ଓଡ଼ିଶାଲାଇଭ୍ ବ୍ୟୁରୋ

ସଫଳ ହେଲା ଦେଶବାସୀଙ୍କ ପ୍ରାର୍ଥନା ଏବଂ ଉଦ୍ଧାରକାରୀ ଦଳଙ୍କର ପରିଶ୍ରମ। ଦୀର୍ଘ ୧୦୫ ଘଣ୍ଟା ଧରି ବୋରଓ୍ଵେଲ ଭିତରେ ଜୀବନ-ମୃତ୍ୟୁ ସହ ସଂଘର୍ଷ ପରେ ଶେଷରେ ଉଦ୍ଧାର ହୋଇଛି ୧୦ ବର୍ଷର ରାହୁଲ।

ଛତିଶଗଡ଼ ରାଜ୍ୟର ଚମ୍ପା ଜିଲ୍ଲା ପିହରିଦ ଗାଁରେ ଗତ ଶୁକ୍ରବାର, ଜୁନ ୧୦ ତାରିଖ ମଧ୍ୟାହ୍ନ ସମୟରେ ନିଜ ଘର ନିକଟରେ ଖୋଳାଯାଇଥିବା ବୋରଓ୍ଵେଲ ଭିତରେ ଗଳିପଡ଼ିଥିଲା ୧୦ ବର୍ଷ ରହୁଲ ସାହୁ। ଦୀର୍ଘ ୧୦୫ ଘଣ୍ଟା ଧରି ବୋରଓ୍ଵେଲ ଭିତରେ ଜୀବନ-ମୃତ୍ୟୁ ସହ ସଂଘର୍ଷ ପରେ ଶେଷରେ ଉଦ୍ଧାର ହୋଇଛି ରାହୁଲ।

ବୋରଓ୍ଵେଲର ଗଭୀରତା ଥିଲା ପ୍ରାୟ ୬୫ ଫୁଟ। ଦୀର୍ଘ ୧୦୫ ଘଣ୍ଟାର ଅପରେସନ ପରେ ଉଦ୍ଧାର ହୋଇଛି ରହୁଲ। ରାହୁଲକୁ ଉଦ୍ଧାର କରାଯିବା ପରେ ପ୍ରାୟ ୧୦୦ କିଲୋମିଟର ଲମ୍ବା ଗ୍ରୀନ କରିଡର କରାଯାଇ ବିଳାଶପୁରସ୍ଥିତ ହସ୍ପିଟାଲକୁ ଆମ୍ବୁଲାନ୍ସରେ ନିଆଯାଇଥିଲା। ୫ ଦିନର ଏହି ଉଦ୍ଧାର କାର୍ଯ୍ୟରେ ଏନଡିଆରଏଫ, ସେନା, ସ୍ଥାନୀୟ ପୋଲିସ ଏବଂ ପ୍ରଶାସନିକ ଅଧିକାରୀଙ୍କ ସମେତ ପ୍ରାୟ ୫୦୦ରୁ ଅଧିକ କର୍ମଚାରୀ ଲାଗିପଡ଼ିଥିଲେ।

