ଓଡ଼ିଶାଲାଇଭ୍‌ ବ୍ୟୁରୋ

ଏଣିକି ଆଉ ଗୁପ୍‍ଚୁପ୍‍ ବିକିବାକୁ ପଡ଼ିବ ନାହିଁ। ଏବେ ଆନନ୍ଦପୁରର ମେଧାବୀ ଛାତ୍ର ରାହୁଲ ମହତ କିଟ୍‍ ବିଶ୍ୱବିଦ୍ୟାଳୟରେ ପାଠ ପଢ଼ିବେ। ଉଚ୍ଚ ବୈଷୟିକ ଶିକ୍ଷା ପାଇଁ ରାହୁଲଙ୍କୁ ସହାୟତାର ହାତ ବଢ଼ାଇଛି କିସ୍‍ ଫାଉଣ୍ଡେସନ୍‍।

କେନ୍ଦୁଝର ଜିଲ୍ଲା ଆନନ୍ଦପୁର ପୌର ପରିଷଦର ଗରିବ ମେଧାବୀ ଛାତ୍ର ହେଲେ ରାହୁଲ। ଚଳିତବର୍ଷ +୨ ପରୀକ୍ଷାରେ ୮୭ ପ୍ରତିଶତ ନମ୍ବର ରଖି ପାସ୍‍ କରିଛନ୍ତି ରାହୁଲ। ପିତାଙ୍କ ଦେହାନ୍ତ ପରେ ଦାରିଦ୍ର‌୍ୟ ଯୋଗୁଁ ତାଙ୍କ ପାଠ ପଢ଼ାରେ ଡୋରି ବନ୍ଧା ହୋଇଥିଲା ଓ ପରିବାର ପ୍ରତିପୋଷଣ ପାଇଁ ସେ ଗୁପ୍‍ଚୁପ୍‍ ବ୍ୟବସାୟ କରିବାକୁ ବାଧ୍ୟ ହୋଇଥିଲେ। ତାଙ୍କ ସଂଘର୍ଷମୟ ଜୀବନ ବିଷୟରେ ଗଣମାଧ୍ୟମରେ ପ୍ରସାରଣ ହେବା ପରେ କିସ୍‍ ଫାଉଣ୍ଡେସନ୍‍ର ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କ ତାଙ୍କୁ  ସହଯୋଗର ହାତ ବଢ଼ାଇଛନ୍ତି।  ତାଙ୍କ ପରିବାର ସହ ଯୋଗାଯୋଗ କରି ତାଙ୍କୁ କିଟ୍‍ ବିଶ୍ୱବିଦ୍ୟାଳୟରେ ବିନା ଦେୟରେ ମେକାନିକାଲ ଇଂଜିନିୟରିଂ ପଢ଼ାଯିବାର ବ୍ୟବସ୍ଥା କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ଏହା ସହ ଭବିଷ୍ୟତରେ ନିଯୁକ୍ତି ମଧ୍ୟ ସୁନିଶ୍ଚିତ କରାଇବା ପାଇଁ ଅଚ୍ୟୁତ ସାମନ୍ତ ଘୋଷଣା କରିଛନ୍ତି। କୌଣସି ପିଲା ଅର୍ଥାଭାବରୁ ଶିକ୍ଷାରୁ ଯେଭଳି ବଞ୍ଚିତ ନ ହୁଏ ସେଥିପାଇଁ କିସ୍‍ ଫାଉଣ୍ଡେସନ୍‍ ସର୍ବଦା ଯତ୍ନଶୀଳ ରହିଆସିଛି ବୋଲି ଅଚ୍ୟୁତ ସାମନ୍ତ କହିଛନ୍ତି।

Comment