ଓଡ଼ିଶାଲାଇଭ୍ ବ୍ୟୁରୋ

ବାଲେଶ୍ଵର ଜିଲ୍ଲା ବାହାନଗା ରେଳ ଷ୍ଟେସନ ନିକଟରେ ଘଟିଥିବା ସିରିଜ ରେଳ ଦୁର୍ଘଟଣା ସାରା ବିଶ୍ଵକୁ ସ୍ତବ୍ଧ କରିଦେଲା। ଚାହୁଁ ଚାହୁଁ ଅନେକ ଯାତ୍ରୀ ମୃତାହତ ହେଲେ। ଏହି ମହାବିପତ୍ତି ବେଳେ ବିଭିନ୍ନ ଆଡ଼ୁ ସହାୟତାର ହାତ ବଢ଼ିଥିଲା। ମୃତ ଏବଂ ଆହତ ଯାତ୍ରୀଙ୍କୁ ଉଦ୍ଧାର କରିବାକୁ ଘଟଣାସ୍ଥଳରେ ପହଞ୍ଚିଥିଲେ ବିଭିନ୍ନ ସ୍ଵେଚ୍ଛାସେବୀ ଅନୁଷ୍ଠାନ। ମୃତକ ଏବଂ ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନା ପର୍ଯ୍ୟନ୍ତ ପହଞ୍ଚାଇବା ଥିଲା ବଡ଼ ଚ୍ୟାଲେଞ୍ଜ।

“ବାହାନଗା ଟ୍ରେନ ଦୁର୍ଘଟଣା ପରର ଦୃଶ୍ୟ ଥିଲା ହୃଦୟ ବିଦାରକ। ଏଭଳି ଏକ ସମୟରେ ଦେବଦୂତ ସାଜିଥିଲେ ସ୍ଥାନୀୟ ଯୁବଗୋଷ୍ଠୀ। ମାନବିକତାର ପରିଚୟ ଦେଇ ଯାତ୍ରୀଙ୍କୁ ସହଯୋଗର ହାତ ବଢ଼ାଇଥିଲେ ସେମାନେ। ପରବର୍ତ୍ତୀ ସମୟରେ ପ୍ରଭାବିତଙ୍କୁ ଉଦ୍ଧାର କରିବାଠୁ ଆରମ୍ଭ କରି ସେମାନଙ୍କୁ ହସ୍ପିଟାଲରେ ପହଞ୍ଚାଇବା ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର ସହାୟତା ଯୋଗାଇ ଦେଇଥିଲେ ସ୍ଵେଚ୍ଛାସେବୀ”, କହିଛନ୍ତି ସମାଜସେବୀ ତଥା ନ୍ୟାସନାଲ ୟୁଥ ପ୍ରୋଜେକ୍ଟର ଆବାହକ ମଧୁସୂଦନ ଦାସ।

ଏହି ଛାତିଥରା ଦୁର୍ଘଟଣାରେ ମୃତ ଏବଂ ଆହତଙ୍କ ପାଇଁ କାନ୍ଦି ଉଠିଥିଲା ସମସ୍ତଙ୍କ ହୃଦୟ। କିଏ ନିଜ କିଏ ପର ନଭାବି ସହାୟତା ପାଇଁ ଆଗରେ ଛିଡ଼ା ହୋଇଥିଲେ ସମସ୍ତେ। ଏହି ମହାବିପତ୍ତି ବେଳେ ମାନବିକତାର ପରିଚୟ ଦେଇଥିଲେ ସ୍ଥାନୀୟ ଯୁବଗୋଷ୍ଠୀ। ଆହତମାନଙ୍କ ଜୀବନ ବଞ୍ଚାଇବା ଲାଗି ଗୋଟିଏ ରାତିରେ ଯୋଗାଡ଼ ହୋଇଥିଲା ୯୦୦ ୟୁନିଟ ରକ୍ତ।

କେବଳ ମୃତାହତ ନୁହଁନ୍ତି ଟ୍ରାକ୍ ସଜାଡ଼ିବାରେ ଲାଗିଥିବା ଶତାଧିକ କର୍ମଚାରୀଙ୍କୁ ସହଯୋଗ କରିଥିଲେ ସ୍ଥାନୀୟ ସ୍ଵେଚ୍ଛାସେବୀ ଏବଂ ବିଭିନ୍ନ ଅନୁଷ୍ଠାନ। ସମସ୍ତେ ଏକାଠି ହୋଇ କାମ କରିଥିଲେ।

ମୃତଦେହକୁ ସେମାନଙ୍କ ପରିବାର ଲୋକଙ୍କ ପାଖରେ ପହଞ୍ଚାଇବାଠାରୁ ଆରମ୍ଭ କରି ଅହତମାନଙ୍କୁ ଡାକ୍ତରଖାନା ପର୍ଯ୍ୟନ୍ତ ପହଞ୍ଚାଇବା ଏବଂ ସେମାନଙ୍କ ସେବା କରିବା ଆଦି ପର୍ଯ୍ୟନ୍ତ ବୁଝିଛନ୍ତି ଏହି ସ୍ଵେଚ୍ଛାସେବୀମାନେ। ଏହି ଦୁର୍ଘଟଣାରେ ଯାତ୍ରୀମାନେ ଶାରୀରିକ ଭାବେ ଯେତିକି କ୍ଷତିଗ୍ରସ୍ତ ହୋଇଛନ୍ତି ତା’ଠାରୁ ଅଧିକ ମାନସିକ ଭାବେ ପ୍ରଭାବିତ ମଧ୍ୟ ହୋଇଛନ୍ତି। ଏହି କ୍ଷତିଗ୍ରସ୍ତମାନଙ୍କ କାଉନସେଲିଂଠାରୁ ଆରମ୍ଭ କରି ଅନ୍ୟାନ୍ୟ ସହାୟତା ଯୋଗାଇ ଦେବାକୁ ସ୍ଵେଚ୍ଛାସେବୀ ଅନୁଷ୍ଠାନମାନେ ଆଗେଇ ଆସିଥିବା କହିଛନ୍ତି ମଧୁସୂଦନ ଦାସ।

Tags: #BahanagaTrainTragedy #TrainAccidentInOdisha #Rescue #Volunteers

Comment