ଗତ ଶୁକ୍ରବାର ଦିନ ବୋରଓ୍ଵେଲରେ ପଡ଼ିଥିଲା ରାହୁଲ

ମାଲଖରୋଦା ବ୍ଲକର ପିହରିଦ ଗାଁର ରାହୁଲ ସାହୁ ଖେଳୁଥିବା ସମୟରେ ନିଜ ଘର ନିକଟରେ ଖୋଳାଯାଇଥିବା ବୋରଓ୍ଵେଲ ଭିତରକୁ ଗଳିପଡ଼ିଥିଲା। ପ୍ରାୟ ୬୫ ଫୁଟ ଗଭୀରତାରେ ଫସି ରହିଥିଲା ରାହୁଲ। ଗତ ୧୦ ତାରିଖ ଦିନ ପ୍ରାୟ ୨ଟା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଏହି ଖବର ପ୍ରସାର ହେବା କ୍ଷଣି ଜିଲ୍ଲାପାଳ ଜିତେନ୍ଦ୍ର କୁମାର ଶୁକ୍ଳାଙ୍କ ନେତୃତ୍ଵରେ ଜିଲ୍ଲା ପ୍ରଶାସନର ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗିପଡ଼ିଥିଲେ। ପାଇପ ଲାଇନ ବ୍ୟବସ୍ଥା କରାଯାଇ ରାହୁଲ ପାଖରେ ଅକ୍ସିଜେନ ପହଞ୍ଚା ଯାଇଥିଲା। କ୍ୟାମେରା ଲଗାଇ ରହୁଲର ଗତିବିଧି ଉପରେ ନଜର ରଖାଯାଇଥିଲା। କେବଳ ଏତିକି ନୁହେଁ ଉଦ୍ଧାରକାରୀ ଟିମ୍ ଏବଂ ପରିବାର ଲୋକେ ବାହାରେ ରହି ରାହୁଲର ମନୋବଳ ବଢ଼ାଉଥିଲେ।

ରାହୁଲର ସ୍ଵାସ୍ଥ୍ୟାବସ୍ଥା ସ୍ଥିର ଅଛି: ଡାକ୍ତର

ଦୀର୍ଘ ୧୦୫ ଘଣ୍ଟା ବୋରଓ୍ଵେଲ ଭିତରେ ପାଣିରେ ରହି ଉଦ୍ଧାର ହେବା ପରେ ଡାକ୍ତରଖାନରେ ଭର୍ତ୍ତି ହୋଇଛି ରାହୁଲ। ରାହୁଲର ସ୍ଵାସ୍ଥ୍ୟାବସ୍ଥା ସ୍ଥିର ରହିଥିବା କହିଛନ୍ତି ରହୁଲର ଚିକିତ୍ସା କରୁଥିବା ଡାକ୍ତର। ରାହୁଲର ସ୍କିନ ଆନାଲିସିସ ଶେଷ ହୋଇଛି। ତା’ର ଚର୍ମର ଅବସ୍ଥା ଭଲ ରହିଛି। ରାହୁଲ ବର୍ତ୍ତମାନ ସୁସ୍ଥ ଅଛି ଏବଂ ସେ ଖାଇବା ପିଇବା କରୁଛି ବୋଲି କହିଛନ୍ତି ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପ୍ରମୋଦ ମହାଜନ।

ଜୁସ ଏବଂ ଫଳ ଖାଇବାକୁ ଦିଆଯାଉଥିଲା 

୬୫ ଫୁଟ ତଳେ ଫସି ରହିଥିବା ରାହୁଲ ପାଇଁ ଜୁସ ଏବଂ ଫଳର ବ୍ୟବସ୍ଥା କରାଯାଇଥିଲା। ନିୟମିତ ବ୍ୟବଧାନରେ ତା’ ପାଖରେ ଖାଇବା ପହଞ୍ଚା ଯାଉଥିଲା। କ୍ୟାମେରା ମାଧ୍ୟମରେ ପ୍ରତିକ୍ଷଣ ରାହୁଲ ଉପରେ ନଜର ରଖାଯିବା ସହ ଅକ୍ସିଜେନ ସପ୍ଲାଇ କରାଯାଉଥିଲା। ଘଟଣାସ୍ଥଳରେ ଆମ୍ବୁଲାନ୍ସ ସହ ଡାକ୍ତର ଉପସ୍ଥିତ ରହିଥିଲେ।

