ଓଡ଼ିଶାଲାଇଭ୍ ବ୍ୟୁରୋ

ଜେଲରୁ ମୁକୁଳିଲେ ବହୁ ଚର୍ଚ୍ଚିତ ନିଠାରୀ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ମୋନିନ୍ଦର ସିଂ ପନ୍ଧେର। ଅକ୍ଟୋବର ୧୬ ତାରିଖରେ ଆହ୍ଲାବାଦ ହାଇକୋର୍ଟ ନିଠାରୀ ହତ୍ୟାକାଣ୍ଡ ମାମଲାର ଦୁଇ ଅଭିଯୁକ୍ତ ମୋନିନ୍ଦର ସିଂ ପନ୍ଧେର ଓ ସୁରେନ୍ଦ୍ର କୋଲିଙ୍କ ଫାଶୀଦଣ୍ଡ ରଦ୍ଦ କରିବା ସହ ଏମାନଙ୍କୁ ନିର୍ଦୋଷରେ ଖଲାସ କରିବାକୁ ନିର୍ଦେଶ ଦେଇଥିଲେ।

ଶୁକ୍ରବାର ଦିନ ଗୌତମ ବୁଦ୍ଧ ଜିଲ୍ଲା କାରାଗାରରୁ ମୋନିନ୍ଦର ସିଂଙ୍କୁ ମୁକ୍ତ କରାଯାଇଛି। ଜେଲରୁ ମୁକୁଳିବା ପରେ ମୋନିନ୍ଦରଙ୍କୁ ଜଣେ ପରିବାର ସଦସ୍ୟ ଏବଂ ୩ ଜଣ ଓକିଲଙ୍କ ସାଥିରେ ଦେଖିବାକୁ ମିଳିଥିଲା।

ଗତ ୨୦୦୫-୦୬ ମସିହାରେ ଉତ୍ତରପ୍ରଦେଶ ନୋଏଡାର ଗୌତମ ବୁଦ୍ଧନଗରର ନିଠାରୀ ଅଞ୍ଚଳରୁ ମୋନିନ୍ଦର ସିଂ ପନ୍ଧେରଙ୍କ ଘର ପଛରେ ଥିବା ଡ୍ରେନରୁ ୧୯ଟି ନର କଙ୍କାଳ ଉଦ୍ଧାର ହୋଇଥିଲା। ଏହି ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ନିଠାରୀ ଡି-୫ କୋଠାର ମାଲିକ ମୋନିନ୍ଦର ସିଂ ଏବଂ ତାଙ୍କ ଘରେ କାମ କରୁଥିବା ସୁରେନ୍ଦ୍ର କୋଲିଙ୍କୁ ନୋଏଡା ପୋଲିସ ଗରିଫ କରିଥିଲା। ପରେ ଏହି ମାମଲା ସିବିଆଇକୁ ହସ୍ତାନ୍ତର କରାଯାଇଥିଲା।

ନିଠାରୀ ହତ୍ୟା ମାମଲରେ ସିବିଆଇ ୧୬ଟି ମାମଲା ରୁଜୁ କରିଥିଲା। ଏଥିମଧ୍ୟରୁ ସୁରେନ୍ଦ୍ର କୋଲିଙ୍କୁ ୧୪ଟି ମାମଲାରେ ମୃତ୍ୟୁଦଣ୍ଡ ଦିଆଯାଇଥିଲା। ସେଥିରୁ ୧୨ଟି ମାମଲାରେ ସୁରେନ୍ଦ୍ର ଦୋଷମୁକ୍ତ ହୋଇଥିବା ଜଣାପଡ଼ିଛି।

ମୋନିନ୍ଦର ସିଂଙ୍କ ବିରୋଧରେ ୬ଟି ମାମଲା ରୁଜୁ ହୋଇଥିବାବେଳେ ତାଙ୍କୁ ୩ଟି ମାମଲାରେ ମୃତ୍ୟୁଦଣ୍ଡ ଦିଆଯାଇଥିଲା। ପରେ ସେ ଦୁଇଟି ମାମଲାରେ ନିର୍ଦୋଷ ସାବ୍ୟସ୍ତ ହୋଇଥିଲେ।

ଅକ୍ଟୋବର ୧୬ ତାରିଖରେ ଆହ୍ଲାବାଦ ହାଇକୋର୍ଟ ନିଠାରୀ ହତ୍ୟାକାଣ୍ଡର ଦୁଇ ଅଭିଯୁକ୍ତ ମୋନିନ୍ଦର ସିଂ ପନ୍ଧେର ଏବଂ ସୁରେନ୍ଦ୍ର କୋଲିଙ୍କ ପାଶୀଦଣ୍ଡ ରଦ୍ଦ କରିବା ସହ ଦୁଇ ଅଭିଯୁକ୍ତଙ୍କୁ ନିର୍ଦୋଷରେ ଖଲାସ କରିବାକୁ ନିର୍ଦେଶ ଦେଇଥିଲେ।

 Tags: #Nitharimurdercase #cbiinvestigation #Allahabadhighcourt #mainaccusedMonindersinghpandher #Moninderelease

Comment