ଓଡ଼ିଶାଲାଇଭ୍ ବ୍ୟୁରୋ

- ‘କୃଷି ଓଡ଼ିଶା-୨୦୨୦’ ଉଦଯାପିତ
- ଉଦଯାପନୀ ଉତ୍ସବରେ ଯୋଗ ଦେଲେ ରାଜ୍ୟପାଳ
- ଭୁବନେଶ୍ୱର ଜନତା ମଇଦାନରେ ପାଞ୍ଚ ଦିନ ଧରି ଚାଲିଥିଲା କୃଷି ମହାକୁମ୍ଭ
- ମାଟିର ସୁରକ୍ଷା ଏବଂ ପ୍ରଦୂଷଣ ରୋକିବାକୁ ପରାମର୍ଶ ଦେଲେ ରାଜ୍ୟପାଳ
- ଉଦଯାପନୀ ଉତ୍ସବରେ ‘ଷ୍ଟାଟ୍ଅପ୍ ମିଟ୍’
- କୃଷି ଶିଳ୍ପୋଦ୍ୟୋଗୀଙ୍କ ସହ ଆଲୋଚନା କଲେ ସରକାର
“ଚାଷ ଜମିରେ ବହୁଳ କୀଟନାଶକ ଏବଂ ରସାୟନିକ ସାର ବ୍ୟବହାର ହେଉଥିବାରୁ ମାଟି ବିଷାକ୍ତ ହୋଇଯାଇଛି। ଏହା କେବଳ ଚାଷୀ ପାଇଁ ନୁହେଁ, ସମଗ୍ର ସମାଜ ପାଇଁ ଚିନ୍ତାର କାରଣ ପାଲଟିଛି। ତେଣୁ ଆମକୁ ଆଜି ଜୈବିକ ଚାଷ ଉପରେ ଗୁରୁତ୍ୱ ଦେବାକୁ ପଡ଼ିବ। ସେହିପରି ମାଟିର ବିଭିନ୍ନ ପ୍ରକାରର ପ୍ରଦୂଷଣକୁ ରୋକିବାକୁ ହେବ। ଚାଷ ଜମିରେ ସୁନାର ଫସଲ ଫଳେଇବାକୁ ହେଲେ ମାଟିକୁ ପ୍ରଥମେ ସୁରକ୍ଷିତ ରଖିବାକୁ ପଡ଼ିବ’’, କହିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍।
ଫିକି ସହଯୋଗିତାରେ ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଭୁବନେଶ୍ୱର ଜନତା ମଇଦାନରେ ଚାଲିଥିବା ପାଞ୍ଚ ଦିନିଆ ‘କୃଷି ଓଡ଼ିଶା’ ଶୁକ୍ରବାର ଉଦ୍ଯାପିତ ହୋଇଛି। ଉଦଯାପନୀ ଉତ୍ସବରେ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମାଟିକୁ ରସାୟନିକ ସାରର କୁପ୍ରଭାବରୁ ମୁକ୍ତ ରଖିବା ଉପରେ ଗୁରୁତ୍ୱ ଦେଇଥିଲେ।
ରାଜ୍ୟପାଳ କହିଥିଲେ, “ପ୍ରାକୃତିକ ଦୁର୍ବିପାକ ଏବେ ଆମର ଚିର ସହଚର ପାଲଟି ଯାଇଛି। ପ୍ରକୃତି ଏବେ ଦାଉ ସାଧୁଛି। ବାତ୍ୟା, ସୁନାମି, ଅଗ୍ନିକାଣ୍ଡ ଭଳି ପ୍ରାକୃତିକ ଦୁର୍ବିପାକ ସମାଜର ମେରୁଦଣ୍ଡକୁ ଦୋହଲାଇ ଦେଉଛି। ଏସବୁ ଅଘଟଣ ପାଇଁ ଆମେ ସମସ୍ତେ ଦାୟୀ। ଏବେ ଚାରିଆଡ଼େ ପ୍ରଦୂଷଣର ମାତ୍ରା ବଢ଼ି ଚାଲିଛି। ଚାଷ ଜମି ମଧ୍ୟ ପ୍ରଦୂଷଣ କବଳରୁ ମୁକୁଳି ପାରିନି। ଏଣୁ ପ୍ରଦୂଷଣର ମାତ୍ରା କେମିତି କମିବ ସେଥିପାଇଁ ସମସ୍ତେ ସଚେତନ ହେବାର ବେଳ ଆସିଛି।’’