ଉଦ୍ଧାର କାର୍ଯ୍ୟରେ ଲାଗିଥିଲେ ଓଡ଼ିଶାର ଏନଡିଆରଏଫ ଟିମ୍

ନିଜ ଘର ନିକଟରେ ଖୋଳାଯାଇଥିବା ବୋରଓ୍ଵେଲ ଭିତରେ ଫସି ରହିଥିବା ରାହୁଲକୁ ଉଦ୍ଧାର କରିବା ପାଇଁ ବିଭିନ୍ନ ଉଦ୍ଧାରକାରୀ ଦଳ ପହଞ୍ଚି ଯାଇଥିଲେ ଘଟଣାସ୍ଥଳରେ। ଓଡ଼ିଶାର କଟକରୁ ପହଞ୍ଚିଥିଲେ ଏନଡିଆରଏଫ ଟିମ୍। ରାଜ୍ୟ ବିପର୍ଯ୍ୟୟ ପରିଚାଳନା ଟିମ୍ ସହିତ ଭିଲାଇରୁ ଆସିଥିବା ଏନଡିଆରଏଫ ଟିମ୍ ମଧ୍ୟ ଉଦ୍ଧାର କାର୍ଯ୍ୟରେ ଲାଗିପଡ଼ିଥିଲେ। କର୍ଣ୍ଣେଲ ଚିନ୍ମୟ ପାରିଖ ନିଜ ଟିମ୍ ସହ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲେ। ରାହୁଲକୁ ଉଦ୍ଧାର କରିବା ପାଇଁ ସବୁ ପ୍ରକାର ଚେଷ୍ଟା କରାଯାଇଥିଲା।

ସୁଡ଼ଙ୍ଗ କରି ଉଦ୍ଧାର କରାଯାଇଥିଲା ରାହୁଲକୁ

ବୋରଓ୍ଵେଲ ନିକଟରେ ଖନନ କାର୍ଯ୍ୟ ଆରମ୍ଭ କରି ରାହୁଲକୁ ଉଦ୍ଧାର କରିବାକୁ ଯୋଜନା କରାଯାଇଥିଲା। ରାତି ପ୍ରାୟ ୧୨ଟାରେ ଭିନ୍ନ ଭିନ୍ନ ମେସିନ ଦ୍ଵାରା ଖନନ କାର୍ଯ୍ୟ ଚାଲିଥିଲା। ପ୍ରାୟ ୬୫ ଫୁଟ ଖୋଳାଯିବା ପରେ ରାସ୍ତା ନିର୍ଣ୍ଣୟ କରାଯାଇଥିଲା।

ଏନଡିଆରଏଫ ଏବଂ ସେନା ସହିତ ଜିଲ୍ଲା ପ୍ରଶାସନ ଟିମ୍ ଡ୍ରିଲିଂ କରି ବୋରଓ୍ଵେଲ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ସୁଡ଼ଙ୍ଗ ତିଆରି କରିଥିଲେ। ସୁଡ଼ଙ୍ଗ କରିବା ସମୟରେ ଅନେକ ଥର ଟାଣ ଚଟାଣ ବାଧା ସୃଷ୍ଟି କରିଥିଲା। ଏହା ପରେ ଅଧିକ କ୍ଷମତାଯୁକ୍ତ  ଡ୍ରିଲିଂ ମେସିନ ଅଣାଯାଇଥିଲା। ଏହା ସହାୟତାରେ ବହୁ କଷ୍ଟରେ ରାହୁଲ ପର୍ଯ୍ୟନ୍ତ ପହଞ୍ଚିବାକୁ ସୁଡ଼ଙ୍ଗ ତିଆରି କରାଯାଇଥିଲା।

