ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଲ୍ଡର୍ ଲାଲା ଫେରାର୍, କାବୁ କରିବାକୁ ଜାଲ ବିଛାଇଛି ବନ ବିଭାଗ।

କଟକ: ବଜ୍ରକାପ୍ତା ଚୋରାଚାଲାଣ ଘଟଣାରେ ବୁଧବାର ନୟାଗଡରୁ ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି ବନ ବିଭାଗ। ଅଭିଯୁକ୍ତ ଜଣକ ହେଲେ ଭୁବନେଶ୍ୱର ୟୁନିଟ୍ ୬ ଅଞ୍ଚଳର ନୀଳକଣ୍ଠ ନାୟକ। ପୂର୍ବରୁ ହୋଇଥିବା ଜେରାରେ ଅଲ୍ଲୀଠାରୁ ସୂଚନା ପାଇ ଆଠଗଡ ବନଖଣ୍ଡ ଅଧିକାରୀ ସସ୍ମିତା ଲେଙ୍କାଙ୍କ ନିର୍ଦ୍ଦେଶରେ ଏକ ସ୍ୱତନ୍ତ୍ର ଟିମ୍ ଚଢାଉ ଜାରି ରଖିଥିଲା। ଗତକାଲି ନୀଳକଣ୍ଠର ଘରେ ଚଢଉ କରିଥିବା ବେଳେ ସେ ଫେରାର୍ ହୋଇଯାଇଥିଲା। ପରେ ତା’ ମୋବାଇଲ୍ ଲୋକେସନ୍ ଠାବ କରିବାରୁ ନୀଳକଣ୍ଠ ନୟାଗଡ ଓଡଗାଁ ଥାନା କଇଁଥପଲ୍ଲୀ ଗ୍ରାମରେ ଥିବା ଶ୍ୱଶୁର ଘରେ ଥିବା ଜଣାପଡିଥିଲା। ବନବିଭାଗ ସେଠାରେ ପହଞ୍ଚି ତାଙ୍କୁ ଗିରଫ କରିଥିଲା।

ଗୁରୁବାର ନୀଳକଣ୍ଠକୁ କଟକ ଅଣାଯାଇ ଜେରା କରିବା ସହ ମୋବାଇଲ୍ ଚେକ୍ କରିଥିଲା ବନ ବିଭାଗ। ବଜ୍ରକାପ୍ତା ଚୋରାଚାଲାଣର କିଙ୍ଗ୍ପିନ୍ ଅଲ୍ଲୀ ସହିତ ତା’ର ସମ୍ପୃକ୍ତି ଥିବା ନେଇ ପ୍ରମାଣ ସାମ୍ନାକୁ ଆସିଥିଲା। ଏହାସହିତ ବଜ୍ରକାପ୍ତା ଚାଲାଣ ସମ୍ପର୍କିତ ଅନେକ ଗୁଡିଏ ନୂଆ ତଥ୍ୟ ମିଳିଛି। ତେବେ ଏବେ ସୁଦ୍ଧା ଘଟଣା ସହିତ ଜଡ଼ିତ ରାକେଟର କିଛି ପ୍ରମୁଖ ସଦସ୍ୟଙ୍କୁ ଗିରଫ କରାଯାଇସାରିଛି। ଏବେ ସୁଦ୍ଧା ତାଲିକା ଶେଷ ହୋଇନାହିଁ।

କଟକର ଜଣେ ଲାଲା ନାମକ ବିଲ୍ଡର୍ ଏଥିରେ ସମ୍ପୃକ୍ତ ଥିବା ବେଳେ ତାକୁ କାବୁ କରିପାରି ନାହିଁ ବନ ବିଭାଗ। ତେବେ ବିଶେଷ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଲାଲା ଏବେ ଫେରାର୍ ରହିଛି। ବନ ବିଭାଗ ତରଫରୁ ତାକୁ ଗିରଫ କରିବାକୁ ଜାଲ ବିଛା ଯାଇଥିଲେ ବି ସେଥିରେ ସେ ଖସିଯାଇଛି। ଅନ୍ୟପକ୍ଷରେ ବନ ବିଭାଗ ଦ୍ୱିତୀୟ ଥର ପାଇଁ ପୁଣି ଥରେ ଜାଲ ବିଛାଇଛି।

ସେହିପରି ଚାଲାଣର କିଙ୍ଗପିନ୍ କୁହାଯାଉଥିବା ମହମ୍ମଦ ଅଲ୍ଲୀ ଏବଂ ତା’ର ଦୁଇ ସହଯୋଗୀ ସନ୍ତୋଷ ଦାସ ଓ ହାଡିବନ୍ଧୁ ଜେନାକୁ ବନ ବିଭାଗ ପୁଣି ରିମାଣ୍ଡରେ ଆଣିବ ବୋଲି ଜଣାପଡିଛି। ଏନେଇ ଖୁବ୍ ଶୀଘ୍ର କୋର୍ଟରେ ଆବେଦନ କରାଯିବ। ତେବେ ରିମାଣ୍ଡ ପାଇଁ ଅନୁମତି ମିଳିଲେ ଏଥର ଅଲ୍ଲୀ, ଦୁଇ ସହଯୋଗୀଙ୍କ ସହିତ ଗତକାଲି ଗିରଫ ହୋଇଥିବା ନୀଳକଣ୍ଠକୁ ସାମ୍ନାସାମ୍ନି ବସାଇ ଜେରା କରିବାକୁ ବନ ବିଭାଗ ଯୋଜନା କରୁଛି।

ଯାହାଫଳରେ ଏମାନଙ୍କ ସଂପୃକ୍ତି ସହ ଏହି ଘଟଣାରେ ଆଉ କିଏ ସଂପୃକ୍ତ ରହିଛନ୍ତି ଓ କେତେ ବଜ୍ରକାପ୍ତା ଚାଲାଣ ହୋଇଛି ସେ ନେଇ ଗୁମର ଖୋଲିବ। ଏବେ ସୁଦ୍ଧା ପ୍ରାୟ ୨୦ ଅଭିଯୁକ୍ତ ବଜ୍ରକାପ୍ତା ଚୋରା ଚାଲାଣ ଘଟଣାରେ ଗିରଫ ହୋଇସାରିଲେଣି। କିନ୍ତୁ ଗତ ୧୭ତାରିଖରେ ଗୋଟିଏ ମୃତ ବଜ୍ରକାପ୍ତା ଜବତ ହେବା ପରେ ଘଟଣାରେ ସମ୍ପୃକ୍ତ ୩ଜଣଙ୍କୁ ଗିରଫ କରାଯାଇଥିଲା। ଅଭିଯୁକ୍ତ ମହମ୍ମଦ ଅଲ୍ଲୀ ମୁଖ୍ୟ କିଙ୍ଗପିନ୍ କୁହାଯାଇଥିବା ବେଳେ ତା’ ମୋବାଇଲରୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାଇଥିଲା ବନ ବିଭାଗ। ଅଲ୍ଲୀଠାରୁ ମିଳିଥିବା ସୂଚନା ଆଧାରରେ ଜଣକ ପରେ ଜଣେ ଅଭିଯୁକ୍ତ ଗିରଫ ହେଉଛନ୍ତି।

Comment