ଓଡ଼ିଶାଲାଇଭ୍ ବ୍ୟୁରୋ

ବାହାନଗା ବଜାର ରେଳଷ୍ଟେସନରେ ଏବେ ରହିବନି କୌଣସି ଟ୍ରେନ। ବାହାନଗା ଦୁର୍ଘଟଣାର ତଦନ୍ତ ଜାରି ରହିଥିବାରୁ ଏବେ ଷ୍ଟେସନରେ ଟ୍ରେନ ରହଣିକୁ ବନ୍ଦ କରାଯାଇଛି। ଏନେଇ ଦକ୍ଷିଣ-ପୂର୍ବ ରେଳପଥର ମୁଖ୍ୟ ଲୋକସମ୍ପର୍କ ଅଧିକାରୀ ଆଦିତ୍ୟ କୁମାର ଚୌଧୁରୀ ସୂଚନା ଦେଇଛନ୍ତି।

“ବାହାନଗାରେ ଦୁର୍ଘଟଣା ଘଟିଥିବା ସ୍ଥଳରେ ଏବେ ସିବିଆଇ ଓ ରେଲୱେ ସେଫ୍ଟି କମିଶନରଙ୍କ ପକ୍ଷରୁ ତଦନ୍ତ କରାଯାଉଛି। ଏଥିପାଇଁ ବାହାନଗା ଷ୍ଟେସନରେ ରେଳ ଟ୍ରାକର ରିଲେ ପ୍ୟାନେଲ୍ ସିଲ କରାଯାଇଛି। ପରବର୍ତ୍ତୀ ନିର୍ଦେଶ ଯାଏଁ ବାହାନଗା ଷ୍ଟେସନରେ କୌଣସି ପ୍ରକାରର ପାସେଞ୍ଜର, ମେମୁ କିମ୍ବା ମାଲବାହୀ ଟ୍ରେନ୍ ଅଟକିବ ନାହିଁ”, କହିଛନ୍ତି ଆଦିତ୍ୟ କୁମାର ଚୌଧୁରୀ।

ବାହାନଗା ଟ୍ରେନ ଦୁର୍ଘଟଣାର ତଦନ୍ତ ଉଭୟ ସିବିଆଇ ଓ ରେଲୱେ ସେଫ୍ଟି କମିଶନରଙ୍କ ପକ୍ଷରୁ କରାଯାଉଛି। ସିବିଆଇର ଫରେନସିକ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣାର ବିଭିନ୍ନ ଦିଗ ଯାଞ୍ଚ କରୁଛନ୍ତି। ସିବିଆଇ ପକ୍ଷରୁ ତଦନ୍ତ ପାଇଁ ଷ୍ଟେସନରେ ଟ୍ରାକ ପରିଚାଳନା ପାଇଁ ବ୍ୟବହାର ହେଉଥିବା ରିଲେ ପ୍ୟାନେଲ୍ ସିଲ କରାଯାଇଛି। ଏହାଛଡ଼ା ଷ୍ଟେସନର ଲଗ ବୁକକୁ ନିଜ ଅକ୍ତିଆରକୁ ନେଇଛି ସିବିଆଇ।

ଶୁକ୍ରବାର ରାତିରେ ହୋଇଥିବା ବାହାନଗା ଟ୍ରେନ୍ ଦୁର୍ଘଟଣାରେ ଏ ଯାଏଁ ୨୮୮ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଅନ୍ୟପଟେ ଏଥିରେ ୧୧୭୫ ଜଣ ଯାତ୍ରୀ ଆହତ ହୋଇଥିଲେ। ଏବେ ଦୁର୍ଘଟଣାସ୍ଥଳରେ ଟ୍ରାକ୍ ମରାମତି କାମ ଶେଷ ହୋଇଥିବାବେଳେ ଉଭୟ ମେନ ଲାଇନରେ ଟ୍ରେନ ଚଳାଚଳ ସ୍ଵାଭାବିକ ହୋଇଛି।

Tags: #BahanagaTrainTragedy #TrainAccidentinOdisha #CBIInvestigation #IndianRailway

 

Comment