୧୦୦ କିମି ଦୂର ଗ୍ରୀନ କରିଡ଼ର

ଏନଡିଆରଏଫ ଏବଂ ସେନା ସହିତ ଜିଲ୍ଲା ପ୍ରଶାସନର ଟିମ୍ ଡ୍ରିଲିଂ କରି ବୋରଓ୍ଵେଲ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ସୁଡ଼ଙ୍ଗ ନିର୍ମାଣ କରି ରାହୁଲକୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ। ଦୀର୍ଘ ୧୦୫ ଘଣ୍ଟାର ଚେଷ୍ଟା ପରେ ଶେଷରେ ରାହୁଲକୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ ଉଦ୍ଧାରକାରୀ ଦଳ। ଏନଡିଆରଏଫ ଯବାନମାନେ ରାହୁଲକୁ ଉଦ୍ଧାର କରିଥିଲେ। ରାହୁଲକୁ ଉଦ୍ଧାର କରାଯିବା ପରେ ସେଠାରେ ଉପସ୍ଥିତ ଡାକ୍ତର ତା’ର ସ୍ଵାସ୍ଥ୍ୟ ପରୀକ୍ଷା କରିଥିଲେ। ଏହା ପରେ ଆମ୍ବୁଲାନ୍ସ ଯୋଗେ ୧୦୦ କିଲୋମିଟର ପର୍ଯ୍ୟନ୍ତ ଲମ୍ବା ଗ୍ରୀନ କରିଡର କରି ଡାକ୍ତରଖାନାକୁ ନିଆଯାଇଥିଲା ରାହୁଲକୁ।

ଦିନରାତି ଲାଗି ପଡ଼ିଥିଲେ ଉଦ୍ଧାରକାରୀ ଦଳ

ରାହୁଲର ସୁରକ୍ଷିତ ଉଦ୍ଧାର ପାଇଁ ଦେଶବାସୀ ପ୍ରାର୍ଥନା କରୁଥିବାବେଳେ ଦିନରାତି ଏକ କରି ଲାଗିପଡ଼ିଥିଲେ ଉଦ୍ଧାରକାରୀ ଦଳ। ଘଟଣାସ୍ଥଳରେ ଅପରେସନ ପୁରା ହେବା ପର୍ଯ୍ୟନ୍ତ ଜିଲ୍ଲାପାଳ ଜିତେନ୍ଦ୍ର କୁମାର ଶୁକ୍ଳା, ପୋଲିସ ଅଧୀକ୍ଷକ ବିଜୟ ଅଗ୍ରଓ୍ଵାଲଙ୍କ ସହ ଅନେକ ଅଧିକାରୀ, କର୍ମଚାରୀ ଲାଗିପଡ଼ିଥିଲେ ରାହୁଲକୁ ସୁରକ୍ଷିତ ଭାବେ ବାହାରକୁ ବାହାର କରିବାକୁ। ପ୍ରାୟ ୧୦୫ ଘଣ୍ଟାର ପରିଶ୍ରମ ପରେ ସଫଳ ହୋଇଥିଲା ରାହୁଲର ଉଦ୍ଧାର କାର୍ଯ୍ୟ।

ସହଜ ନଥିଲା ଉଦ୍ଧାର କାର୍ଯ୍ୟ

ଜିଲ୍ଲାପାଳ ଜିତେନ୍ଦ୍ର କୁମାର ଶୁକ୍ଳା କହିଥିଲେ ଯେ, ରାହୁଲକୁ ସୁରକ୍ଷିତ ଭାବେ ବୋରଓ୍ଵେଲରୁ ବାହାର କରିବା ଏତେ ସହଜ ନଥିଲା। ସମସ୍ତ ଉଦ୍ଧାରକାରୀ ଦଳ ଏଥିପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ କରିଛନ୍ତି। ସମସ୍ତଙ୍କର ଗୋଟିଏ ଲକ୍ଷ୍ୟ ଥିଲା କିଭଳି ସୁରକ୍ଷିତ ଭାବେ ରାହୁଲ ବାହାରକୁ ଆସିବ।

କୌଣସି ସ୍ଥାନରେ ବୋରଓ୍ଵେଲ ଖୋଲା ନରଖିବା ଲାଗି ଜିଲ୍ଲା ପ୍ରଶାସନ ସହତ ସାଧାରଣ ଲୋକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ। ଆଗକୁ ସଜାଗ ରହିଲେ ଏହି ଭଳି ଅଭାବନୀୟ ଘଟଣା ଘଟିବ ନାହିଁ ବୋଲି ପରାମର୍ଶ କହିଛନ୍ତି ଜିଲ୍ଲାପାଳ।

Tags: #Rescue #OperationSuccess #RescueOperation

Comment