ଓଡ଼ିଶାଲାଇଭ୍ ବ୍ୟୁରୋ

 

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କୋରୋନା ଭାଇରସ ଜନିତ ସଂକ୍ରମଣକୁ ଆନ୍ତର୍ଜାତିକ ସ୍ୱାସ୍ଥ୍ୟ ସଙ୍କଟ ଘୋଷଣା କରାଯିବା ପରେ ଚୀନର ସାମଗ୍ରୀ ଆମଦାନୀ ଉପରେ ଭାରତ ସରକାରଙ୍କ ପକ୍ଷରୁ କଟକଣା ଜାରି କରାଯାଇଛି। ଚୀନର ଉହାନ୍ ସହରରେ ସୃଷ୍ଟି ହୋଇଥିବା ଏହି ସଂକ୍ରମଣ ଯୋଗୁଁ ବିଶ୍ୱ ତମାମ ଏବେ ବ୍ୟବସାୟ କ୍ଷେତ୍ରରେ ମଧ୍ୟ ସଙ୍କଟ ସୃଷ୍ଟି ହୋଇଛି। ଏହି ଭୂତାଣୁ ସମସ୍ୟା ଫଳରେ ପ୍ରାୟ ୧୫୦୦ଟନ ସିଲ୍କ ଆମଦାନୀକୁ ନେଇ ଅନିଶ୍ଚିତତା ଦେଖାଦେଇଛି। ଆଉ ଏହି ଅନିଶ୍ଚିତତାର ପ୍ରଭାବ ଅଧିକ ମାତ୍ରାରେ ବନାରସର ସିଲ୍କ ଶାଢ଼ୀ ବୁଣାକାରଙ୍କ ଉପରେ ପଡ଼ିଛି।

ବନାରସର ଜଣେ ଶାଢ଼ୀ ନିର୍ମାତାଙ୍କ କହିବା ଅନୁଯାୟୀ ଚୀନ୍ ନୂଆବର୍ଷ ଯୋଗୁଁ ଜାନୁଆରୀ ୨୦ ତାରିଖ ପର୍ଯ୍ୟନ୍ତ ସେହି ଦେଶରେ ଛୁଟିର ମାହୋଲ ଥିଲା କିନ୍ତୁ ଫେବ୍ରୁଆରୀ ୪ ତାରିଖରୁ ମାଲ ଆସିବା ଆରମ୍ଭ ହୋଇଥାନ୍ତା। ହେଲେ ଭାଇରସ ଆତଙ୍କ ଯୋଗୁଁ ଏବେ କଞ୍ଚାମାଲ ଆସିବାରେ ବିଳମ୍ବ ହେବ ଯାହାକି କୁଶଳୀ ବୁଣାକାରମାନଙ୍କ ଗୁଜରାଣ ଉପରେ ପ୍ରଭାବ ପକାଇବ। ଖାଲି ସେତିକି ନୁହେଁ, ଶାଢ଼ୀ ବ୍ୟବସାୟର ମଧ୍ୟ ଘାଟା ହେବ।

ଉଲ୍ଲେଖଯୋଗ୍ୟ ଯେ, ସିଲ୍କ ରୋଡ଼ ଦେଇ  ଚୀନର ସିଚୁଆନ ପ୍ରଦେଶରୁ ଭାରତକୁ ସିଲ୍କ ଆମଦାନୀ କରାଯାଇଥାଏ। ବନାରସି ସିଲ୍କ ଶାଢ଼ୀ ପାଇଁ ସାଧାରଣତଃ  ଡୁପିୟନ ସିଲ୍କ ବ୍ୟବହାର କରାଯାଏ। ଅବଶ୍ୟ ଏହି ସିଲ୍କ ବାଙ୍ଗାଲୋରରେ ମଧ୍ୟ ଉତ୍ପାଦନ କରାଯାଏ କିନ୍ତୁ ଗୁଣ ଓ ଦାମ ଦୃଷ୍ଟିରୁ ବନାରସି ଶାଢ଼ୀର ପ୍ରସ୍ତୁତକାରୀ ମାନେ ଚୀନର ସିଲ୍କ ଉପରେ ଅଧିକ ନିର୍ଭର କରିଥାନ୍ତି।

ବନାରସି କ୍ଳଥ ଆସୋସିଏସନର ସମ୍ପାଦକଙ୍କ କହିବା ଅନୁଯାୟୀ ଶାଢ଼ୀ ବ୍ୟବସାୟ ଆଗରୁ ମାନ୍ଦା ପଡି ଯାଇଥିଲା। ଏବେ କୋରୋନା ସଙ୍କଟ ଶାଢ଼ୀ ବ୍ୟବସାୟ କ୍ଷେତ୍ରରେ ଅଧିକ ସମସ୍ୟା ସୃଷ୍ଟି କରିଛି।ସୂଚନାଯୋଗ୍ୟ ଯେ,ଚୀନରୁ ଭାରତକୁ ପ୍ରତି ବର୍ଷ ଯେତିକି ସିଲ୍କ ଆମଦାନୀ ହୁଏ ତାହାର ୯୦ ଭାଗ କେବଳ ବନାରସି ଶାଢୀରେ ହିଁ ଲାଗିଥାଏ।

Comment