ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚିର ସବୁଜ ଗୀତ ରଙ୍ଗବତୀ! ଓଡ଼ିଶାର ଆଉ ଗୋଟିଏ ଏଭଳି ଗୀତ ନାହିଁ ଯାହା ଏତେ ସଫଳତା ହାସଲ କରିପାଛି। ଦେଶ କି ବିଦେଶ ସବୁଠି ଏହି ଗୀତକୁ ଲୋକେ ଗୁଣୁଗୁଣେଇଥାନ୍ତି, ଆଜି ବି। ତେବେ ଏହି ଗୀତର ଅନ୍ୟ ଏକ ସଫଳତା ହେଉଛି ଏଥି ସହିତ ଯୋଡ଼ି ହୋଇଥିବା ଦୁଇ ଜଣ କଳାକାର ପଦ୍ମଶ୍ରୀ ପାଇଛନ୍ତି। ଗୋଟିଏ କଳାତ୍ମକ ଗୀତ ପାଇଁ ଦୁଇ ଜଣ ବ୍ୟକ୍ତି ପଦ୍ମଶ୍ରୀ ପୁରସ୍କାର ପାଇବା ବିରଳ।

ପୂର୍ବରୁ ଅର୍ଥାତ ୨୦୧୭ରେ ଗୀତର ଗାୟକ ଜିତେନ୍ଦ୍ର ହରିପାଲ ପଦ୍ମଶ୍ରୀ ପାଇଥିବା ବେଳେ ଏବର୍ଷ ଏହି ଗୀତର ଗୀତିକାର ମିତ୍ରଭାନୁ ଗୌନ୍ତିଆଙ୍କ ନାମ ପଦ୍ମଶ୍ରୀ ପାଇଁ ଘୋଷଣା କରାଯାଇଛି।

ରଙ୍ଗବତୀ ଗୀତର ଏକ ମଞ୍ଜୁଳ ଇତିହାସ ରହିଛି। ସମ୍ବଲପୁର ଆକାଶବାଣୀ କେନ୍ଦ୍ରର ‘ସୁରମାଳିକା’ କାର୍ଯ୍ୟକ୍ରମ ପାଇଁ ଏହି ଗୀତକୁ ପ୍ରଥମେ ରେକର୍ଡିଂ କରାଯାଇଥିଲା। ଏହା ୧୯୭୫-୭୬ ବର୍ଷର ଘଟଣା। ପରେ ଏହାକୁ ଡିସ୍କ ଫର୍ମାଟରେ ରେକର୍ଡିଂ କରାଗଲା। କଲିକତାର ଇଣ୍ଡିଆନ ରେକର୍ଡ କମ୍ପାନି ୧୯୭୮-୭୯ ଏହି ଗୀତର ଦାୟିତ୍ୱ ନେଇଥିଲା। ରଙ୍ଗବତୀ ଗୀତର ଲୋକପ୍ରିୟତା କେତେ ତାହା କେବଳ ଏଥିରୁ ଜାଣିହେବ ଯେ ଗୌନ୍ତିଆଙ୍କ ଗାଁ ବିଲୁଙ୍ଗର ପୁନଃନାମକରଣ କରାଯାଇଛି। ଏବେ ଏହି ଗାଁକୁ ‘ରଙ୍ଗବତୀ ବିଲୁଙ୍ଗ’ କୁହାଯାଉଛି।

ଗୀତର ଗୀତିକାର ମିତ୍ରଭାନୁ ଗୌନ୍ତିଆଙ୍କ ଜନ୍ମ ୧୯୪୨ରେ। ପନ୍ଦର ବର୍ଷ ବୟସରୁ ହିଁ ସେ ଗୀତ ଲେଖିବା ଆରମ୍ଭ କରିଥିଲେ। ପ୍ରକୃତିର ଜଣେ ଉପାସକ, ଗୌନ୍ତିଆ ତାଙ୍କ ଗୀତ ଜରିଆରେ ଜଙ୍ଗଲ ସୁରକ୍ଷା, ପ୍ରଦୂଷଣ, ଶିକ୍ଷା, ସାକ୍ଷରତା ଆଦି ବିଷୟରେ ସାମାଜିକ ସନ୍ଦେଶ ମାନ ପଠାଇଥା’ନ୍ତି। ତାଙ୍କର ଅନ୍ୟ କେତୋଟି ଲୋକପ୍ରିୟ ଗୀତ ହେଉଛି ମଲ୍ଲୀ, ଲଳିତା, ମୋହିନୀ, ଦ୍ରୌପଦୀ ହରଣ, ରକ୍ଷା କବଚ, ଗାଁ ଆମର ମା’, ପଖାଳ ଖୁରି ଥି ମହର, ଝାରବଣିଆ ଇତ୍ୟାଦି।

ପଦ୍ମଶ୍ରୀ ପୁରସ୍କାର ପାଇବା ପୂର୍ବରୁ ଗୌନ୍ତିଆଙ୍କୁ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ବ୍ୟତୀତ ସମ୍ବଲପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ମଧ୍ୟ ପୁରସ୍କୃତ କରାଯାଇଛି। ଗୌନ୍ତିଆଙ୍କୁ ପଦ୍ମଶ୍ରୀ ମିଳିଥିବାରୁ ଜିତେନ୍ଦ୍ର ହରିପାଲ ଏଥିରେ ଖୁସି ହୋଇଛନ୍ତି ଓ କହିଛନ୍ତି ଯେ ଏହିଭଳି ପୁରସ୍କାର ଲୋକକଳା ଓ ଲୋକସଂସ୍କୃତି କ୍ଷେତ୍ରରେ ଯେଉଁମାନେ ଅଧ୍ୟବସାୟ କରୁଛନ୍ତି ସେମାନଙ୍କୁ ଉତ୍ସାହିତ କରିବ।

LEAVE A REPLY

Please enter your comment!
Please enter your name here