ଓଡ଼ିଶାଲାଇଭ୍‌ ବ୍ୟୁରୋ

  • କଶ୍ମୀର ଘରୋଇ ଟୁର୍ ଅପରେଟର ସଂଘ ପକ୍ଷରୁ ଭୁବନେଶ୍ୱରରେ ରୋଡ୍ ସୋ’
  • ଓଡ଼ିଶା ପର୍ଯ୍ୟଟକଙ୍କ ପାଇଁ ସ୍ପେଶାଲ ଅଫର
  • ହୋଟେଲରେ ମିଳିବ ୩୦ ପ୍ରତିଶତ ରିହାତି
  • ଟୁର୍ ଅପରେଟର ଦେବେ ୨୦ ପ୍ରତିଶତ ରିହାତି
  • ହାଉସ୍‌ବୋଟସ୍‌ରେ ୫୦ ପ୍ରତିଶତ ରିହାତି

ଓଡ଼ିଶାର ପର୍ଯ୍ୟଟକମାନଙ୍କ ପାଇଁ ଖୁସି ଖବର। ଯେଉଁମାନେ ‘ପୃଥିବୀର ଭୂସ୍ୱର୍ଗ’ ଜମ୍ମୁ କଶ୍ମୀରର ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ସ୍ପେଶାଲ ଅଫର ଆଣି ଦେଇଛନ୍ତି କଶ୍ମୀର ଘରୋଇ ଟୁର୍ ଅପରେଟର ସଂଘ।

କଶ୍ମୀରର ବିଭିନ୍ନ ହୋଟେଲ ଏବଂ ଟୁର୍ ଅପରେଟରମାନଙ୍କ ପକ୍ଷରୁ ଏହି ରିହାତି ସୁବିଧା ପ୍ରଦାନ କରାଯିବ। ଜମ୍ମୁ କଶ୍ମୀର ପର୍ଯ୍ୟଟନ ବିଭାଗର ସହଯୋଗରେ ଓଡ଼ିଶାର ପର୍ଯ୍ୟଟକଙ୍କୁ ଏହି ସୁବିଧା ମିଳିବ।

କଶ୍ମୀର ପର୍ଯ୍ୟଟନ କ୍ଷେତ୍ର ପ୍ରତି ଓଡ଼ିଶାର ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିବା ପାଇଁ ଭୁବନେଶ୍ୱରରେ କଶ୍ମୀର ଘରୋଇ ଟୁର୍ ଅପରେଟର ସଂଘ (ଡିଟିଓଏକେ) ପକ୍ଷରୁ ଗୁରୁବାର ଏକ ରୋଡ୍ ସୋ ଆୟୋଜନ କରାଯାଇଥିଲା। ଏହି ଅବସରରେ ଓଡ଼ିଶାର ପର୍ଯ୍ୟଟକମାନଙ୍କ ପାଇଁ ସ୍ପେଶାଲ ରିହାତି ସମ୍ପର୍କରେ ଘୋଷଣା କରାଯାଇଥିଲା।

“ଦେଶ ବିଦେଶର ପର୍ଯ୍ୟଟକମାନଙ୍କ ପାଇଁ ଓଡ଼ିଶା ଏବେ ମୁଖ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଏଣୁ ଓଡ଼ିଶାର ପର୍ଯ୍ୟଟକମାନଙ୍କୁ କଶ୍ମୀର ପର୍ଯ୍ୟଟନ କ୍ଷେତ୍ର ପ୍ରତି ଆକର୍ଷିତ କରିବା ପାଇଁ ଆମେ ଭୁବନେଶ୍ୱରରେ ରୋଡ୍ ସୋ’ ଆୟୋଜନ କରିବାକୁ ସ୍ଥିର କରିଥିଲୁ। ଏହା ଆଜି ସଫଳ ହୋଇଛି। ଓଡ଼ିଶାବାସୀଙ୍କ ସମର୍ଥନ ଓ ସହଯୋଗରେ କଶ୍ମୀରର ପର୍ଯ୍ୟଟନ କ୍ଷେତ୍ର ଅଧିକ ବିକଶିତ ହୋଇପାରିବ ବୋଲି ଆଶା ରହିଛି’’, କହିଛନ୍ତି ଜମ୍ମୁ କଶ୍ମୀର ପର୍ଯ୍ୟଟନର ଗଲ୍ଫ କୋର୍ସର ପରିଚାଳନା ନିର୍ଦ୍ଦେଶକ ନଜହାତ୍ ଗୁଲ୍।

