ଓଡ଼ିଶାଲାଇଭ୍ ବ୍ୟୁରୋ

AIIMS-Bhubaneswar OPD

ବାହାନଗା ଟ୍ରେନ ଟ୍ରାଜେଡିରେ ପ୍ରାଣ ହରାଇଥିବା ଯାତ୍ରୀଙ୍କ ମୃତଦେହ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି। ପରିବାର ଲୋକେ ଏବେ ସେମାନଙ୍କ ଆତ୍ମୀୟଙ୍କ ଶବକୁ ଖୋଜିବାରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଭୁବନେଶ୍ଵରର ବିଭିନ ଡାକ୍ତରଖାନାରେ ସମ୍ପର୍କୀୟମାନେ ଭିଡ଼ ଲଗାଉଛନ୍ତି। ଏବେ ମୃତକମାନଙ୍କୁ ଚିହ୍ନଟ ପାଇଁ ଅନ୍ୟ ହସ୍ପିଟାଲ ନଯାଇ କେବଳ ଭୁବନେଶ୍ୱର ଏମ୍ସରେ ପହଞ୍ଚିବାକୁ ସମ୍ପର୍କୀୟଙ୍କୁ ପରାମର୍ଶ ଦିଆଯାଇଛି। ଏନେଇ ବୁଧବାର ଦିନ ପୂର୍ବତଟ ରେଲପଥ ପକ୍ଷରୁ କୁହାଯାଇଛି।

ବାହାନଗା ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୋଟ ୧୯୩ ଜଣ ଯାତ୍ରୀଙ୍କ ଶବ ଭୁବନେଶ୍ଵରେ ପହଞ୍ଚିଥିଲା। ଏଥିମଧ୍ୟରୁ ମଙ୍ଗଳବାର ଦିନ  ରାଜଧାନୀର ବିଭିନ୍ନ ହସ୍ପିଟାଲରେ ଥିବା ୩୯ଟି ଶବକୁ ଏମ୍ସ ଅଣାଯାଇଥିଲା। ଏବେ ସବୁ ମୃତ ଦେହ ଏମ୍ସରେ ହିଁ ରହିଛି।

ସବୁ ମୃତ ଦେହକୁ ଗୋଟିଏ ସ୍ଥାନରେ ରଖିଲେ ସମ୍ପର୍କୀୟଙ୍କୁ ଶବ ଚିହ୍ନଟରେ ସମସ୍ୟା ହେବ ନାହିଁ ବୋଲି ଏଭଳି ନିଷ୍ପତ୍ତି ନିଆଯାଇଛି। ଏଗୁଡ଼ିକର ଚିହ୍ନଟ ପାଇଁ ଏମ୍ସରେ ଡିଏନଏ ଟେଷ୍ଟିଂର ବ୍ୟବସ୍ଥା କରାଯାଇଛି।

ଦୁର୍ଘଟଣା ହେବା ପରଠୁ ଭୁବନେଶ୍ୱର ଏମ୍ସରେ ଏଯାଏଁ ୧୬୨ଟି ମୃତଦେହ ପହଞ୍ଚିଛି। ଏଗୁଡ଼ିକ ମଧ୍ୟରୁ ଏ ପର୍ଯ୍ୟନ୍ତ ୭୧ଟି ମୃତଦେହକୁ ଚିହ୍ନଟ କରାଯାଇ ସେମାନଙ୍କ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯାଇଛି। ଅନ୍ୟ ମୃତ ଦେହଗୁଡ଼ିକର ଚିହ୍ନଟ ପ୍ରକ୍ରିୟା ଏବେ ଜାରି ରହିଛି।

ଶୁକ୍ରବାର ରାତିରେ ହୋଇଥିବା ବାହାନଗା ଟ୍ରେନ୍ ଦୁର୍ଘଟଣାରେ ଏ ଯାଏଁ ୨୮୮ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଅନ୍ୟପଟେ ଏଥିରେ ୧୧୭୫ ଜଣ ଯାତ୍ରୀ ଆହତ ହୋଇଥିଲେ। ଏବେ ଦୁର୍ଘଟଣା ସ୍ଥଳରେ ଟ୍ରାକ୍ ମରାମତି କାମ ଶେଷ ହୋଇଥିବାବେଳେ ଉଭୟ ମେନ ଲାଇନରେ ଟ୍ରେନ ଚଳାଚଳ ସ୍ଵାଭାବିକ ହୋଇଛି।

Tags: #BahanagaTrainTragedy #TrainAccidentinOdisha #TrainMishap #IndianRailway

 

Comment