ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚୀନର ଉହାନରୁ ସୃଷ୍ଟି ହୋଇଛି ଭୟଙ୍କର କୋରୋନା ଭାଇରାସ। ଏହା କେବଳ ଚୀନ ନୁହେଁ, ଭାରତ ସମେତ ଆମେରିକା ଓ ୟୁରୋପରେ ମଧ୍ୟ ଏହି ଭାଇରସ୍‌ ମାତିବାରେ ଲାଗିଛି। କୋରୋନା ଭାଇରସ୍‌ରେ ଚୀନରେ ୪୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୮୦୦ରୁ ଅଧିକ ଲୋକ ଏଥିରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ଚୀନର ୧୩ଟି ସହରରେ ସ୍ଥିତି ସାଂଘାତିକ ରହିଛି।

ସେହିପରି ଶନିବାର କେରଳର ୭ ଜଣ ଲୋକଙ୍କ ପାଖରେ ମାରାତ୍ମକ କୋରୋନା ଭାଇରସ ଥିବା ସନ୍ଦେହ କରି ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏମାନେ ସମସ୍ତେ ଅଳ୍ପ ଦିନ ତଳେ ଚୀନରୁ ଫେରିଥିବାବେଳେ ଏମାନଙ୍କ ପାଖରେ ଏହି ଭାଇରସ ଥିବା ସନ୍ଦେହ କରାଯାଉଛି।

କ’ଣ ଏହି କୋରୋନା ଭାଇରସ୍‌?

ଏହି ଭାଇରସ୍‌ର ନାଁ ଏହାର ଆକାର ଅନୁସାରେ ରଖାଯାଇଛି। ଏହି ଭାଇରସ୍‌ ପଶୁ ଓ ମଣିଷଙ୍କୁ ଏକା ସାଙ୍ଗରେ ସଂକ୍ରମିତ କରିଥାଏ। କୋରୋନା ଭାଇରସ୍‌ ଚୀନର ବଜାରର ମିଳୁଥିବା ସାପମାନଙ୍କଠାରୁ ଆସିଥିବା ଜଣାପଡ଼ିଛି।

କୋରୋନା ଭାଇରସ୍‌ର ଲକ୍ଷଣ

କୋରୋନା ଭାଇରସ୍‌ ଯୋଗୁଁ ଶ୍ଵସନ ତନ୍ତ୍ରରେ ସଂକ୍ରମଣ ହୋଇଥାଏ। ଏହାପରେ ସାଧାରଣ ଭାବେ ଥଣ୍ଡା ଜ୍ଵର ହୋଇଥାଏ। ପରେ ମୁଣ୍ଡବିନ୍ଧା, ଖାସ ଓ କଫ, ତଣ୍ଟି ଦରଜ, ଜ୍ଵର, କ୍ଲାନ୍ତି ଅନୁଭବ କରିବା ସହ ବାନ୍ତି କରିବା ଓ ନିଶ୍ଵାସ ନେବାରେ ଅସୁବିଧା ଭଳି ଲକ୍ଷଣ ଦେଖାଯାଇଥାଏ।

 କୋରୋନା ଭାଇରସ୍‌କୁ ବ୍ୟପିବାକୁ କିପରି ରୋକିବା?

ଏହି ଭୟଙ୍କର ଭାଇରସ୍‌କୁ ବ୍ୟାପିବାରୁ ରୋକିବା ନିହାତି ଆବଶ୍ୟକ। ଏନେଇ ଡବ୍ଲୁଏଚ୍‌ଓ ଗାଇଡ୍‌ଲାଇନ୍‌ ଜାରି କରିଛି।

  • ଏଥିରେ ଆକ୍ରାନ୍ତ ଥିବା ରୋଗୀଙ୍କର ସଠିକ ଭାବେ ଦାୟିତ୍ଵ ନେବା ଆବଶ୍ୟକ।
  • ଶ୍ଵାସଜନିତ ରୋଗରେ ପୀଡ଼ିତ ଲୋକଙ୍କଠାରୁ ନିଜକୁ ଦୂରେଇ ରଖିବା ଉଚିତ୍‌।
  • ଯେଉଁଠାରେ ଏହି ରୋଗର ପ୍ରଭାବ ରହିଛି ସେଠାକୁ ଯାତ୍ରା ନକରିବା ଦରକାର।
  • ହାତକୁ ସଠିକ ଭାବେ ଧୋଇବା ସହ ସଫାସୁତରା ରହିବା ପ୍ରତି ଧ୍ୟାନ ଦେବା ଆବଶ୍ୟକ।
  • କାଶିବା ଓ ଛିଙ୍କିବା ବେଳେ ମୁହଁରେ କପଡ଼ା ଦେବା ଉଚିତ୍‌।
  • ନିଜ ହାତରେ ବାରମ୍ଵାର ଆଖି, ନାକ ଓ ମୁହଁକୁ ବାରମ୍ଵାର ଛୁଅନ୍ତୁ ନାହିଁ।

ଏହି ରୋଗରେ ଆକ୍ରାନ୍ତ ଲୋକଙ୍କୁ ଭଲ କରିବା ପାଇଁ ଏଯାଏଁ କୌଣସି ମେଡିସିନ ବାହାରିନାହିଁ। ହେଲେ ଆମେରିକାରେ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍‌ ହେଲ୍‌ଥ ପକ୍ଷରୁ କୋରୋନା ଭାଇରସ୍‌କୁ ରୋକିବାକୁ ଏକ ଟୀକା ତିଆରି କରାଯାଉଛି। ଆଗାମୀ ୩ ମାସ ମଧ୍ୟରେ ଏହା ଲୋକମାନଙ୍କ ଉପରେ ଟ୍ରାଏଲ କରାଯିବ ବୋଲି ସୂଚନା ମିଳିଛି।

Comment