ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଭାରତୀୟ ରେଳବାଇ ପକ୍ଷରୁ ଚାହିଦା ମୁତାବକ କଣ୍ଟେଣ୍ଟ ସେବା (ସିଓଡି)
  • ୨୦୨୨ ସୁଦ୍ଧା କାର୍ଯ୍ୟକାରୀ ହେବ
  • ୩୦୦୩ଟି ପ୍ରିମିୟମ, ମେଲ ଓ ଏକ୍ସପ୍ରେସ ଟ୍ରେନରେ ମିଳିବ ସୁବିଧା
  • ୫୫୬୩ଟି ୱାଇଫାଇ ସଂଯୁକ୍ତ ରେଳ ଷ୍ଟେସନରେ ମିଳିବ ସେବା

ଟ୍ରେନ୍‌ରେ ଯାତ୍ରା କରିବା ବେଳେ ଯାତ୍ରୀମାନେ ଖବରକାଗଜ କିମ୍ବା ମାଗାଜିନ୍‌ ପଢ଼ି ଯାତ୍ରା କରିଥାନ୍ତି। ଏବେ ଡିଜିଟାଲ ମିଡିଆ ଯୁଗରେ ଯାତ୍ରୀମାନଙ୍କୁ ନୂଆ ସୁବିଧା ଦେବାକୁ ଭାରତୀୟ ରେଳବାଇ କର୍ତ୍ତୃପକ୍ଷ ଯୋଜନା କରୁଛନ୍ତି।

ଟ୍ରେନ୍‌ ଯାତ୍ରୀଙ୍କୁ ଯାତ୍ରା ସମୟରେ ଆଗକୁ ମନୋରଞ୍ଜନର ସୁବିଧା ଯୋଗାଇ ଦେବାକୁ ବ୍ୟବସ୍ଥା କରାଯାଉଛି। ଭାରତୀୟ ରେଳବାଇ ପକ୍ଷରୁ ଚାହିଦା ମୁତାବକ କଣ୍ଟେଣ୍ଟ ସେବା (ସିଓଡି) ସେବା ଖୁବଶୀଘ୍ର ଯୋଗାଇ ଦେବା ପାଇଁ ଯୋଜନା କରାଯାଉଛି। ଏହି ସେବା ମାଧ୍ୟମରେ ଯାତ୍ରୀମାନେ ବିଭିନ୍ନ ଭାଷାର ଚଳଚ୍ଚିତ୍ର ଦେଖିବା ସହ ସଙ୍ଗୀତ ଶୁଣି ପାରିବେ। ଶିକ୍ଷା ଏବଂ ଲାଇଫ୍‌ ଷ୍ଟାଇଲ ସମ୍ପର୍କୀତ ସୂଚନା ପାଇ ପାରିବେ। ଏହି ସେବା ସମ୍ପୂର୍ଣ୍ଣ ନିଃଶୁଳ୍କ ରହିବ।

ଏହି ସେବା ସମସ୍ତ ପ୍ରିମିୟମ, ଏକ୍ସପ୍ରେସ, ମେଲ ଟ୍ରେନ ଓ ସହରାଞ୍ଚଳ ଟ୍ରେନରେ ମିଳିପାରିବ। ଅଧିକ ଅଣଭଡ଼ା ରାଜସ୍ୱ ସଂଗ୍ରହ ଉଦ୍ଦେଶ୍ୟରେ ଏହା ଶୁଭାରମ୍ଭ କରାଯାଉଛି। ରେଳ ମନ୍ତ୍ରାଳୟ ଅଧୀନ ନବରତ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ରେଲଟେଲ ସହିତ ମିଶି ରେଳବାଇ ବୋର୍ଡ ଟ୍ରେନରେ ଯାତ୍ରୀଙ୍କ ପାଇଁ ଚାହିଦା ମୁତାବକ ସେବା ଯୋଗାଇ ଦେବାକୁ ଯୋଜନା କରିଛି।

