ଓଡ଼ିଶାଲାଇଭ୍‌ ବ୍ୟୁରୋ

ନିର୍ଭୟା ଗଣଦୁଷ୍କର୍ମର ୪ ଜଣ ଦୋଷୀଙ୍କୁ ଜାନୁଆରି ୨୨ରେ ଦିଆଯିବ ଫାଶୀ। ଦିଲ୍ଲୀର ପଟିୟାଲା ହାଉସକୋର୍ଟ ଏନେଇ ୪ ଜଣ ଦୋଷୀଙ୍କ ବିରୋଧରେ ଡେଥ୍‌ ଓ୍ଵାରେଣ୍ଟ ଜାରି କରିଛନ୍ତି। ସମସ୍ତ ଦୋଷୀଙ୍କୁ ତିହାରର ୩ନମ୍ଵର ଜେଲ୍‌ରେ ଫାଶୀ ଦିଆଯିବ। କୋର୍ଟ ଡେଥ୍‌ ଓ୍ଵାରେଣ୍ଟ ଜାରି କରିବା ପରେ ଜେଲ୍‌ ତରଫରୁ ଫାଶୀ ପାଇଁ ସମସ୍ତ ପ୍ରକ୍ରିୟା ଆରମ୍ଭ ହୋଇଥାଏ।

ଏହି ଅଧିକାରୀଙ୍କ ଉପସ୍ଥିତିରେ ଦିଆଯିବ ଫାଶୀ

ଫାଶୀ ଦେବା ସମୟରେ ସୁପରିଟେଣ୍ଡ, ଜେଲ ସୁପରିଟେଣ୍ଡ, ମେଡିକାଲ ଅଫିସରଙ୍କୁ ଉପସ୍ଥିତ ରହିବାକୁ ପଡ଼େ। ଏହାସହ ଜିଲ୍ଲା ମାଜିଷ୍ଟ୍ରେଟ ମଧ୍ୟ ଉପସ୍ଥିତ ରହିବା ଜରୁରୀ। ଯଦି ମାଜିଷ୍ଟ୍ରେଟ ନରହିପାରିଲେ ତାଙ୍କ ସ୍ଥାନରେ ଅତିରିକ୍ତ ମାଜିଷ୍ଟ୍ରେଟ ଉପସ୍ଥିତ ରହି ଓ୍ଵାରେଣ୍ଟରେ ଦସ୍ତଖତ କରିପାରିବେ।

ଯଦି ଫାଶି ସମୟରେ କଏଦୀ ଚାହାନ୍ତି ତାଙ୍କ ଧର୍ମର ପୂଜାରୀ ସେଠାରେ ଉପସ୍ଥିତ ରହିପାରିବେ। ହେଲେ ଏହି ନିଷ୍ପତ୍ତି ନେବା ଜେଲ ଅଧିକାରୀଙ୍କ ଉପରେ ନିର୍ଭର କରେ। ଏହା କରିବା ପୂର୍ବରୁ ଜେଲ୍‌ର ସୁରକ୍ଷା ପ୍ରତି ମଧ୍ୟ ଦୃଷ୍ଟି ଦେବାକୁ ହୋଇଥାଏ।

ଫାଶୀ ସମୟରେ କୌଣସି ବାହାର ଲୋକଙ୍କୁ ସେଠାରେ ଉପସ୍ଥିତ ରହିବାକୁ ଅନୁମତି ଦିଆଯାଇନଥାଏ। କେବଳ ୧୦ ଜଣ କନଷ୍ଟେବଳ, ଓ୍ଵାଡର୍ସ ଓ ୨ ଜଣ ହେଡ୍‌ ଓ୍ଵାଡର୍ସ ଉପସ୍ଥିତ ରହିବେ।

ଫାଶୀ ସମୟରେ କଏଦୀର ଦୁଇ ହାତକୁ ପିଠି ପଟକୁ ରଖି ବାନ୍ଧି ଦିଆଯାଏ। ଏହାପରେ ଡେପୁଟି ସୁପରିଟେଣ୍ଡ କଏଦୀକୁ ଫାଶୀ ଖୁଣ୍ଟ ପର୍ଯ୍ୟନ୍ତ ନେଇଯାନ୍ତି। ଏହି ସମୟରେ ହେଡ୍‌ ଓ୍ଵାଡର୍ସ ଓ ୬ଜଣ ଓ୍ଵାଡର୍ସ ଉପସ୍ଥିତ ରୁହନ୍ତି।

ସୁପରିଟେଣ୍ଡଙ୍କ ଇସାରାରେ ଜହ୍ଲାଦ ଦେଇଥାଏ ଫାଶୀ

ଫାଶୀ ଦେବା ବେଳେ ଜହ୍ଲାଦ କଏଦୀର ଗୋଡ଼କୁ ବାନ୍ଧି ଦେଇଥାନ୍ତି। ପରେ ବେକରେ ଫାଶୀ ଦଉଡ଼ିକୁ ଲଗାଇ ସୁପରିଟେଣ୍ଡଙ୍କ ଇସାରାକୁ ଅପେକ୍ଷା କରିଥାନ୍ତି। ସୁପରିଟେଣ୍ଡ ଇସାରା ଦେବା ମାତ୍ରେ ଜହ୍ଲାଦ କଏଦୀକୁ ଫାଶୀରେ ଝୁଲାଇ ଦେଇଥାନ୍ତି।

ଫାଶୀର ପ୍ରାୟ ଅଧଘଣ୍ଟା ପର୍ଯ୍ୟନ୍ତ କଏଦୀକୁ ଝୁଲାଇକି ରଖାଯାଏ। ପରେ ମେଡିକାଲ ଅଫିସର କଏଦୀକୁ ମୃତ୍ୟୁ ପ୍ରମାଣିତ କରିଥାନ୍ତି। ଶେଷରେ ନିଜ ଧର୍ମ ଅନୁଯାୟୀ ତାଙ୍କ ଅନ୍ତିମ ସଂସ୍କାର କରାଯାଏ। ଯଦି ପରିବାର ତରଫରୁ ଅନ୍ତିମ ସଂସ୍କାର ପାଇଁ ଆବେଦନ କରାଯାଇଥାଏ, ତାହେଲେ ପରିବାରକୁ ଶବ ହସ୍ତାନ୍ତର କରିଦିଆଯାଏ।

Comment