“ସବୁ ବର୍ଗର ପର୍ଯ୍ୟଟକମାନଙ୍କ ପାଇଁ ଜମ୍ମୁ କଶ୍ମୀର ଏବେ ସୁରକ୍ଷିତ ସ୍ଥାନ ପାଲଟିଛି। ଏଣୁ କଶ୍ମୀରର ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ଆମେ ଓଡ଼ିଶାର ପର୍ଯ୍ୟଟକଙ୍କୁ ଆମନ୍ତ୍ରିତ କରୁଛୁ’’, କହିଛନ୍ତି ନଜହାତ୍ ଗୁଲ୍।

ଓଡ଼ିଶାର ପର୍ଯ୍ୟଟକମାନଙ୍କ ପାଇଁ କଶ୍ମୀରର ବିଭିନ୍ନ ହୋଟେଲରେ ୩୦ ପ୍ରତିଶତ ରହାତି ମିଳିବ। ସେହିପରି ଟୁର୍ ଅପରେଟରମାନେ ୨୦ ପ୍ରତିଶତ ରହାତି ଦେବେ ଏବଂ ‘ହାଉସ୍‌ବୋଟ୍‌ସ୍‌’ ରେ ରହିବା ପାଇଁ ପର୍ଯ୍ୟଟକମାନଙ୍କୁ ୫୦ ପ୍ରତିଶତ ରିହାତି ମିଳିବ। ଏହି ଅଫର୍ ୨୦୨୦ ଶେଷ ଯାଏଁ ଓଡ଼ିଶାର ପର୍ଯ୍ୟଟକମାନଙ୍କ ପାଇଁ ଉପଲବ୍ଧ ରହିବ’’, କହିଛନ୍ତି ଡିଟିଓଏକେର ସଭାପତି ହମିଦ୍ ୱଙ୍ଗନୁ।

ଭୁବନେଶ୍ୱରରେ ଆୟୋଜିତ ହୋଇଥିବା ରୋଡ୍ ସୋ’ରେ ଓଡ଼ିଶା ପର୍ଯ୍ୟଟନ ନିଗମ (ଓଟିଡିସି)ର ପରିଚାଳନା ନିର୍ଦ୍ଦେଶକ ହେମକାନ୍ତ ସାଏ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

ଓଡ଼ିଶା ପର୍ଯ୍ୟଟନ ଏବଂ ପର୍ଯ୍ୟଟନ ଶିଳ୍ପ ସହ ଜଡ଼ିତ ଓଡ଼ିଶାର ଘରୋଇ ଟୁର୍ ଅପରେଟରମାନଙ୍କ ମିଳିତ ସହଯୋଗରେ ଡିଟିଓଏକେ ପକ୍ଷରୁ ଏହି ରୋଡ୍ ସୋ’ ଆୟୋଜନ କରାଯାଇଥିଲା।

ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ପର୍ଯ୍ୟଟନ ଅଧିକାରୀ ରତିକାନ୍ତ ପଟ୍ଟନାୟକ, ଏକତାର ଉପସଭାପତି ଦେବାଶିଷ ମିଶ୍ର, ଟ୍ରାଞ୍ଜାକ୍ସନ ଆଡଭାଇଜରୀ ସର୍ଭିସର ଉପସଭାପତି ମିତ୍ରଭାନୁ ଚୌଧୁରୀ ଉପସ୍ଥିତ ଥିଲେ।

Comment