ଏହାସହ ରାଜ୍ୟପାଳ ଚାଷ ଜମିରେ ରସାୟନିକ ସାର ଏବଂ କୀଟନାଶକ ବଦଳରେ ଜୈବିକ ସାର ପ୍ରୟୋଗ କରିବାକୁ ପରାମର୍ଶ ଦେଇଥିଲେ।
“ଉନ୍ନତମାନର ଜ୍ଞାନକୌଶଳ, ଉନ୍ନତମାନର ବିହନ ଓ ସାର ଏବଂ କୃଷି ଯନ୍ତ୍ରାଂଶ ବ୍ୟବହାର କରି ଚାଷ କଲେ ଚାଷୀ ଅଧିକ ଲାଭ ପାଇବ। କୃଷି ଓଡ଼ିଶାରେ ଯେଉଁ ଚାଷୀ ଭାଇ ଭଉଣୀମାନେ ସାମିଲ ହୋଇଥିଲେ ସେମାନେ ନିଜ ଅଞ୍ଚଳର ଅନ୍ୟ ଚାଷୀଙ୍କୁ ଲାଭଜନକ ଚାଷ କରିବା ପାଇଁ ପ୍ରୋତ୍ସାହିତ କରନ୍ତୁ। ଅଧିକରୁ ଅଧିକ ଶିକ୍ଷିତ ଯୁବକ ଚାଷ କ୍ଷେତ୍ରକୁ ଆସିଲେ ଓଡ଼ିଶା କୃଷି କ୍ଷେତ୍ରରେ ଅନ୍ୟ ରାଜ୍ୟକୁ ଦିଦ୍ଦର୍ଶନ ଦେବ’’, କହିଥିଲେ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ।
‘‘କୃଷି ଓଡ଼ିଶାରୁ ଚାଷୀମାନେ ନୂତନ ଜ୍ଞାନ ଏବଂ ନୂଆ ଅନୁଭୂତି ନେଇ ଫେରିବେ। ଅତ୍ୟାଧୁନିକ ବୈଷୟିକ ଜ୍ଞାନ କୌଶଳ ଏବଂ ବୈଜ୍ଞାନିକ ପଦ୍ଧତିକୁ ଆପଣାଇ କିପରି ଲାଭଜନକ ଚାଷ କରି ହେବ ସେଦିଗରେ କୃଷି ମହୋତ୍ସବରେ ଅନୁଷ୍ଠିତ ହୋଇଥିବା ଆଲୋଚନାଚକ୍ର ଏବଂ ପାଠଶାଳା ବେଶ୍ ସହାୟକ ହେବ। ‘କୃଷି ଓଡ଼ିଶା’ରେ ଯେଉଁ ସବୁ ବିଷୟ ଉପରେ ଗୁରୁତ୍ୱ ଦିଆଯାଇଛି ତାକୁ ଯଦି କାର୍ଯ୍ୟରେ ଲଗାଯାଏ ତାହାଲେ ଚାଷୀର ଆୟ ବୃଦ୍ଧି ପାଇବ’’, କହିଥିଲେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ ଡକ୍ଟର ସୌରଭ ଗର୍ଗ।
“ଆମକୁ ଖାଦ୍ୟ ଉତ୍ପାଦନ ବୃଦ୍ଧି କରିବାକୁ ପଡ଼ିବ। ବିଶେଷକରି ପୁଷ୍ଟିକର ଖାଦ୍ୟ ଉତ୍ପାଦନ ବୃଦ୍ଧି ଉପରେ ଚାଷୀମାନଙ୍କୁ ଗୁରୁତ୍ୱ ଦେବାକୁ ପଡ଼ିବ। କମ୍ ଜମିରେ କିପରି ଅଧିକ ଉତ୍ପାଦନ ହୋଇପାରିବ ତାହା ହିଁ ବର୍ତ୍ତମାନ ସମୟର ବଡ଼ ଆହ୍ୱାନ’’, କହିଥିଲେ ଓୟୁଏଟି କୁଳପତି ପବନ କୁମାର ଅଗ୍ରୱାଲ।
ଅନ୍ୟମାନଙ୍କ ମଧ୍ୟରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡକ୍ଟର ସୌରଭ ଗର୍ଗ, ରାଜ୍ୟ ସାମାଜିକ ସୁରକ୍ଷା, ଭିନ୍ନକ୍ଷମ ସଶକ୍ତିକରଣ ଏବଂ ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।
