ଓଡ଼ିଶାଲାଇଭ୍ ବ୍ୟୁରୋ

ଜାନୁଆରି ୨୨ ତାରିଖରେ ନିର୍ଭୟା ଗଣଦୁଷ୍କର୍ମକାରୀଙ୍କୁ ଫାଶୀଦଣ୍ଡ ମିଳିବନି। ଦିଲ୍ଲୀର ପଟିୟାଲା ହାଉସକୋର୍ଟ ଗୁରୁବାର ଫାଶୀ ଦଣ୍ଡାଦେଶ ଉପରେ ରହିତାଦେଶ ଲଗେଇ ଦେଇଛନ୍ତି। ନିର୍ଭୟା ଗଣଦୁଷ୍କର୍ମରେ ଫାଶୀଦଣ୍ଡାଦେଶ ପାଇଥିବା ଦୋଷୀ ମୁକେଶ ସିଂହର ଆବେଦନ ଉପରେ ଶୁଣାଣି କରି ଦିଲ୍ଲୀର ପଟିୟାଲା ହାଉସକୋର୍ଟ ଏହି ନିଷ୍ପତ୍ତି ନେଇଛନ୍ତି। କିଛିଦିନ ପୂର୍ବେ ଦୋଷୀ ମୁକେଶ ସିଂହର କ୍ୟୁରେଟିଭ୍ ପିଟିସନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଥିଲା। ଏହାପରେ ମୁକେଶ ଦିଲ୍ଲୀ ହାଇକୋର୍ଟରେ ଆଉ ଏକ ଆବେଦନ କରିଥିଲେ। ସେ ଆବେଦନ କରିଥିଲେ ଯେ ତାଙ୍କର ରାଜକ୍ଷମା ଆବେଦନ ଏବେ ରାଷ୍ଟ୍ରପତିଙ୍କ ପାଖରେ ରହିଛି। ରାଷ୍ଟ୍ରପତି ଏପର୍ଯ୍ୟନ୍ତ ତାଙ୍କର ନିଷ୍ପତ୍ତି ଶୁଣାଇନାହାନ୍ତି, ତେଣୁ ରାଷ୍ଟ୍ରପତିଙ୍କ ନିଷ୍ପତ୍ତି ନଆସିବା ପର୍ଯ୍ୟନ୍ତ ତାକୁ ଫାଶୀ ଦିଆଯାଇପାରିବ ନାହିଁ।

ବୁଧବାର ଦିଲ୍ଲୀ ସରକାରଙ୍କ ତରଫରୁ ଲଢୁଥିବା ଓକିଲ ମଧ୍ୟ ସେହି ସମାନ କଥା ଦୋହରାଇଥିଲେ। ସେ କହିଥିଲେ ଯେ ରାଷ୍ଟ୍ରପତି ନିଜର ନିଷ୍ପତ୍ତି ଶୁଣାଇବାର ୧୪ ଦିନ ମଧ୍ୟରେ ଦୋଷୀଙ୍କୁ କୌଣସି ଦଣ୍ଡ ଦିଆଯାଇପାରିବ ନାହିଁ। ଏଥିପାଇଁ ଆମର ସ୍ୱତନ୍ତ୍ର ନିୟମ ରହିଛି। ଦୋଷୀମାନଙ୍କୁ ଜାନୁଆରି ୨୨ ତାରିଖରେ କଦାପି ଫାଶୀ ମିଳିବ ନାହିଁ ବୋଲି ସେ କହିଥିଲେ।

Comment