ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜମି ପାଇଁ ବାପ-ପୁଅ ଓ ଭାଇ-ଭାଇ ମଧ୍ୟରେ ଲଢ଼େଇ ସାଧାରଣ କଥା। ହେଲେ ଏଭଳି ସମାଜରେ ଭୂମିହୀନଙ୍କୁ ଜମି ଦାନ କରି ଉଦାହରଣ ପାଲଟିଛନ୍ତି ଇଞ୍ଜିନିୟର ପ୍ରୀତିରଞ୍ଜନ ମହାରଣା। ପ୍ରୀତିରଞ୍ଜନଙ୍କ ଘର ଜଗତସିଂହପୁର ଜିଲ୍ଲା ଖେରାସ ଅଞ୍ଚଳରେ। ୨୫ ଆଦିବାସୀ ପରିବାରଙ୍କୁ ବାସଗୃହ ଯୋଗାଇ ଦେବା ପାଇଁ ସେ ୪୦ ଲକ୍ଷ ଟଙ୍କାରେ ୨୫ ଡିସିମିଲ ଜମି କିଣିଛନ୍ତି।

ପ୍ରୀତିରଞ୍ଜନଙ୍କ କଟକରେ ରୁହନ୍ତି। ନିଜ ବ୍ୟସ୍ତବହୁଳ ଜୀବନ ପାଇଁ ସେ ପ୍ରାୟ ସମୟ ଗାଁକୁ ଆସିପାରନ୍ତି ନାହିଁ। ତାଙ୍କ ବାପା ଖେରାସ୍‌ ଅଞ୍ଚଳର ଜଣେ ଲୋକପ୍ରିୟ ଶିକ୍ଷକ। ବାପାଙ୍କ ଦେହାନ୍ତ ପରେ ମା’ଙ୍କୁ ଦେଖା କରିବାକୁ ବେଳେ ବେଳେ ଗାଁକୁ ଆସିବା ବେଳେ ଏହି ଗରିବ ଆଦିବାସୀ ପରିବାରକୁ ଭେଟିଥିଲେ।

ଏଠାରେ ରହୁଥିବା ୨୫ ପରିବାର ଭୂମିହୀନ ଓ ସେମାନଙ୍କୁ ଘର କରିବା ପାଇଁ ସରକାର ଜମି ଦେଉନଥିବା ପ୍ରୀତିରଞ୍ଜନ ଜାଣିବାକୁ ପାଇଥିଲେ। ପରେ ସେ ସେମାନଙ୍କୁ ଜମି ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ବର୍ଷେ ପରେ ପାଟେଣୀ ଗାଁ ତ୍ରିନାଥ ମନ୍ଦିର ପାଖରେ ୨୭ ଡିସିମିଲ ଜମି କିଣିଥିଲେ ପ୍ରୀତିରଞ୍ଜନ। ଜମି କିଣିବା ପରେ ଆଦିବାସୀ ପରିବାର ନାଁରେ କବଲା କରିଥିଲେ।

ଏନେଇ ପ୍ରୀତିରଞ୍ଜନ କହନ୍ତି, “ଭଗବାନଙ୍କ କୃପାରୁ ମୋ ପରିବାର ବହୁତ ଖୁସିରେ ଅଛି। ଘର ପାଖରେ ରହୁଥିବା ଏହି ଗରିବ ପରିବାରଗୁଡ଼ିକ କିପରି ଖୁସିରେ ରହିବେ ସେଥିପାଇଁ ଏଭଳି କାର୍ଯ୍ୟ କରିଛି। ସେମାନେ କିପରି ଏହି ଜମିରେ ଭଲ ଘର ଖେଣ୍ଡ କରି ପାରିବେ ସେଥିପାଇଁ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେଉ।”

Comment