‘ଲାଭଜନକ କୃଷି ପାଇଁ ପ୍ରୟାସ’ ଥିମକୁ ନେଇ ଜାନୁଆରି ୨୦ରୁ ଏହି କୃଷି ମହୋତ୍ସବ ଜନତା ମଇଦାନରେ ଚାଲିଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିଥିଲେ। ଏହି ମହୋତ୍ସବରେ ୨୨୮ଟି ଷ୍ଟଲ ପଡ଼ିଥିଲା। କୃଷି ସହ ଜଡ଼ିତ ଦେଶ ବିଦେଶର ୧୧୨ଟି କମ୍ପାନି ଭାଗ ନେଇଥିଲେ।
ଏଥର ‘କୃଷି ଓଡ଼ିଶା’ର ମାସ୍କଟ ରହିଥିଲା ‘ମାଣ୍ଡିଆ’। ମାଣ୍ଡିଆ ଉତ୍ପାଦନରେ ଆମ ରାଜ୍ୟ ବିଶେଷ ସଫଳତା ହାସଲ କରିଥିବାରୁ ଏହାକୁ ମାସ୍କଟ ରଖାଯାଇଥିଲା।
ଉଦଯାପନୀ ଉତ୍ସବରେ ରାଜ୍ୟର କୃଷି ଶିଳ୍ପୋଦ୍ୟୋଗୀଙ୍କ ସହ ରାଜ୍ୟ ସରକାର ଆଲୋଚନା କରିଥିଲେ। ଏହାସହ ‘ଷ୍ଟାଟ୍ ଅପ୍’ ମିଟ୍ ଅନୁଷ୍ଠିତ ହୋଇଥିଲା। ଏଥିରେ ୫୦ ଷ୍ଟାଟ୍ଅପ୍ ସାମିଲ ହୋଇଥିଲେ।
ପ୍ରତିଦିନ ପରି ଶୁକ୍ରବାର ମଧ୍ୟ ଦୁଇଟି ଶୀର୍ଷକକୁ ନେଇ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ପ୍ରଥମ ଅଧିବେଶନରେ ‘ଋତୁକାଳୀନ ଉତ୍ପାଦନ ଓ ଆୟ ବୃଦ୍ଧି ସଂରକ୍ଷିତ ଚାଷ’ ଏବଂ ଦ୍ୱିତୀୟ ଅଧିବେଶନରେ ‘ଜଳବାୟୁ ସମ୍ବେଦନଶୀଳତା ଓ ଜଳବାୟୁ ନିରୋଧୀ କୃଷି’ ଶୀର୍ଷକ ଉପରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା।
ପ୍ରଥମ ଅଧିବେଶନରେ ବାମଣ୍ଡା ବାୟୋଟେକର ନିର୍ଦ୍ଦେଶକ ନିରଞ୍ଜନ ପ୍ରଧାନ, ଢେଙ୍କାନାଳ କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଡକ୍ଟର ବିମଳେନ୍ଦୁ ମହାନ୍ତି ଓ ଓୟୁଏଟି ଫଳଚାଷ ଏବଂ ଭୂ-ନିର୍ମାଣ ବିଭାଗର ମୁଖ୍ୟ ଡକ୍ଟର ଶଶିକଳା ବେଉରା ପ୍ରମୁଖ ଯୋଗଦେଇ ଚାଷୀମାନଙ୍କ ସହ ଆଲୋଚନା କରିଥିଲେ।
ସେହିପରି ଦ୍ୱିତୀୟ ଅଧିବେଶନରେ ଆଇଆଇଡବ୍ଲ୍ୟୁଆର ବୈଜ୍ଞାନିକ ଡକ୍ଟର ଆତ୍ମାରାମ ମିଶ୍ର ଓ କଟକ ଜାତୀୟ ଧାନ ଗବେଷଣା କେନ୍ଦ୍ରର ବୈଜ୍ଞାନିକ ଡକ୍ଟର ଅମରେଶ କୁମାର ଯୋଗ ଦେଇଥିଲେ।
ଗତ ପାଞ୍ଚ ଦିନ ଧରି ଚାଲିଥିବା ‘କୃଷି ଓଡ଼ିଶା’ର ଉଦ୍ଯାପନୀ ଉତ୍ସବର ସିଧାପ୍ରସାରଣ ଓଡ଼ିଶାଲାଇଭ୍ର ଓଡ଼ିଶାଲାଇଭ୍ର ୟୁଟ୍ୟୁବ୍ ଚ୍ୟାନେଲ୍, ଫେସବୁକ୍ ପେଜ୍ରେ ଓ ଟୁଇଟରରେକରାଯାଇଥିଲା। ଅନ୍ୟ ଦିନର କାର୍ଯ୍ୟକ୍ରମ ମଧ୍ୟ ଓଡ଼ିଶାଲାଇଭ୍ରେ ସିଧାପ୍ରସାରଣ କରାଯାଇଥିଲା।


















