁ ରାଜ୍ୟରେ ଏକ ନୂଆ ଅଣ ରାଜନୈତିକ ସଂଗଠନ ଗଠନ କରାଯାଇଛି। ଏହାର ନାଁ ରଖାଯାଇଛି ଅଜିତା। ବିଶିଷ୍ଟ ଲେଖିକା ପ୍ରତିଭା ରାୟ ଏହାକୁ ଶନିବାର ଉଦଘାଟନ କରିଥିଲେ।

ଏହି ଅବସରରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଲେ ଯେ ରାଜ୍ୟର ସବୁ ଶ୍ରେଣୀର ଲୋକଙ୍କ ଅନ୍ତର୍ଭୁକ୍ତି ପାଇଁ  ମହିଳା ସମାଜ ଆଗେଇ ଆସିବା ଦରକାର। ମହିଳାଙ୍କ ମର୍ଯ୍ୟାଦା ଓ ଅତ୍ମନିର୍ଭରଶୀଳତା ପାଇଁ ଏହି ମଞ୍ଚ କାର୍ଯ୍ୟ କରିବ ବୋଲି ସେ କହିଛନ୍ତି।

ସହଭାଗିତାରେ ଓ ବିନା କୌଣସି ରାଜନୈତିକ ପତାକା ତଳେ ରହି ଏହି ସଂସ୍ଥା ତାର ଲକ୍ଷ୍ୟ ପୂରଣ ଦିଗରେ କାମ କରିବ। ମହିଳାଙ୍କ ଉନ୍ନତି ପାଇଁ ସରକାରଙ୍କର ଯେତେସବୁ କାର୍ଯ୍ୟକ୍ରମ ରହିଛି ‘ଅଜିତା’ ସେଗୁଡ଼ିକର ସାହାଯ୍ୟ ନେବ ଓ ସହାୟତା କରିବ। ‘ଅଜିତା’ର ସଭାପତି ମୌସୁମୀ ମହାପାତ୍ର କହିଲେ, ‘‘ଏପର୍ଯ୍ୟନ୍ତ ୫୬ ଜଣ ଆଜୀବନ ସଦସ୍ୟା ଓ ୮୯୩ ଜଣ ସାଧାରଣ ସଭ୍ୟା ଅଜିତା ସହ ଯୋଡ଼ି ହୋଇସାରିଛନ୍ତି। ଆଗାମୀ ଦିନରେ ଅଧିକ ମହିଳା ଏଥିରେ ସାମିଲ ହେବେ।

ଅପରାଜିତା ଷଡ଼ଙ୍ଗୀଙ୍କ ନିର୍ଦ୍ଦେଶରେ ଏହି ସଂଗଠନ ଜାନୁଆରି ୫ରୁ  ଏପ୍ରିଲ ୧୪ ମଧ୍ୟରେ ସ୍ୱାସ୍ଥ୍ୟ, ଶିକ୍ଷା ଓ ସାମାଜିକ ଅନ୍ତର୍ଭୁକ୍ତି କ୍ଷେତ୍ରରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେବ। ପ୍ରଥମ ପର୍ଯ୍ୟାୟରେ ଖୋର୍ଦ୍ଧା ଜିଲ୍ଲାର ୮ଟି ବ୍ଲକ ଓ ୨ଟି ମ୍ୟୁନିସିପାଲିଟିରେ କାର୍ଯ୍ୟକ୍ରମ ଆରମ୍ଭ ହେବ। ଏଥିରେ ୩୫୮ଟି ମହିଳା ଗୋଷ୍ଠୀ ଓ ୧୫୮ ପଞ୍ଚାୟତର ମହିଳାଙ୍କୁ ନିଆଯିବ।

ସହରର ବିଭିନ୍ନ ବସ୍ତିରେ କାର୍ଯ୍ୟ କରିବା ପାଇଁ ମଧ୍ୟ ଯୋଜନା ପ୍ରସ୍ତୁତ କରାଯାଇଛି ବୋଲି ଆୟୋଜିକାମାନେ କହିଥିଲେ। ଏହି ଉଦ୍‌ଘାଟନୀ ଉତ୍ସବରେ ବିଶିଷ୍ଟ ସମାଜକର୍ମୀ ତୁଳସୀ ମୁଣ୍ଡା, ନୃତ୍ୟଶିଳ୍ପୀ ଅରୁଣା ମହାନ୍ତି, ଅଭିନେତ୍ରୀ ଅନୁ ଚୌଧୁରୀ ଓ କଣ୍ଠଶିଳ୍ପୀ ଶୈଳଭାମା ମହାପାତ୍ର ନିଜ ମତ ଦେଇଥିଲେ।

Comment