ଓଡ଼ିଶାଲାଇଭ୍‌ ବ୍ୟୁରୋ

 ଖୋର୍ଦ୍ଧା ବାଣପୁର ନିକଟ ଘଣ୍ଟଶିଳା ପାହାଡ଼ରେ ପଥରରୁ ବାହାରୁଛି ଘଣ୍ଟି ଶବ୍ଦ! ଖବର ପ୍ରସାରିତ ହେବାପରେ ଲୋକଙ୍କ ଭିଡ଼।  

(ଖୋର୍ଦ୍ଧାରୁ ଦିଲ୍ଲୀପ ନାଇଡୁ): ପଥରକୁ ପଥର ପିଟିଲେ ଶୁଭୁଛି ଘଣ୍ଟି ଶବ୍ଦ। ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବାଣପୁର ନିକଟ ଘଣ୍ଟଶିଳା ପାହାଡ଼ ଉପରେ। ଏପରି ଅଲୌକିକ ଘଟଣା ପ୍ରସାରିତ ହେବା ପରେ ଏହାକୁ ଦେଖିବାକୁ ଚାରିଆଡୁ ଲୋକଙ୍କ ଭିଡ଼ ଜମିଛି।

ବାଣପୁର ନିକଟରେ ରହିଛି ଘଣ୍ଟଶିଳା ପାହାଡ଼। ନୂଆବର୍ଷ ଦିନ କିଛି ସ୍ଥାନୀୟ ଯୁବକ ବଣଭୋଜି କରିବାକୁ ପାହାଡ଼ ଉପରକୁ ଯାଇଥିଲେ। ପାହାଡ଼ରେ ଥିବା ବଡ଼ ବଡ଼ ପଥର ଖଣ୍ଡରେ ଯୁବକମାନେ ସେମାନଙ୍କ ନାଁ ଲେଖିଥିଲେ। ପରେ ସେହି ପଥରକୁ ତଳକୁ ଫିଙ୍ଗିଦେଇଥିଲେ। ତଳେ ଥିବା ଏକ ପଥର ଉପରେ ପଥରଗୁଡ଼ିକ ପଡ଼ିବା ପରେ ଘଣ୍ଟି ଭଳି ଶବ୍ଦ ହୋଇଥିଲା। ଯୁବକ ଜଣକ ଏହା ଶୁଣି କୌତୁହଳରେ ପୁଣି ଥରେ ପଥରକୁ ଅନ୍ୟ ଏକ ଛୋଟ ପଥର ଖଣ୍ଡରେ ପିଟିବାରୁ ସେହିପରି ଶବ୍ଦ ବାହାରିଥିଲା।

ପୁରାଣ ଯୁଗରେ ବାଣାସୁର ଏହି ଶିଳାଖଣ୍ଡକୁ ପିଟି ଘଣ୍ଟି ଶବ୍ଦ କରି ମା’ଙ୍କୁ ପୂଜାର୍ଚ୍ଚନା କରୁଥିଲେ ବୋଲି ଲୋକକଥା ରହିଛି। ଏଠାରେ ରହିଛି ଆରାଧ୍ୟା ଦେବୀ ମା’ ଭଗବତୀଙ୍କ ମନ୍ଦିର। ମା’ଙ୍କ ମନ୍ଦିରଠାରୁ ପ୍ରାୟ ୩୫୦ ମିଟର ଦୂରରେ ରହିଛି ଘଣ୍ଟଶିଳା ପର୍ବତ।

କିମ୍ବଦନ୍ତୀ ଅନୁଯାୟୀ, ପୁରାଣ ଯୁଗରେ ବାଣାସୁର ଏଠାରେ ରାଜତ୍ୱ କରୁଥିଲେ। ତାଙ୍କରି ନାଁ ଅନୁଯାୟୀ ଏହି ସ୍ଥାନର ନାମ ବାଣପୁର ହୋଇଛି। ବାଣାସୁରଙ୍କ ଆରାଧ୍ୟ ଦେବୀ ହେଉଛନ୍ତି ମା’ ଭଗବତୀ। ବାଣାସୁର ଘଣ୍ଟଶିଳା ପାହାଡ଼ରୁ ଘଣ୍ଟି ବଜାଇ ମା’ଙ୍କ ପୂଜାର୍ଚ୍ଚନା କରନ୍ତି ବୋଲି ବିଶ୍ୱାସ ରହିଛି। ସେହି କାରଣରୁ ଏହି ପାହାଡ଼କୁ ଘଣ୍ଟଶିଳା ବୋଲି କୁହାଯାଏ। ଘଣ୍ଟଶିଳା ପର୍ବତରେ ଘଣ୍ଟି ଭଳି ବାଜୁଥିବା ଏକ ଶିଳାଖଣ୍ଡ ଆବିଷ୍କୃତ ହେବା ପରେ ସ୍ଥାନୀୟ ଲୋକେ ଉତ୍ସାହିତ ହୋଇ ଉଠିଛନ୍ତି।

Comment