ଓଡ଼ିଶାଲାଇଭ୍‌ ବ୍ୟୁରୋ  

(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): ସମୁଦ୍ର ଉପକୂଳ ଅଞ୍ଚଳ ଓ ନଦୀ କୂଳିଆ ଅଞ୍ଚଳରେ ପ୍ରଦୂଷଣ ମାତ୍ରା ବୃଦ୍ଧି ପାଉଛି। ଫଳରେ ସିଧାସଳଖ ଏହି ପ୍ରଦୂଷଣର ପ୍ରଭାବ ସମୁଦ୍ର ପାଣିରେ ପଡୁଛି। ଏଥିପାଇଁ ସମୁଦ୍ର ଜଳ ପ୍ରଦୂଷିତ ହେବାରେ ଲାଗିଛି। ସମୁଦ୍ର ପ୍ରଦୂଷିତ ହେବାରୁ ବିରଳ ସାମୁଦ୍ରିକ ଜୀବଜନ୍ତୁମାନେ ଏହାଦ୍ଵାରା ପ୍ରଭାବିତ ହେଉଛନ୍ତି।

କେନ୍ଦ୍ରାପଡା ଜିଲ୍ଲାର ପ୍ରଦୂଷିତ ସମୁଦ୍ର ଉପତ୍ୟକାକୁ ନେଇ ଚିନ୍ତାରେ ରାଜ୍ୟ ଉପକୂଳ ପରିଚାଳନା କର୍ତ୍ତୃପକ୍ଷ। ବିଶେଷକରି ଜିଲ୍ଲାର ମହାକାଳପଡା, ରାଜନଗର ଓ ରାଜକନିକା ବ୍ଲକର ଅନେକ ଅଞ୍ଚଳ ସମୁଦ୍ର ଓ ନଦୀକୂଳବର୍ତ୍ତୀ। ଏହି ଅଞ୍ଚଳମାମନଙ୍କରେ ନଦୀ କୂଳେକୂଳେ ଗଢ଼ି ଉଠିଛି ହଜାର ହଜାର ହେକ୍ଟର ବେଆଇନ ଚିଙ୍ଗୁଡ଼ି ଘେରି। ସମୁଦ୍ରର ଲୁଣା ଜୁଆରର ପାଣିକୁ ଏହି ଚିଙ୍ଗୁଡ଼ି ମାଫିଆମାନେ ଚିଙ୍ଗୁଡ଼ି ଘେରିରେ ପ୍ରବେଶ କରାଇ ଚିଙ୍ଗୁଡ଼ି ଚାଷ କରିଥାନ୍ତି।

ଚିଙ୍ଗୁଡ଼ି ଚାଷରେ ବ୍ୟବହାର କରାଯାଉଥିବା ରାସାୟନିକ ପଦାର୍ଥ ଓ ଘେରିର ଅପରିଷ୍କାର ପାଣିକୁ ଚିଙ୍ଗୁଡ଼ି ଚାଷୀମାନେ ସିଧାସଳଖ ଏହି ନଦୀ ଓ ନାଳକୁ ଛାଡିଦିଅନ୍ତି। ଏପରିକି ପଚା ଚିଙ୍ଗୁଡ଼ି, ଚୂନ, ପ୍ଲାଷ୍ଟିକ ବ୍ୟାଗ, ପ୍ଲାଷ୍ଟିକ ଡବା ଆଦି ଏହି ନଦୀନାଳ ବାଟେ ସମୁଦ୍ରକୁ ଯାଏ। ଫଳରେ ସମୁଦ୍ର ଜଳରେ ପ୍ରଦୂଷଣର ମାତ୍ରା ଆସ୍ତେଆସ୍ତେ ବୃଦ୍ଧି ପାଇବାରେ ଲାଗିଛି।

ଏହାଛଡା ଏହି ନଦୀ ପାର୍ଶ୍ଵରେ ଗଢ଼ି ଉଠୁଥିବା ଛୋଟଛୋଟ ହାଟ ବଜାର ଅଳିଆ ଆବର୍ଜନା ଏହି ନଦୀରେ ଛଡ଼ାଯାଉଛି। ଏପରିକି ନଦୀକୂଳିଆ ଗାଁମାନଙ୍କର ଡ୍ରେନ ଓ ପାଇଖାନା ଆଦିର ପାଣିକୁ ଏହି ନଦୀମାନଙ୍କରେ ଛଡାଯାଉଛି। ଫଳରେ ସିଧାସଳଖ ନଦୀ ବାଟଦେଇ ମଇଳା ପାଣି ସମୁଦ୍ରକୁ ଚାଲିଯାଉଛି, ଯାହା ସମୁଦ୍ର ପାଣିକୁ ବିପଦ ଆଡ଼କୁ ଟାଣିନେଉଛି।

ଏଥିପାଇଁ ଚିନ୍ତାରେ ରାଜ୍ୟ ଉପକୂଳ ପରିଚାଳନା କର୍ତ୍ତୃପକ୍ଷ। ସମୁଦ୍ରକୁ ପ୍ରଦୂଷଣ ମୁକ୍ତ କରିବାକୁ କେନ୍ଦ୍ରାପଡା ଜିଲ୍ଲା ଉପକୂଳ ଅଞ୍ଚଳ ତଦାରଖ କମିଟି ଗଠନ ହୋଇଛି। ଏଥିପାଇଁ ଓଡିଶା ସରକାର ଉପକୂଳ ଅଞ୍ଚଳର ଚିଠା ଓ ନକ୍ସା ପ୍ରସ୍ତୁତ କରିଛନ୍ତି। ଉପକୂଳର ଏହି ନୂତନ ଅଞ୍ଚଳର ଚିଠା ନକ୍ସାକୁ ଚୂଡାନ୍ତ କରିବାକୁ ସମ୍ପୃକ୍ତ ଅଞ୍ଚଳର ଜନସାଧାରଣଙ୍କ ମତାମତ ଆହ୍ଵାନ କରାଯାଇଛି।

ଏହି ନୂତନ ଚିଠା ଓ ନକ୍ସା କାର୍ଯ୍ୟକାରୀ ହେଲେ ସମୁଦ୍ରଠାରୁ ୫୦୦ ମିଟର ଓ ସମୁଦ୍ର ଲୁଣା ଜୁଆର ପହଞ୍ଚୁଥିବା ନଦୀ ନାଳ ପାର୍ଶ୍ଵରୁ ୫୦ ମିଟର ମଧ୍ୟରେ ଲାଗୁ କରାଯିବ ନୂତନ କଟକଣା। ଏହା ମଧ୍ୟରେ ଚିଙ୍ଗୁଡ଼ି ଘେରି କରାଯିବା ଉପରେ କଟକଣା ଲାଗିବା ସହିତ ନଦୀ, ନାଳ ଓ ସମୁଦ୍ର ପାଖରେ ପକ୍କାଘର ନିର୍ମାଣ, ହାଟ ବଜାର ନିର୍ମାଣ ଉପରେ କଟକଣା ଲଗାଯିବ ବୋଲି ଜିଲ୍ଲା ଉପକୂଳ ତଦାରଖ କମିଟିର ସଦସ୍ୟ ସଚିବ ତଥା ରାଜନଗର ଡିଏଫ୍ଓ ବିକାଶ ରଞ୍ଜନ ଦାଶ ସୂଚନା ଦେଇଛନ୍ତି।

Comment