ଓଡ଼ିଶାଲାଇଭ୍ ବ୍ୟୁରୋ

ନୂଆଦିଲ୍ଲୀରେ ଏନସିସିର ବାର୍ଷିକ ପରେଡରେ ଯୋଗଦେଇଥିଲେ ମୋଦୀ।

“ଶିଖମାନଙ୍କର ଧର୍ମପୀଠ କର୍ତ୍ତାରପୁର ଏବେ ଭାରତ ପାଖରେ ରହିଥାନ୍ତା। ଶିଖ୍ ଲୋକମାନେ ଭାରତରେ ହିଁ କର୍ତ୍ତାରପୁର ପରିଦର୍ଶନ କରିପାରୁଥାନ୍ତେ। ଯଦି ସେ ସମୟର ସରକାର ସମୟ ଅନୁଯାୟୀ ଠିକ୍ ନିଷ୍ପତ୍ତି ନେଇଥାନ୍ତେ।”

ମଙ୍ଗଳବାର ନୂଆଦିଲ୍ଲୀରେ ଏନସିସିର ବାର୍ଷିକ ପରେଡ ରାଲିରେ ଯୋଗଦେଇ ଏପରି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।ସେ କହିଥିଲେ ଯେ କେଉଁ ପରିସ୍ଥିତିରେ ଭାରତର ବିଭାଜନ ହୋଇଛି ତାହା ସମସ୍ତଙ୍କୁ ଜଣାଅଛି, ତେଣୁ ସମ୍ବନ୍ଧରେ ଆଉ ଚର୍ଚ୍ଚା କରିବା ଠିକ୍ ନୁହେଁ। ହେଲେ ବିଭାଜନର ଗାର ଟଣା ହୋଇଯିବାବେଳେ କର୍ତ୍ତାରପୁର ପାକିସ୍ତାନକୁ ଚାଲିଯାଇଥିଲା। ଫଳରେ ଭାରତରେ ରହୁଥିବା ଶିଖ୍ ଭାଇଭଉଣୀମାନେ ଏହାକୁ ଦର୍ଶନ କରିବାରୁ ବଞ୍ଚିତ ହୋଇଥିଲେ। ଏପରିକି ଏହାକୁ ଭାରତରେ ସାମିଲ କରିବାକୁ ସରକାର ପାଖରେ ସୁଯୋଗ ରହିଥିଲେ ମଧ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଇନଥିଲେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।

ଏହି ଅବସରରେ ସେ କହିଥିଲେ ଯେ ଯେଉଁ ସମୟରେ ୯୦ ହଜାର ପାକିସ୍ତାନୀ ସୈନ୍ୟ ଭାରତ କବଜାରେ ଥିଲେ ତାର ପ୍ରତିବଦଳରେ ସରକାର କର୍ତ୍ତାରପୁରକୁ ମାଗିପାରିଥାନ୍ତେ। ସରକାର କିନ୍ତୁ ଏହା ବଦଳରେ କିଛି ବି ନମାଗି ପାକିସ୍ତାନୀ ସୈନ୍ୟଙ୍କୁ ଛାଡ଼ିଦେଇଥିଲେ। ଯାହା ସେ ସମୟର ସରକାରଙ୍କର ଏକ ମସ୍ତବଡ଼ ଭୁଲ ଥିଲା ବୋଲି କହିଛନ୍ତି ନରେନ୍ଦ୍ର ମୋଦୀ।

ଏଥିସହିତ ମୋଦୀ ଆହୁରି ମଧ୍ୟ କହିଥିଲେ ଯେ ତାଙ୍କ ସରକାର ଆସିବା ପରେ ଶିଖ୍ ଭାଇଭଉଣୀମାନଙ୍କ ଏହି ସମସ୍ୟାର ସମାଧାନ କରାଯାଇଛି। କର୍ତ୍ତାରପୁର କରିଡର ଶିଖମାନଙ୍କୁ କର୍ତ୍ତାରପୁର ପରିଦର୍ଶନ କରିବାର ସୁଯୋଗ ଦେଇଛି। ମୋଦୀ ତାଙ୍କର ଭାଷଣରେ କର୍ତ୍ତାରପୁର କରିଡର କଥା ଉଠାଇବା ସହ ସିଏଏକୁ ନେଇ ମଧ୍ୟ ନିଜର ମତ ରଖିଥିଲେ।

Comment