ଏଥିପାଇଁ ରେଲଟେଲ ପକ୍ଷରୁ ଜି ଏଣ୍ଟରଟେନମେଣ୍ଟର ସହାୟକ କମ୍ପାନି ମେସର୍ସ ମାର୍ଗୋ ନେଟୱାର୍କକୁ ଡିଜିଟାଲ ମନୋରଞ୍ଜନ ସେବା ପ୍ରଦାନକାରୀ ଭାବେ ଚୟନ କରାଯାଇଛି। ଏହା ଟ୍ରେନ ଓ ରେଳ ଷ୍ଟେସନରେ ଚାହିଦା ମୁତାବକ କେଣ୍ଟଣ୍ଟ ସେବା (ସିଓଡି) ଯୋଗାଇ ଦେବ। ଏହି ପ୍ରକଳ୍ପ ୨ ବର୍ଷ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି।

ରେଲଟେଲ ପକ୍ଷରୁ ଚଳନ୍ତା ଟ୍ରେନରେ ସଂଯୋଗ ହୋଇଥିବା ମିଡିଆ ସର୍ଭର ଜରିଆରେ ପୂର୍ବରୁ ଲୋଡ ହୋଇଥିବା ବିଭିନ୍ନ ଭାଷାର କାର୍ଯ୍ୟକ୍ରମ ଯୋଗାଇ ଦିଆଯିବ। ସିଓଡି ପ୍ଲାଟଫର୍ମ ଜରିଆରେ ଇ-କମର୍ସ/ଏମ-କମର୍ସ ସେବା, ଯାତ୍ରା ବୁକିଂ (କ୍ୟାବ, ବସ, ଟ୍ରେନ) ସେବା ଯୋଗାଇ ଦିଆଯିବ। ଏହାଛଡ଼ା ଡିଜିଟାଲ ମାର୍କେଟିଂ କ୍ଷେତ୍ରରେ ବିଭିନ୍ନ ଅଭିନବ ସମାଧାନ ମଧ୍ୟ ଉପଲବ୍ଧ ହେବ।

ସିଓଡି ମାଧ୍ୟମରେ ଟ୍ରେନରେ ଯାତ୍ରା ସମୟରେ ଯାତ୍ରୀମାନେ ସେମାନଙ୍କ ବ୍ୟକ୍ତିଗତ ଡିଭାଇସ ଜରିଆରେ ମାଗଣା କିମ୍ବା ଶୁଳ୍କଯୁକ୍ତ ମନୋରଞ୍ଜନ ସେବା ଏବଂ ଉଚ୍ଚ ମାନର ଇଣ୍ଟରନେଟ ସେବା ପାଇପାରିବେ।

ରେଲଟେଲର ସିଏମ୍‌ଡି ପୁନୀତ ଚାଓଲା କହିଛନ୍ତି, ‘‘୨୦୨୨ ସୁଦ୍ଧା ପ୍ରକଳ୍ପ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ ହେବ। ଚାହିଦା ଅନୁଯାୟୀ କଣ୍ଟେଣ୍ଟଟ ସେବା ଯାତ୍ରୀଙ୍କ ଯାତ୍ରା ଅନୁଭୂତିରେ ସୁଧାର ଆଣିପାରିବ। ଏହା ଅଣଭଡ଼ା ରାଜସ୍ୱ ମଧ୍ୟ ବୃଦ୍ଧି କରିବ। ଏହି ସେବା ଭାରତୀୟ ରେଳପଥର ସମସ୍ତ ୧୭ଟି ଜୋନରେ ଉପଲବ୍ଧ ହେବ।’’

ସାରା ଦେଶରେ ଚାଲୁଥିବା ୩୦୦୩ଟି ପ୍ରିମିୟମ, ମେଲ ଓ ଏକ୍ସପ୍ରେସ ଟ୍ରେନ, ୨୮୬୪ ଯୋଡ଼ା ସହରାଞ୍ଚଳ ଟ୍ରେନ (ମୋଟ ୫୭୨୮ଟି ଟ୍ରେନ)କୁ ମିଶାଇ ୮୭୩୧ଟି ଟ୍ରେନରେ ଏହି ସେବା ଯୋଗାଇ ଦେବା ଲାଗି ଯୋଜନା ହୋଇଛି। ସେହିପରି ଦେଶରେ ଥିବା ୫୫୬୩ଟି ୱାଇଫାଇ ସଂଯୁକ୍ତ ରେଳ ଷ୍ଟେସନରେ ସିଓଡି ସେବା ମିଳିପାରିବ।

LEAVE A REPLY

Please enter your comment!
Please enter your name here