ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶିକ୍ଷାବିତ୍‍, ସମାଜସେବୀ ତଥା କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ କମ୍ପ୍ୟୁଟର୍‍ ସୋସାଇଟି ଅଫ୍‍ ଇଣ୍ଡିଆ(ସିଏସ୍‍ଆଇ) ପକ୍ଷରୁ ଲାଇଫ୍‍ ଟାଇମ୍‍ ଆଚିଭ୍‌ମେଣ୍ଟ ସମ୍ମାନ ପ୍ରଦାନ କରାଯାଇଛି। ଭୁବନେଶ୍ୱରରେ ତିନିଦିନ ଧରି ଚାଲିଥିବା ସିଏସ୍‍ଆଇର ୫୩ତମ ବାର୍ଷିକ ସମ୍ମିଳନୀର ଉଦ୍‍ଯାପନୀ ଉତ୍ସବରେ ଶନିବାର ଅଚ୍ୟୁତ ସାମନ୍ତଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି।

ଏହି ସମ୍ମିଳନୀରେ ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ୍‍ ସଞ୍ଜୟ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅଚ୍ୟୁତ ସାମନ୍ତଙ୍କୁ ଏହି ସମ୍ମାନ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସାଇବର ସୁରକ୍ଷା ପରାମର୍ଶଦାତା ଡକ୍ଟର ଗୁଲ୍‍ସନ୍‍ ରାୟ, ନ୍ୟାସ୍‍ନାଲ୍‍ ବୋର୍ଡ ଅଫ୍‍ ଆକ୍ରିଡିଟେସନ୍‍ର ଅଧ୍ୟକ୍ଷ ପ୍ରଫେସର କେକେ ଅଗ୍ରୱାଲ, ଆଇଏଫ୍‍ଆଇପିର ଅଧ୍ୟକ୍ଷ ପ୍ରଫେସର ମାଇକ୍‍ ହିଞ୍ଚି, ସିଏସ୍‍ଆଇ ଇଣ୍ଡଷ୍ଟ୍ରି କମିଟିର ଆବାହାକ ଅଙ୍କୁର ପଟେଲ୍‍, ସମ୍ମିଳନୀ କାର୍ଯ୍ୟକ୍ରମ କମିଟି ପ୍ରଫେସର ପି କେ ବେହେରା, ସମ୍ମିଳନୀ କମିଟିର ଅଧ୍ୟକ୍ଷ ଆର କେ ବ୍ୟାସ୍‍ ପ୍ରମୁଖ ଉପସ୍ଥିତ ଥିଲେ।

ଶିକ୍ଷା ଓ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ତଥା ପ୍ରଯୁକ୍ତି ବିଦ୍ୟାର ପ୍ରଚାର ଓ ପ୍ରସାର ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ ନିମନ୍ତେ ଅଚ୍ୟୁତ ସାମନ୍ତଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ୨୦୧୪ ମସିହାରେ ଶ୍ରୀ ସାମନ୍ତଙ୍କୁ ସିଏସ୍‍ଆଇ ପକ୍ଷରୁ ସମ୍ମାନସୂଚକ ଫେଲୋସିପ୍‍ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଥିଲା।

ଏନେଇ ଅଚ୍ୟୁତ ସାମନ୍ତ କହିଛନ୍ତି, “ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଏବେ ଆମ ପ୍ରତ୍ୟେକଙ୍କ ଜୀବନର ଏକ ଅଙ୍ଗ ପାଲଟିଛି। ପ୍ରତି କ୍ଷେତ୍ରରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର ଅପରିହାର୍ଯ୍ୟ ହୋଇପଡ଼ିଛି। ସିଏସ୍‍ଆଇ ପକ୍ଷରୁ ଏହି ସମ୍ମାନ ପ୍ରଦାନ କରାଯାଇଥିବାରୁ ମୁଁ ସିଏସ୍‍ଆଇର କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଜଣାଉଛି।“

Comment