ଓଡ଼ିଶାଲାଇଭ୍‌ ବ୍ୟୁରୋ

ଏସିଡ୍‌ ଆକ୍ରମଣକୁ ନେଇ ଦୀପିକା ପଦୁକନଙ୍କ ଅଭିନୀତ ଫିଲ୍ମ ‘ଛପକ’ ଶୁକ୍ରବାର ରିଲିଜ ହୋଇଛି। ଏକ ରିପୋର୍ଟ ଅନୁସାରେ ଓଡ଼ିଶାରେ ଏସିଡ୍‌ ଆକ୍ରମଣ ବଢ଼ିବାରେ ଲାଗିଛି। ଜାତୀୟ କ୍ରାଇମ ରେକର୍ଡ ବ୍ୟୁରୋର ତଥ୍ୟ ଅନୁସାରେ ଦେଶର ଟପ୍‌ ତିନୋଟି ଏସିଡ୍‌ ଘଟଣା ରାଜ୍ୟ ଭିତରେ ଓଡ଼ିଶା ଆସୁଛି।

୨୦୦୫ରେ ଦିଲ୍ଲୀର ୧୫ ବର୍ଷୀୟା ଲକ୍ଷ୍ମୀ ଅଗ୍ରୱାଲଙ୍କ ଉପରେ ୩୨ ବର୍ଷୀୟ ନଦୀମ୍ ଖାନ୍‌ ଏସିଡ୍‌ ପକାଇ ଦେଇଥିଲେ। ଏହାକୁ ନେଇ ଫିଲ୍ମ ଛାପକ ତିଆରି ହୋଇଛି।

ଲକ୍ଷ୍ମୀଙ୍କ ପକ୍ଷରୁ କରାଯାଇଥିବା ଜନ ସ୍ୱାର୍ଥ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ୨୦୧୩ରେ ଏକ ଐତିହାସିକ ରାୟ ପ୍ରକାଶ କରିଥିଲେ। ଏହି ରାୟରେ ସୁପ୍ରିମକୋର୍ଟ ସବୁ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ କହିଥିଲେ ଯେ ଯେଉଁଠି ଏସିଡ୍‌ ଆକ୍ରମଣ ହେବ ପୀଡ଼ିତାମାନଙ୍କୁ ୩ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯିବ। ତାଛଡ଼ା ଏସିଡ୍‌ର ବିକ୍ରୀ ଉପରେ ମଧ୍ୟ କଟକଣା ଜାରି କରାଯାଇଥିଲା।

ଏହା ସତ୍ତ୍ୱେ ଓଡ଼ିଶାରେ ବିଭିନ୍ନ ସମୟରେ ଏସିଡ୍‌ ଫିଙ୍ଗା ଘଟଣା ସାମ୍ନାକୁ ଆସିଛି। ଆସନ୍ତୁ ଦେଖିବା କେଉଁଠି ଓ କେବେ ଏହି ଘଟଣା ଘଟିଥିଲା।
୨୦୧୯ ନଭମ୍ବେର ୨୭ରେ  କଟକର ଜନୈକ ଯୁବକ ଅଲେଖ ବାରିକଙ୍କ ଉପରେ ଏସିଡ୍‌ ପକାଇଥିବା ଅଭିଯୋଗରେ ପୋଲିସ ଜଣେ ଝିଅକୁ ଅଟକ ରଖିଥିଲା। ଏହା ପଛରେ ବିଫଳ ପ୍ରେମ ମୁଖ୍ୟ କାରଣ।

ସେହିପରି ୨୦୧୯ ଜାନୁଆରି ପହିଲାରେ କଳାହାଣ୍ଡି ଜିଲ୍ଲା କଲମପୁରରେ ଦେବନ୍ତି ନାମ୍ନୀ ଜଣେ ଝିଅ ଉପରେ ମାଝି ନାମକ ଜଣେ ପୁଅ ଏସିଡ୍‌ ମାଡ଼ କରିଥିଲା। ଏହା ପଛରେ ବି ପ୍ରେମ ଓ ପ୍ରତିଶୋଧ କାରଣ ଥିଲା।

କେବଳ ଗତ ବର୍ଷ ଏହି  ଦୁଇଟି ଘଟଣା ଘଟିଥିବା ବେଳେ ଏସିଡ୍‌ ସର୍ଭ।ଇଭର୍ସ ଆଣ୍ଡ ଉମେନ ୱେଲଫେୟାର ଫାଉଣ୍ଡେସନ ନାମକ ଏକ ଏନଜିଓ ପକ୍ଷରୁ କୁହାଯାଇଛି ଯେ ୨୦୧୧ରୁ ୨୦୧୯ ମଧ୍ୟରେ ରାଜ୍ୟରେ ୭୦ଟି ଏସିଡ୍‌ ଫିଙ୍ଗା ଘଟଣା ଘଟିଛି। ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ୨୦୧୪ରେ ସୁପ୍ରିମକୋର୍ଟର ନିର୍ଦ୍ଦେଶ ସତ୍ତ୍ୱେ ରାଜ୍ୟରେ ଏଭଳି ଘଟଣା କାହିଁକି  ବରାବର ଘଟୁଛି ଓ ସରକାର କ’ଣ କରୁଛନ୍ତି?

Comment